ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚମକ ଫେରିପାଇବା ଆଶାରେ ଅମିତ ଓ ଲଭ୍‌ଲିନା

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମୁଷ୍ଟିଯୁଦ୍ଧ ଦଳରେ ସାମିଲ ହୋଇଥିବା ଅମିତ ପଂଘଲ ଏବଂ ଲଭ୍‌ଲିନା ବୋର୍ଗୋହେଁ ନିଜ ନିଜର ପୂର୍ବ ଚମକ ଫେରିପାଇବା ଆଶା ବାନ୍ଧିଛନ୍ତି। ଅମିତ ଗତ ଟୋକିଓ ଅଲିମ୍ପିକ୍ସରେ ନୈରାଶ୍ୟଜନକ ପ୍ରଦର୍ଶନ କରିବା ପରେ ଏବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତାହାକୁ ଭରଣା କରିବା ପାଇଁ ଦୃଢ଼ ଆଶାବାଦୀ ଅଛନ୍ତି। ସେହିପରି ଗତବର୍ଷ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିବା ସତ୍ତ୍ବେ ବିଶ୍ବ ପ୍ରତିଯୋଗିତାରେ ନିରାଶ ହୋଇଥିବା ଲଭ୍‌ଲିନା ମଧ୍ୟ ଭାରତକୁ ଗର୍ବିତ କରିବା ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଅପେକ୍ଷା କରିଛନ୍ତି। ତେବେ ଏବର ବିଶ୍ବ ବିଜେତା ନିଖତ ଜାରିନ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିବ।

ଏହି ତେଲେଙ୍ଗାନା ମହିଳା ମୁଷ୍ଟିଯୋଦ୍ଧା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତାଙ୍କ ସ୍ବର୍ଣ୍ଣିମ ସଫଳତା ଧାରା ଲମ୍ବାଇବା ଲକ୍ଷ୍ୟରେ ରହିଛନ୍ତି। ନିଖତ ଜାତୀୟ ପ୍ରତିଯୋଗିତାରେ ବିଜେତା ହେବା ସାଙ୍ଗକୁ ସମ୍ମାନଜନକ ଷ୍ଟ୍ରାଞ୍ଜା ସ୍ମାରକୀ ପ୍ରତିଯୋଗିତା ଏବଂ ବିଶ୍ବ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। କିନ୍ତୁ ଏଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତାଙ୍କୁ ଭିନ୍ନ ଆହ୍ବାନର ସାମ୍‌ନା କରିବାକୁ ପଡ଼ିବ। ସେ ପୂର୍ବରୁ ୫୨ କେଜିରେ ପ୍ରତିଦ୍ବନ୍ଦ୍ବିତା କରିଥିଲା ବେଳେ ଆଗାମୀ ରାଜ୍ୟ‌ଗୋଷ୍ଠୀ କ୍ରୀଡ଼ାରେ ୫୦ କେଜିକୁ ବାଛିଛନ୍ତି। ପ୍ୟାରିସ୍‌ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ସେ ଓଜନ ବର୍ଗ ବଦଳାଇଥିବା କହିଛନ୍ତି ତାଙ୍କ ପ୍ରଶିକ୍ଷକମଣ୍ଡଳୀ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପରେ ପ୍ୟାରିସ୍‌ ଅଲିମ୍ପିକ୍ସରେ ପ୍ରକୃତରେ ନିଖତ କେଉଁ ଓଜନ ବର୍ଗରେ ପ୍ରତିନିଧିତ୍ବ କରିବେ ତାହା ପ୍ରଶିକ୍ଷକମାନେ ଆକଳନ କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଦଳରେ ସାମିଲ ଥିବା ଅଭିଜ୍ଞ ଶିବ ଥାପ୍ପା ନିଜ ଖାତାରେ ଆଉ ଏକ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ଯୋଡ଼ିବା‌ ପାଇଁ ଦୃଢ଼ ବିଶ୍ବାସ ରଖିଛନ୍ତି।

ମୁଷ୍ଟିଯୋଦ୍ଧା ଦଳ: (ମହିଳା) ନିତୁ (୪୮ କେଜି), ନିଖତ ଜାରିନ (୫୦ କେଜି), ଜସ୍ମିନେ (୬୦ କେଜି), ଲଭ୍‌ଲିନା ବୋର୍ଗୋହେଁ (୭୦ କେଜି)। ପୁରୁଷ: ଅମିତ ପଂଘଲ (୫୧ କେଜି), ମହମ୍ମଦ ହୁସାମୁଦ୍ଦିନ (୫୭ କେଜି), ଶିବ ଥାପ୍ପା (୬୩ କେଜି), ରୋହିତ ଟୋକାସ (୬୭ କେଜି), ଜାତୀୟ ବିଜେତା ସୁମିତ (୭୫ କେଜି), ଆଶିଷ କୁମାର (୮୦ କେଜି), ସଞ୍ଜିତ (୯୨ କେଜି), ସାଗର (୯୨+କେଜି)।

ସମ୍ବନ୍ଧିତ ଖବର