ନୂଆଦିଲ୍ଲୀ: ଭାରତୀୟ ମୁଷ୍ଟିଯୁଦ୍ଧ ମହାସଂଘ (ବିଏଫ୍ଆଇ) ସୋମବାର ବିଏଫ୍ଆଇ ବିଶ୍ବ ରୌପ୍ୟ ବିଜେତା ଅମିତ ପଙ୍ଗଲ ଏବଂ ବିକାଶ କ୍ରିଷ୍ଣନ୍ଙ୍କ ନାମ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ଲାଗି ସୁପାରିସ କରିଛି। ଅମିତ (୫୨ କେଜି) ମଧ୍ୟ ଏସୀୟ କ୍ରୀଡ଼ା ବିଜେତା। ହେଲେ ସେ କୌଣସି ପ୍ରକାର ଜାତୀୟ କ୍ରୀଡ଼ା ପୁରସ୍କାର ଏ ପର୍ଯ୍ୟନ୍ତ ପାଇ ନାହାନ୍ତି। ତାଙ୍କ ନାମ ଗତ ୩ ବର୍ଷ ହେଲା ଅର୍ଜୁନ ପୁରସ୍କାର ଲାଗି ସୁପାରିସ କରାଯାଉଛି। ହେଲେ ୨୦୧୨ ଅନିଚ୍ଛାକୃତ ଡୋପ୍ ଅପରାଧ ଯୋଗୁଁ ତାