ସଚିନଙ୍କ ଆକଳନ, କୋହଲି-ରୋହିତଙ୍କୁ ଆକ୍ରମଣ କରିବେ ଆମିର-ୱାହାବ

ମାଞ୍ଚେଷ୍ଟର ମ୍ୟାଚ୍‌ରେ ପାକିସ୍ତାନ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନିଜ ପ୍ରଥମ ଟାର୍ଗେଟ୍‌ କରିବ। ଏଥି ପ୍ରତି ସଜାବ ରହିବାକୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଭାରତୀୟ କ୍ରିକେଟ୍ ଦଳକୁ ଚେତାଇ ଦେଇଛନ୍ତି। ତା’ ସହ ପାକିସ୍ତାନର ଏକ ନମ୍ବର ବୋଲର ମହମ୍ମଦ ଆମିରଙ୍କୁ ପାଲଟା ଆକ୍ରମଣ କରିବାକୁ ପରାମର୍ଶ ଦେଇଛନ୍ତି। ମୁଁ ନକାରାତ୍ମକ ଚିନ୍ତାଧାରା ସପକ୍ଷରେ ନୁହେଁ। ଆମିରଙ୍କ ବିପକ୍ଷରେ ଡଟ୍ (କୌଣସି ରନ୍ ହେଉ ନଥିବା ବଲ୍) ବଲ୍ ଖେଳିବାର ଆବଶ୍ୟକତା ନାହିଁ। ଯଦି ସୁଯୋଗ ମିଳୁଛି, ତାହାଲେ ସକାରାତ୍ମକ ରହି ନିଜ ସ୍ବାଭାବିକ ସଟ୍ ଖେଳିବାକୁ ମୁଁ ଉତ୍ସାହିତ କରିବି। ଏହା ବଞ୍ଚିବାର ସଂଘର୍ଷ ନୁହେଁ। ପଡ଼ିଆ ଭିତରକୁ ଯାଇ ସକାରାତ୍ମକ କ୍ରିକେଟ୍ ଖେଳିବା ମହତ୍ବପୂର୍ଣ୍ଣ। ଆମକୁ ସବୁ ବିଭାଗରେ ଆକ୍ରମଣାତ୍ମକ ଖେଳ ଖେଳିବାକୁ ହେବ। ଶାରୀରିକ ଭାଷା ଗୁରୁତ୍ବପୂର୍ଣ୍ଣ। ଆତ୍ମବିଶ୍ବାସର ସହ ଖେଳିଲେ ଆପଣ ନିଜ ନିୟନ୍ତ୍ରଣରେ ଅଛନ୍ତି ବୋଲି ବୋଲର ମଧ୍ୟ ହୃଦୟଙ୍ଗମ କରନ୍ତି। ଆମିର ଏବଂ ୱାହାବ ରିଆଜ ଭାରତକୁ ପ୍ରାରମ୍ଭିକ ଝଟକା ଦେବାକୁ ନିଶ୍ଚିତ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବେ। ହେଲେ ରୋହିତ ଓ କୋହଲି ବଡ଼ ପାଳି ଖେଳିବା ଯୋଜନାରେ ରହିବା ଦରକାର। ଅନ୍ୟମାନେ ସେମାନଙ୍କ ଚାରିପଟେ ଖେଳିବେ ବୋଲି ସଚିନ କହିଛନ୍ତି।

