ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମସ୍ଥିତ ହକି କମ୍ପ୍ଲେକ୍ସରେ ଚାଲିଥିବା ପୁରୁଷ ଏଫ୍ଆଇଏଚ୍ ସରିଜ୍ ଫାଇନାଲ୍ସରେ ଆମେରିକା ଦ୍ବିତୀୟ ବିଜୟ ସହ ନକ୍ଆଉଟ୍ ସ୍ଥାନ ପକ୍କା କରିଛି। ଶନିବାର ମୁକାବିଲାରେ ଆମେରିକା ୯-୦ ଗୋଲ୍ ବ୍ୟବଧାନରେ ମେକ୍ସିକୋକୁ ପରାସ୍ତ କରିଛି। ପ୍ରଥମ ମୁକାବିଲାରେ ଏହି ଦଳ ୨-୦ ଗୋଲ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଆମେରିକା ସୋମବାର ତା'ର ଶେଷ ଲିଗ୍ ମ୍ୟାଚ୍ ଜାପାନ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ଜିତିଲେ ଗ୍ରୁପ୍-ବି’ର ଶୀର୍ଷ ଦଳ ଭାବେ ସିଧାସଳଖ ସେମିଫାଇନାଲ୍କୁ ଉନ୍ନୀତ ହେବ। ଶନିବାର ମ୍ୟାଚ୍ର ତୃତୀୟ ମିନିଟ୍ରେ ମାଇକେଲ୍ ବାରମିନ୍ସ୍କିଙ୍କ ଗୋଲ୍ରେ ଆମେରିକା ପ୍ରାରମ୍ଭିକ ଅଗ୍ରଣୀ ପାଇଥିଲା। ଜୁଲିଆନ୍ କ୍ରୁନେନ୍ବ୍ରର୍ଗସ (୧୪ ମିନିଟ୍) ଦଳ ପାଇଁ ଦ୍ବିତୀୟ ଗୋଲ୍ ଦେଇ ଆମେରିକାକୁ ପ୍ରଥମ କ୍ବାର୍ଟର୍ରେ ୨-୦ରେ ଆଗୁଆ ରଖିଥିଲେ। ଦ୍ବିତୀୟ କ୍ବାର୍ଟର୍ରେ ନିଜର ୧୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବା ସନ୍ଦୀନ ଟେଲର (୩୦ ମିନିଟ୍)ଙ୍କ ଗୋଲ୍ରେ ଆମେରିକା ପ୍ରଥମାର୍ଧ ସୁଦ୍ଧା ୩-୦ ଅଗ୍ରଣୀ ପାଇଥିଲା। ଏହାପରେ ତୃତୀୟ କ୍ବାର୍ଟର୍ରେ ସିଅନ୍ ସିଚ୍ଚି (୩୭ ମିନିଟ୍), ଅଲବର୍ଟୋ ମୋଣ୍ଟିଲା (୩୯ ମିନିଟ୍) ଓ କ୍ରିଷ୍ଟିଆନ୍ ଡି’ଆଞ୍ଜେଲିସ୍ (୪୨ ମିନିଟ୍) ଗୋଟିଏ ଲେଖାଏ ଗୋଲ୍ ଦେଇ ଆମେରିକାକୁ ବଡ଼ ବିଜୟ ଆଡ଼କୁ ଆଗେଇ ନେଇଥିଲେ। ତୃତୀୟ କ୍ବାର୍ଟର୍ ସୁଦ୍ଧା ୬-୦ରେ ଆଗୁଆ ହେବା ପରେ ଚତୁର୍ଥ ତଥା ଶେଷ କ୍ବାର୍ଟର୍ରେ ଆମେରିକା ଆଉ ୩ ଗୋଲ୍ ଲଦି ଦେଇଥିଲା। ଶେଷ କ୍ବାର୍ଟର୍ରେ ସିଅନ୍ ସଚ୍ଚି (୫୨ ମିନିଟ୍) ଏବଂ ମାଇକେଲ୍ ବାରମିନ୍ସ୍କି (୫୩ ମିନିଟ୍) ଆଉ ଗୋଟିଏ ଲେଖାଏ ଗୋଲ୍ ଦେଇ ବ୍ୟକ୍ତିଗତ ଯୁଗଳ ସଫଳତା ପାଇଥିଲା ବେଳେ ୬୦ତମ ମିନିଟ୍ରେ ୱିଲିୟମ ହଲ୍ଟ ଦଳ ପାଇଁ ଶେଷ ଗୋଲ୍ ଦେଇଥିଲେ। ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ସିଅନ୍ ସଚ୍ଚିଙ୍କୁ ମିଳିଥିଲା। ମ୍ୟାଚ୍ ଆରମ୍ଭରୁ ଭାରତୀୟ ମହିଳା ଫୁଟ୍ବଲ୍ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଖେଳାଳିମାନଙ୍କ ସହ ପରିଚିତ ହୋଇଥିଲେ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଉଦ୍ଘାଟନୀ ମ୍ୟାଚ୍ରେ ଆହତ ହୋଇଥିବା ଭାରତୀୟ ବଂଶୋଭବ ଆମେରିକା ଅଧିନାୟକ ଅଜାଇ ଧଡୱାଲ୍ ଶନିବାର ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ସେ ଗୁରୁବାର ମ୍ୟାଚ୍ର ଦ୍ବିତୀୟ କ୍ବାର୍ଟର୍ରେ ଆହତ ହୋଇ ପଡ଼ିଆ ଛାଡ଼ିଥିଲେ। ମେକ୍ସିକୋ ବିପକ୍ଷ ମ୍ୟାଚ୍ ଲାଗି ତାଙ୍କ ସ୍ଥାନରେ ସନ୍ଦୀନ ଟେଲର ଆମେରିକା ଦଳରେ ସାମିଲ ହୋଇଥିଲେ। ସନ୍ଦୀନଙ୍କ ଏହା ୧୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ହୋଇଥିଲା ଏହି ମ୍ୟାଚ୍ର ୩୦ତମ ମିନିଟ୍ରେ ସନ୍ଦୀନ ଗୋଟିଏ ଗୋଲ୍ ଦେଇ ନିଜର ଶତକୀୟ ମ୍ୟାଚ୍କୁ ସ୍ମରଣୀୟ କରିଥିଲେ।