ଆମେରିକା-କାନାଡା-ମେକ୍ସିକୋରେ ୨୦୨୬ ବିଶ୍ୱକପ୍‌

ମସ୍କୋ: ଆମେରିକା, କାନାଡା ଏବଂ ମେକ୍ସିକୋ ମିଳିତ ଭାବେ ୨୦୨୬ ଫିଫା ବିଶ୍ୱକପ୍‌ ଆୟୋଜନ କରିବେ। ବୁଧବାର ମସ୍କୋରେ ଆୟୋଜିତ ଫିଫା କଂଗ୍ରେସରେ ଏହି ବିଷୟରେ ଘୋଷଣା କରାଯାଇଥିଲା। ଏହି ତିନି ଉତ୍ତର ଆମେରିକୀୟ ଦେଶ ୧୩୪ ଭୋଟ୍‌ ପାଇଥିଲା ବେଳେ ପ୍ରତିଦ୍ୱନ୍ଦ୍ୱୀ ମରକ୍କୋ ୬୫ ଭୋଟ୍‌ ପାଇ ପଞ୍ଚମ ଥର ଲାଗି ଆୟୋଜକ ଦୌଡ଼ରୁ ବାଦ୍‌ ପଡ଼ିଥିଲା। ଫଳରେ ପ୍ରଥମ ଥର ଲାଗି ୩ ଦେଶ ମିଳିତ ଭାବେ ବିଶ୍ୱକପ୍‌ ଅୟୋଜନ କରିବାକୁ ଯାଉଛନ୍ତି। ମୋଟ ଉପରେ ୮୦ ମ୍ୟାଚ୍‌ ଖେଳା ହେବାକୁ ଥିଲା ବେଳେ ମେକ୍ସିକୋ ଓ କାନାଡାରେ ୧୦ ଲେଖାଏଁ ଏବଂ ଆମେରିକାରେ ୬୦ ମ୍ୟାଚ୍‌ ଖେଳାଯିବ। ଆମେରିକାର ନ୍ୟୁ ଜର୍ସିସ୍ଥିତ ମେଟ୍‌ଲାଇଫ୍‌ ଷ୍ଟାଡିୟମରେ ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ। ସଂପ୍ରତି ୩୨ ଦଳକୁ ନେଇ ବିଶ୍ୱକପ୍‌ ଆୟୋଜିତ ହେଉଥିଲା ବେଳେ ପ୍ରଥମ ଥର ଲାଗି ୨୦୨୬ରେ ଏହା ୪୮କୁ ବୃଦ୍ଧି ପାଇବ। ଆମେରିକା ୧୯୯୪ରେ ଏକାକି ଗୋଟିଏ ଥର ଆୟୋଜନ କରିଥିଲା ବେଳେ ମେକ୍ସିକୋରେ ଦୁଇଥର ୧୯୭୦ ଓ ୧୯୮୬ ବିଶ୍ୱକପ୍‌ ହୋଇଥିଲା। କାନାଡା ପୁରୁଷ ବିଶ୍ୱକପ୍‌ ଆୟୋଜନ କରି ନଥିଲେ ମଧ୍ୟ ୨୦୧୫ରେ ମହିଳା ବିଶ୍ୱକପ୍‌ ଆୟୋଜନ କରିଥିଲା। ୨୦୨୨ ବିଶ୍ୱକପ୍‌ କାତାରରେ ହେବାକୁ ଥିଲା ବେଳେ ଗୁରୁବାରଠୁ ୨୦୧୮ ବିଶ୍ୱକପ୍‌ ରୁଷିଆରେ ଆରମ୍ଭ ହେବ।