-ଚାପ ପରିଚାଳନା ପ୍ରମୁଖ ପାର୍ଥକ୍ୟ
ଭାରତ-ପାକିସ୍ତାନ ‌ମହା‌ଲଢ଼େଇର ଦୁଇ ଦିନ ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଦୁଇ ଦଳ ମଧ୍ୟରେ ଥିବା ପାର୍ଥକ୍ୟକୁ ଚିହ୍ନଟ କରିଛନ୍ତି। ଚାପରେ ନିଜ ସ୍ବାଭାବିକ ଖେଳ ଖେଳିବା ହିଁ ଭାରତ ଓ ପାକିସ୍ତାନ ମଧ୍ୟରେ ସବୁଠୁ ବଡ଼ ପାର୍ଥକ୍ୟ ବୋଲି ସଚିନ କହିଛନ୍ତି। ଏହି କ୍ରମରେ ସେ ପାକିସ୍ତାନ-ଅଷ୍ଟ୍ରେଲିଆ ମ୍ୟାଚ୍‌ର ଉଦାହରଣ ଦେଇଛନ୍ତି। ସଚିନ କହିଛନ୍ତି ମୁଁ ଅଷ୍ଟ୍ରେଲିଆ-ପାକିସ୍ତାନ ମ୍ୟାଚ୍ ଦେଖୁଥିଲି। ପାକିସ୍ତାନ ବହୁତ ଗୁଡ଼ିଏ ଭାଗୀଦାରି କରିଥିଲା। ହେଲେ ଠିକଣା ସମୟରେ ୱିକେଟ୍ ଫିଙ୍ଗି ଦେଇଥିଲା। ଏହି ମ୍ୟାଚ୍‌ର ପ୍ରଭାବ ସେମାନଙ୍କ ମନ ଉପରେ ଥିବ। ଆମେ ୱିକେଟ୍ ହରାଇବା କଥା ନୁହେଁ, ମ୍ୟାଚ୍ ହାରିବା ଅନୁଚିତ। ଏମିତି ଭାବନା ହିଁ ପାକିସ୍ତାନ ପାଇଁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଭାରତୀୟ କ୍ରିକେଟ୍ ଦଳ କ୍ଷେତ୍ରରେ ଏମିତି ସ୍ଥିତି ଆପଣ କ୍ବଚିତ ଦେଖିବାକୁ ପାଇବେ। ବ୍ୟାଟିଂ, ବୋଲିଂ ଓ କ୍ଷେତ୍ରରକ୍ଷଣ ଭାରତ ସବୁ କ୍ଷେତ୍ରରେ ଶକ୍ତିଶାଳୀ। ସବୁକିଛି ଠିକ୍ ରହିଲେ ଭାରତକୁ ହରାଇବା ଆଦୌ ସହଜ ନୁହେଁ। ରବିବାର ଏହି ଧାରା ଜାହି ରହିବ ‌େବାଲି ମୁଁ ଭାବୁଛି।

-ଧାୱନ ଆହୁରି ଶକ୍ତିଶାଳୀ ହୋଇ ଫେରିବେ
ଧାୱନ ଜଣେ ଲଢ଼ୁଆ ଯୋଦ୍ଧା। ସେ ଆହୁରି ଶକ୍ତିଶାଳୀ ହୋଇ ଫେରିବେ। ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନଙ୍କ ଆଘାତ ଜନିତ ସମସ୍ୟା ନେଇ ଚାଲିଥିବା ପ୍ରସଙ୍ଗରେ ନିଜ ମତ ରଖି ସଚିନ ତେନ୍ଦୁଲକର ଏହା କହିଛନ୍ତି। ଧାୱନ ସଂପୂର୍ଣ୍ଣ ସୁସ୍ଥ ନହେଲେ ମଧ୍ୟ ପଡ଼ିଆକୁ ଓହ୍ଲାଇପାରିବେ ବୋଲି ସଚିନ ଆଶା ପ୍ରକାଶ କରିଥିଲେ। ଏହି ଅବସରରେ ସେ ନିଜ ୨୦୦୯ର ନ୍ୟୁଜିଲାଣ୍ଡ ଗସ୍ତକୁ ମନେ ପକାଇଥିଲେ। ଆଙ୍ଗୁଠି ଭାଙ୍ଗିବା ସତ୍ତ୍ବେ ସେହି ଗସ୍ତରେ ସଚିନ ଅଧିକାଂଶ ମ୍ୟାଚ୍ ଖେଳିଥିଲେ। ଆବଶ୍ୟକ ହେଲେ ଧାୱନ ମଧ୍ୟ ତାହା କରି ପାରିବେ ବୋଲି ସଚିନ କହିଛନ୍ତି। ଧାୱନ ଏବେ ଖେଳିବାର ସେତେଟା ଆବଶ୍ୟକତା ବି ନାହିଁ। ସେମିଫାଇନାଲ୍ ଏବଂ ଫାଇନାଲ୍ ବେଳକୁ ତାଙ୍କ ଉପସ୍ଥିତି ଅଧିକ ଦରକାର ପଡ଼ିବ। ତା’ ଭିତରେ ସେ ସୁସ୍ଥ ହୋଇ ଯାଇଥିବେ ବୋଲି ମୁଁ ଭାବୁଛି। ବ୍ୟାଟିଂ ବେଳେ ଆଙ୍ଗୁଠିରେ ଅଳ୍ପ ଆଘାତ ଲାଗିଥାଏ। ହେଲେ କ୍ଷେତ୍ରରକ୍ଷଣ ବେଳେ ଏହାର ଉପଯୋଗ ଅଧିକ ହୋଇଥାଏ। ଏହାକୁ ନେଇ ହିଁ ମୁଁ ଚିନ୍ତିତ। ଫିଜିଓ ପ୍ୟାଟ୍ରିକ୍ ଫରହତ୍ ଏହାକୁ ଧ୍ୟାନରେ ରଖିଥିବେ ବୋଲି ସଚିନ କହିଥିଲେ।

ସମ୍ବନ୍ଧିତ ଖବର