ଆମେରିକାର ଆଧିପତ୍ୟ; ଭାରତ ୪୮ତମ

ବର୍‌ମୁଡା, ଫିଲିପାଇନ୍ସ ଓ କାତାରକୁ ପ୍ରଥମ ଅଲିମ୍ପିକ୍‌ ସ୍ବର୍ଣ୍ଣ

ଟୋକିଓ: ଜାପାନରେ ୨୦୫ ଦେଶ ଓ ଏକ ଅଲିମ୍ପିକ୍‌ ଶରଣାର୍ଥୀ ଦଳର ମୋଟ ୧୧,୦୯୦ ଆଥ୍‌ଲେଟ୍‌ଙ୍କ ଅଂଶଗ୍ରହଣ ମଧ୍ୟରେ ଆୟୋଜିତ ଟୋକିଓ ୨୦୨୦ ଅଲିମ୍ପିକ୍ସ ରବିବାର ଉଦ୍‌ଯାପିତ ହୋଇଯାଇଛି। ଅଲିମ୍ପିକ୍‌ ଷ୍ଟାଡିୟମ୍‌ରେ କରୋନା କଟକଣ‌ା ମଧ୍ୟରେ ଜୁଲାଇ ୨୩ ତାରିଖରୁ ୧୭ ଦିନ ଧରି ଚାଲିଥିବା ଏହି କ୍ରୀଡ଼ା ମହାକୁମ୍ଭରେ ୩୩ କ୍ରୀଡ଼ା ଶୃଙ୍ଖଳରେ ୩୩୯ ଇଭେଣ୍ଟ ସ୍ଥାନ ପାଇଥିଲା। ଟୋକିଓ କ୍ରୀଡ଼ା‌ରେ ଆୟୋଜକ ଜାପାନି ଅଲିମ୍ପିକ୍‌ କମିଟି ଦ୍ବାରା ବେସ୍‌ବଲ୍‌ ଓ ସଫ୍ଟ ବଲ୍‌, କରାଟେ, ସ୍ପୋର୍ଟସ କ୍ଲାଇମ୍ବିଂ, ସର୍ଫିଂ ଓ ସ୍କେଟ୍‌ବୋର୍ଡିଂ ସାମିଲ କରାଯାଇଥିଲା ବେଳେ ଏଥିରୁ କରାଟେ, ସ୍ପୋର୍ଟସ କ୍ଲାଇମ୍ବିଂ, ସର୍ଫିଂ ଓ ସ୍କେଟ୍‌ବୋର୍ଡିଂ ଅଲିମ୍ପିକ୍‌ ପଦାର୍ପଣ କରିଥିଲା। ସେହିପରି ମାଡିସନ୍‌ ସାଇକ୍ଲିଂ (ପୁରୁଷ) ଅଲିମ୍ପିକ୍‌କୁ ଫେରିଥିଲା ବେଳେ ଏହାର ମହିଳା ଇଭେଣ୍ଟ ପ୍ରଥମ ଥର ଲାଗି ପ୍ରଚଳିତ ହୋଇଥିଲା। ଏଥି ସହିତ ଚତୁର୍ଥ ଥର ଲାଗି ସଫଳତାର ସହ ଅଲିମ୍ପିକ୍‌ ଆୟୋଜନ କରିବାର ଗୌରବ ବହନ କରିଥିଲା ଜାପାନ। ଜାପାନ ଏହାପୂର୍ବରୁ ୧୯୬୪ (ଟୋକିଓ), ୧୯୭୨ (ସାପୋରୋ) ଏବଂ ନାଗାନୋ (୧୯୯୮) ଅଲିମ୍ପିକ୍ସ ଆୟୋଜନ କରିଥିଲା।

ବୁର୍କିନା ଫାସୋ, ସାନ୍‌ ମାରିନୋ ଓ ତୁର୍କମେନିସ୍ତାନ ଜିତିଲେ ପ୍ରଥମ ଅଲିମ୍ପିକ୍‌ ପଦକ

ଟୋକିଓ ଅଲିମ୍ପିକ୍ସରେ ପଦକ ହାସଲ କ୍ଷେତ୍ରରେ ଆମେରିକାର ଆଧିପତ୍ୟ ଦେଖିବାକୁ ମିଳିଛି। ଏହି ଦେଶ ପଦକ ସଂଖ୍ୟାରେ ଶତକ ପୂରଣ କରି ପ୍ରଥମ ସ୍ଥାନରେ ରହିଛି। ୩୯ ସ୍ବର୍ଣ୍ଣ, ୪୧ ରୌପ୍ୟ ଓ ୩୩ କାଂସ୍ୟ ସହିତ ମୋଟ ୧୧୩ ପଦକ ଅକ୍ତିଆର କରି ନିଜର ପ୍ରଭାବ ଛାଡ଼ିଛି। ଏଥି ସହିତ ଆମେରିକା ମଧ୍ୟ ଏହି କ୍ରୀଡ଼ା ମହାକୁମ୍ଭରେ ପଦକ ତାଲିକାରେ ପ୍ରତିଦ୍ବନ୍ଦ୍ବୀ ଚୀନ୍‌କୁ ପଛକୁ ଠେଲିଦେଇଛି। ଚୀନ୍‌ (୩୮+୩୨+୧୮) ୮୮ ପଦକ ସହ ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ମୋଟ ପଦକରେ ଆମେରିକାଠୁ ୨୫ ପଛରେ ରହିଯାଇଛି। ଆୟୋଜକ ଜାପାନ (୨୭+୧୪+୧୭) ମୋଟ ୫୮ ପଦକ ସହ ତାଲିକାର ତୃତୀୟରେ ରହିଛି। ଅନ୍ୟପକ୍ଷରେ ଲଣ୍ଡନ ଅଲିମ୍ପିକ୍ସର ପ୍ରଦର୍ଶନକୁ ପଛରେ ପକାଇ ଦେଇଥିବା ଭାରତ ଟୋକିଓରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇ ପଦକ ତାଲିକାର ୪୮ତମ ସ୍ଥାନ ଅକ୍ତିଆର କରିନେଇଛି। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ୬ ପଦକ ଜିତିଥିବା ଭାରତ ଟୋକିଓରେ ୭ ପଦକ ଅମଳ କରିନେଇଛି। ଗୋଟିଏ ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୪ କାଂସ୍ୟ ପଦକ ଜିତି ଅଲିମ୍ପିକ୍ସରେ ଭାରତର ଭବିଷ୍ୟତ ଉଜ୍ଜଳ ବୋଲି ଆଥ୍‌ଲେଟ୍‌ମାନେ ପ୍ରମାଣିତ କରିଦେଇଛନ୍ତି।

ଟୋକିଓ କ୍ରୀଡ଼ାରେ ମୋଟ ୨୦୫ ଦେଶ ଓ ଗୋଟିଏ ଅଲିମ୍ପିକ୍‌ ଶରଣାର୍ଥୀ ଦଳ ଅଂଶଗ୍ରହଣ କରିଥିଲା ବେଳେ ସେମାନଙ୍କ ମଧ୍ୟରୁ ୯୩ ଦେଶ ପଦକ ତାଲିକାରେ ନିଜ ନିଜର ନାମକୁ ଯୋଡ଼ିପାରିଛନ୍ତି। ହେଲେ ଅଲିମ୍ପିକ୍‌ ଶରଣାର୍ଥୀ ଦଳ ବ୍ୟତୀତ ୧୧୨ ଦେଶ ପଦକ ଶୂନ୍ୟ ରହି ସ୍ବଦେଶ ବାହୁଡ଼ିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଏହି ଟୋକିଓରେ ବର୍‌ମୁଡ଼ା, ଫିଲିପାଇନ୍ସ ଓ କାତାର ସେମାନଙ୍କର ପ୍ରଥମ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ଜିତିବାର ଗୌରବ ବହନ କରିଥିଲା ବେଳେ ବୁର୍କିନା ଫାସୋ, ସାନ୍‌ ମାରିନୋ ଓ ତୁର୍କମେନିସ୍ତାନ ସେମାନଙ୍କର ପ୍ରଥମ ଅଲିମ୍ପିକ୍‌ ପଦକ ହାସଲ କରିଛନ୍ତି। ବର୍‌ମୁଡ଼ା ପଦକ ଭାବେ ମାତ୍ର ଗୋଟିଏ ସ୍ବର୍ଣ୍ଣ ଜିତି ତାଲିକାର ୬୩ତମ ସ୍ଥାନ ପାଇଥିଲା ବେଳେ ଫିଲିପାଇନ୍ସ ୪ (୧ ସ୍ବର୍ଣ୍ଣ, ୨ ରୌପ୍ୟ, ୧ କାଂସ୍ୟ) ଏବଂ କାତାର ୩ (୨ ସ୍ବର୍ଣ୍ଣ, ୧ କାଂସ୍ୟ) ପଦକ ଜିତି ଯଥା‌କ୍ରମେ ୫୦ ଓ ୪୦ତମ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ବୁର୍କିନା ଫାସୋ ୧ (୧ କାଂସ୍ୟ), ସାନ୍‌ ମାରିନୋ ୩ (୧ ରୌପ୍ୟ, ୨ କାଂସ୍ୟ) ଏବଂ ତୁର୍କମେନିସ୍ତାନ ୧ (୧ ରୌପ୍ୟ) ପଦକ ଜିତି ତାଲିକାରେ ଯଥାକ୍ରମେ ୮୭, ୭୩ ଓ ୮୨ତମ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି।

ସମ୍ବନ୍ଧିତ ଖବର