ଅମିତ ଓ ବ୍ରଜଭୂଷଣ ପାଇବେ ଓସ୍‌ଜା ପୁରସ୍କାର

ଭୁବନେଶ୍ବର: ଅନ୍ତର୍ଜାତୀୟ ହକି ତାରକା ଅମିତ ରୋହିଦାସ ଏବଂ ପ୍ରଥମ ଓଡ଼ିଆ ଦ୍ରୋଣାଚାର୍ଯ୍ୟ ବିଜେତା ବ୍ରଜଭୂଷଣ ମହାନ୍ତିଙ୍କୁ ମିଳିବ ଏଥରର ଓସ୍‌ଜା ବାର୍ଷିକ ପୁରସ୍କାର। ଅମିତ ୨୦୧୮ ମସିହାର ଶ୍ରେଷ୍ଠ ଖେଳାଳି ଏବଂ ବ୍ରଜଭୂଷଣ କ୍ରୀଡ଼ା‌କ୍ଷେତ୍ରକୁ ଜୀବନବ୍ୟାପୀ ଅବଦାନ ଲାଗି ଏହି ପୁରସ୍କାର ପାଇବେ। ଉଭୟଙ୍କୁ ୨୫,୦୦୦ ଟଙ୍କା ଲେଖାଏଁ ସହିତ ସମ୍ମାନପତ୍ର ପ୍ରଦାନ କରାଯିବ। ଚଳିତ ଜୁନ୍‌ ୨୯ ତାରିଖରେ ଭୁବନେଶ୍ବରଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ମର୍ଯ୍ୟଦାଜନକ ପୁରସ୍କାର ଉତ୍ସବ ଅନୁଷ୍ଠିତ ହେବ। ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)ର ଏହି ବାର୍ଷିକ ପୁରସ୍କାର ପରମ୍ପରା ଗତବର୍ଷଠାରୁ ଆରମ୍ଭ ହୋଇଥିବା ବେଳେ ପ୍ରଥମ ବିଜେତା ଥିଲେ ହେପ୍ଟାଥଲେଟ୍ ପୂର୍ଣ୍ଣିମା ହେମ୍ବ୍ରମ ଏବଂ ଫୁଟବଲ୍ ବ୍ୟକ୍ତିତ୍ବ ଦେବ ପ୍ରସାଦ ସିଂହ।

ପାନପୋଷ ସରକାରୀ ହକି ଛାତ୍ରାବାସରୁ ବାହାରିଥିବା ଅମିତ ରୋହିଦାସ ଭାରତୀୟ ଦଳର ନିୟମିତ ସଦସ୍ୟ ଭାବେ ଏବେସୁଦ୍ଧା ୭୮ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ସାରିଛନ୍ତି। ୨୦୧୩ ଇପୋ ଏସିଆ କପ୍ ରୌପ୍ୟ ପଦକରୁ ଅନ୍ତର୍ଜାତୀୟ ସଫଳତା ପାଇଥିବା ଅମିତ ୨୦୧୭ ମସିହାରେ ଢାକାରେ ଏସିଆ କପ୍ ବିଜେତା ଦଳର ସଦସ୍ୟ ଥିଲେ। ୨୦୧୮ ମସିହାରେ ବ୍ରେଡା ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ରୌପ୍ୟ ପଦକ, ଜାକର୍ତା ଏସୀୟ କ୍ରୀଡ଼ାରେ କାଂସ୍ୟ, ୨୦୧୭ରେ ଭୁବନେଶ୍ବର ବିଶ୍ବଲିଗ୍ ଫାଇନାଲ୍‌ସ ଏବଂ ୨୦୧୮ ଭୁବନେଶ୍ବର ପୁରୁଷ ହକି ବିଶ୍ବକପ୍‌ରେ ଭାରତର ପ୍ରତିନିଧିତ୍ବ କରିଥିଲେ। ଗତ ସପ୍ତାହରେ ଭୁବନେଶ୍ବରଠାରେ ଶେଷ ହୋଇଥିବା ଏଫଆଇଏଚ୍ ସିରିଜ୍ ଫାଇନାଲ୍ସରେ ସ୍ବର୍ଣ୍ଣ ବିଜୟୀ ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଥିଲେ ୨୬ ବର୍ଷୀୟ ଅମିତ।ଅନ୍ୟପକ୍ଷରେ ଗଞ୍ଜାମର ପାଣିପବନରେ ବଢ଼ିଥିବା ବ୍ରଜଭୂଷଣ ମହାନ୍ତି ୨୦୧୭ ପ୍ରଥମ ଓଡ଼ିଆ ଭାବେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ହାସଲ କରିଥିଲେ। ସେନାବାହିନୀରୁ ଅବସରପ୍ରାପ୍ତ ବ୍ରଜଭୂଷଣ ଦେଶକୁ ଏକାଧିକ ଅନ୍ତର୍ଜାତୀୟ ମୁଷ୍ଟିଯୋଦ୍ଧା ପ୍ରଦାନ କରିଥିଲେ। ଶିବ ଥାପ୍ପା, ଡିଙ୍ଗ୍‌କୋ ସିଂହ, ଗୁରୁଚରଣ ସିଂହ ଏବଂ ବିକାଶ କ୍ରିଷ୍ଣନ ଯାଦବଙ୍କ ଭଳି ଖେଳାଳି ବ୍ରଜଭୂଷଣଙ୍କ ପ୍ରଶିକ୍ଷିତ। ୨୦୦୨ ମସିହାରୁ ୨୦୧୧ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ରଶିକ୍ଷକ ଭାବେ ଦାୟିତ୍ବ ତୁଲାଇ ଅନେକ ସଫଳତା ଅର୍ଜନ କରିଥିଲେ।

ସମ୍ବନ୍ଧିତ ଖବର