ବ୍ଲାଟର୍‌ଙ୍କୁ ନିମନ୍ତ୍ରଣ କଲେ ପୁଟିନ୍‌
ମସ୍କୋ: ବିବାଦୀୟ ପୂର୍ବତନ ଫିଫା ସଭାପତି ସେପ୍‌ ବ୍ଲାଟର୍‌ଙ୍କୁ ବିଶ୍ୱକପ୍‌ ଲାଗି ଆୟୋଜକ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ୍‌ ନିମନ୍ତ୍ରଣ କରିଛନ୍ତି। ମଙ୍ଗଳବାର ବ୍ଲାଟରଙ୍କ ମୁଖପାତ୍ର ଥୋମାସ ରେଙ୍ଗଲି ଏହି ବିଷୟରେ ସୂଚନା ଦେଇଥିଲେ। ୧୭ ବର୍ଷ ଧରି ବିଶ୍ୱ ଫୁଟ୍‌ବଲ୍‌ର ମଙ୍ଗ ଧରିଥିବା ବ୍ଲାଟର୍‌ ଦୁର୍ନୀତିକୁ ପ୍ରସୟ ଦେଇଥିବା ଅଭିଯୋଗ ହେବାରୁ ତାଙ୍କୁ ଫିଫା ୨୦୧୫ରେ ୬ ବର୍ଷ ପାଇଁ ନିଲମ୍ବିତ କରିଥିଲା। ଏହା ପରଠୁ ୮୩ ବର୍ଷୀୟ ବ୍ଲାଟର ଫୁଟ୍‌ବଲ୍‌ରୁ ଦୂରେଇ ରହିଥିଲେ। ତାଙ୍କ ରୁଷିଆ ଗସ୍ତକୁ ନେଇ କୌଣସି ସଠିକ୍‌ ସୂଚନା ନାହିଁ। କେବେ ଆସିବେ ତାର କୌଣସି ଯୋଜନା ହୋଇନଥିବା ରେଙ୍ଗଲି କହିଛନ୍ତି। ତେବେ ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ରହିବେନି ବୋଲି ସେ ସ୍ପଷ୍ଟ କରିିଥିଲେ।

ପୁରସ୍କାର ୨୭୦୦ କୋଟି
ମସ୍କୋ: ଚଳିତ ବର୍ଷର ଫିଫା ବିଶ୍ୱକପ୍‌ରେ ମୋଟ ୪୦୦ ନିୟୁତ ଡଲାର ବା ପାଖାପାଖି ୨୭୦୦ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ। ଯାହା ବ୍ରାଜିଲରେ ଆୟୋଜିତ ଗତ ବିଶ୍ୱକପ୍‌ର ପୁରସ୍କାର ରାଶିଠାରୁ ପ୍ରାୟ ୧୨ ପ୍ରତିଶତ ଅଧିକ। ବ୍ରାଜିଲ ବିଶ୍ୱକପ୍‌ରେ ମୋଟ ୩୫୮ ନିୟୁତ ଡଲାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ତା’ ସହିତ ବିଶ୍ୱକପ୍‌ ପ୍ରସ୍ତୁତି ପାଇଁ ସବୁ ଅଂଶଗ୍ରହଣକାରୀ ଦଳକୁ ଫିଫା ୧.୫ ନିୟୁତ ଡଲାର ଲେଖାଏଁ ଦେଇ ସାରିଛି। ଏଥରର ବିଜେତା ୩୮ ନିୟୁତ ଡଲାର ବା ପାଖାପାଖି ୨୫୭ କୋଟି ଟଙ୍କା ପାଇବ। ଉପବିଜେତା ୧୮୯ କୋଟି, ତୃତୀୟ ସ୍ଥାନରେ ରହିଥିବା ଦଳ ୧୬୨ କୋଟି ଏବଂ ଚତୁର୍ଥ ସ୍ଥାନରେ ରହିବା ଦଳ ୧୪୮ କୋଟି ଟଙ୍କା ପାଇବ। କ୍ୱାର୍ଟର ଫାଇନାଲ୍‌ ପ୍ରବେଶ ପାଇଁ ୧୦୮କୋଟି, ଶ୍ରେଷ୍ଠ ୧୬ ମଧ୍ୟରେ ପ୍ରବେଶ କଲେ ୮୧ କୋଟି ଏବଂ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଉଥିବା ଦଳଗୁଡ଼ିକୁ ୫୪ କୋଟି ଟଙ୍କା ଲେଖାଏଁ ମିଳିବ।

ସମ୍ବନ୍ଧିତ ଖବର