ଓସିଏ ନିର୍ବାଚନ ପାଇଁ ଆଶା ଦେଲେ ଆମିକସ୍‌ କ୍ୟୁରି

ଆନ୍ତର୍ଜାତିକ ଖେଳାଳି ଦେଇଥିବା କ୍ଲବ୍‌ଙ୍କୁ ସଦସ୍ୟତା ମିଳିବ, ସ୍ବତନ୍ତ୍ର ଅନୁଦାନ ଚିତ୍ର ଅସ୍ପଷ୍ଟ, ବାରବାଟୀ ମରାମତି ବିଳମ୍ବ ହେବ
କଟକ: ଓଡ଼ିଶା କ୍ରିକେଟ ସ˚ଘ (ଓସିଏ)ର ନିର୍ବାଚନ ପାଇଁ ପୁଣି ଥରେ ଆଶା ସ˚ଚାର ହୋଇଛି। ଓସିଏ ସମସ୍ତ ସଦସ୍ୟ ତାଲିକା ଆମିକସ୍‌ କ୍ୟୁରିଙ୍କୁ ଦେଇସାରିଛି। ତେବେ ଶୁକ୍ରବାର ଓସିଏର ବର୍ତ୍ତମାନର ସ୍ଥିତି ସ˚କ୍ରାନ୍ତରେ ଆମିକସ୍‌ କ୍ୟୁରି, ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲାଇ, ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା, ରାମେଶ୍ବର ସ୍ପୋର୍ଟି˚ କ୍ଲବ୍‌ ତରଫରୁ ପୂର୍ବତନ ରଣଜୀ ଖେଳାଳି ଦୀପକ ମଙ୍ଗରାଜ, ଆଇନଜୀବୀ ଅଶୋକ ପାଣିଗ୍ରାହୀ ଓ ଆର‌୍‌ ଚନ୍ଦ୍ରଚୂଡଙ୍କ ସହ ଆଲୋଚନା କରିଥିଲେ। ସମସ୍ତେ କୌଣସି ସମସ୍ୟା ନଥିବା ବିଷୟରେ କହିଥିଲା ବେଳେ ତୁରନ୍ତ ନିର୍ବାଚନ କରାଇବା ପାଇଁ ଗୁହାରି ଜଣାଇଥିଲେ। ଏହାକୁ ଆମିକସ୍‌ କ୍ୟୁରି ମଧ୍ୟ ହୃଦ୍‌ବୋଧ କରିଥିଲେ। ପାଣ୍ଠି ଅଭାବରୁ ଓସିଏ ଏବେ ଅନେକ ସମସ୍ୟା ଭିତରେ ଗତି କରୁଛି। ଘରୋଇ ପ୍ରତିଯୋଗିତା ଠିକ୍‌ ଭାବେ କରାଯାଇପାରୁନାହିଁ। ଏପରିକି ଆମିକସ୍‌ କ୍ୟୁରିଙ୍କ ପାଖରେ ଉପସ୍ଥିତ ହେବାକୁ ଓକିଲ ନିଯୁକ୍ତି କରାଯାଇପାରୁନଥବା ଅବଗତ କରାଯାଇଥିଲା। ତେଣୁ ନିର୍ବାଚନ ବାବଦରେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅବଗତ କରାଯିବ ବୋଲି ଆମିକସ୍‌ କ୍ୟୁରି ସମସ୍ତଙ୍କୁ ପରୋକ୍ଷରେ ଜଣାଇଥିବା ଧୀରେନ୍‌ ପଲେଇ ଓ ଆଶୀର୍ବାଦ ବେହେରା କହିଛନ୍ତି। ତେଣୁ କୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ବେଳେ ନିର୍ବାଚନ ସ˚କ୍ରାନ୍ତରେ କିଛି ନିୟମାବଳୀ ଆସିପାରେ ବୋଲି ଏମାନେ ଆଶା ରଖିଛନ୍ତି।

ନିର୍ବାଚନ ସହିତ ନୂଆ ସଦସ୍ୟତା ପାଇବା ପାଇଁ ଆବେଦନ କରିଥିବା ୫୧ କ୍ଲବ୍‌ଙ୍କୁ ମଧ୍ୟ ସକାରାତ୍ମକ ସଙ୍କେତ ମିଳିଛି। ପୂର୍ବରୁ କେବଳ କଟକ ମହାନଗର ନିଗମ ଅଧିନରେ ଥିବା କ୍ଲବ୍‌ଗୁଡ଼ିକୁ ସଦସ୍ୟ ଭାବେ ଗ୍ରହଣ କରାଯିବାକୁ ନିୟମାବଳୀ ରହିଥିଲା। ହେଲେ ଏବେ ବିସିସିଆଇର ପରିବର୍ତ୍ତିତ ସମ୍ବିଧାନ ଆସିବା ପରେ ଓସିଏ ମଧ୍ୟ ଏହାର ପରିସରକୁ ବ୍ୟାପକ କରିପାରିବ ବୋଲି ଆଲୋଚନା ହୋଇଛି। ତଥାପି ଯେଉଁ କ୍ଲବ୍‌ଗୁଡ଼ିକରୁ ଆନ୍ତର୍ଜାତିକ ଖେଳାଳି ସୃଷ୍ଟି ହୋଇଛନ୍ତି, ସେଗୁଡିକୁ ଅଗ୍ରାଧିକାର ଭିତ୍ତିରେ ସଦସ୍ୟତା ଦିଆଯିବ। ତେବେ ଏଥିପୂର୍ବରୁ ବର୍ତ୍ତମାନର ସମ୍ବିଧାନ ଅନୁଯାୟୀ ପ୍ରଥମେ ନିର୍ବାଚନ କରାଯାଉ। ନିର୍ବାଚନ ପରେ ସ୍ବୀକୃତି ସମିତି ଗଠନ କରାଯାଇ ଉକ୍ତ କ୍ଲବ୍‌ଗୁଡ଼ିକୁ ସଦସ୍ୟତା ପ୍ରଦାନ କରାଯାଇପାରିବ ବୋଲି କୁହାଯାଇଛି। ହେଲେ ଓସିଏ ପଠାଇଥିବା ସମ୍ବିଧାନରେ ସ୍କୁଲ୍‌, କଲେଜମାନଙ୍କୁ କାହିଁକି ସ୍ଥାନ ଦିଆଯାଇଛି ବୋଲି ଆମିକସ୍‌ କ୍ୟୁରି ସମସ୍ତଙ୍କୁ ପଚାରିଥିଲେ। ଯେହେତୁ ସେମାନେ ଓସିଏର ପ୍ରତିଷ୍ଠାତା ସଭ୍ୟ ଏବ˚ କ୍ଲବ୍‌ଗୁଡିକ ପାଇଁ ଯେଉଁ ନିୟମାବଳୀ ରହିଛି, ତାହା ସ୍କୁଲ୍‌, କଲେଜଙ୍କ କ୍ଷେତ୍ରରେ ଲାଗୁ ହେଉଥିବାରୁ ଏମାନଙ୍କୁ ମଧ୍ୟ ସମ୍ବିଧାନରେ ନିଆଯାଇଥିବା କୁହାଯାଇଥିଲା। କିନ୍ତୁ ବିସିସିଆଇ ପ୍ରଶାସନିକ ସମିତି ସବୁକିଛି ଅସ୍ପଷ୍ଟ ରଖୁଛି। ଏକାଧିକ ମେଲ୍‌ର ଜବାବ ଦେଉନଥିଲା ବେଳେ ସାମାଜିକ କ୍ଲବ୍‌ ପାଖରେ ଅଟକି ଯାଉଛନ୍ତି। କିନ୍ତୁ ଓସିଏର ସମସ୍ତ ସଦସ୍ୟା କ୍ରିକେଟ ଖେଳୁଥିବା ଆମିକସ୍‌ କ୍ୟୁରିଙ୍କୁ ଜଣାଇ ଦିଆଯାଇଥିଲା। ତଥାପି ଜଣେ ଆଇଏଏସ୍‌ କିମ୍ବା ନ୍ୟାୟିକ ଅଧିକାରୀଙ୍କୁ ନେଇ ସର୍ଭେ କରାଯିବା ପରେ ସାମାଜିକ କ୍ଲବ୍‌ଙ୍କୁ ଅଲଗା କରାଇବା ପାଇଁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଏମାନଙ୍କୁ ପ୍ରାପ୍ୟ ଦେବାରେ ଓସିଏ ଅସମର୍ଥ ବୋଲି ଜଣାଇ ଦିଆଯାଇଥିଲା। ତେଣୁ ସବୁକିଛି ଠିକ୍‌ଠାକ୍‌ ଥିବାରୁ ନିର୍ବାଚନ ପାଇଁ ରାସ୍ତା ବାହାର କରିବାକୁ ଆମିକସ୍‌ କ୍ୟୁରିଙ୍କୁ ଅନୁରୋଧ କରାଯାଇଛି।
ଅନ୍ୟପକ୍ଷରେ ଫନି ପ୍ରଭାବରେ କ୍ଷତିଗ୍ରସ୍ତ ବାରବାଟୀ ଷ୍ଟାଡିୟମକୁ ସ୍ବତନ୍ତ୍ର ଅନୁଦାନ ଯୋଗାଇ ଦେବାକୁ ମଧ୍ୟ ଆଲୋଚନା ସମୟରେ ଅନୁରୋଧ କରାଯାଇଥିଲା। କିନ୍ତୁ ଆମିକସ୍‌ କ୍ୟୁରି ଏସ˚କ୍ରାନ୍ତରେ ଅଧିକ ଆଲୋଚନା କରିନଥିଲେ ବି ଜଣେ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ନେଇ କ୍ଷୟକ୍ଷତିର ସର୍ଭେ କରିବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ ଆମିକସ୍‌ କ୍ୟୁରି ବର୍ତ୍ତମାନ ସମାଧାନ ପାଇଁ ପ୍ରାଧାନ୍ୟ ଦେଉଥିବା ବେଳେ ସ୍ବତନ୍ତ୍ର ଅନୁଦାନ ନେଇ କୌଣସି ସକାରାତ୍ମକ ସଙ୍କେତ ମିଳିନଥିବା କୁହାଯାଇଛି। ଫଳରେ ବାରବାଟୀ ଷ୍ଟାଡିୟମ ମରାମତିରେ ଅନେକ ବିଳମ୍ବ ହେବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର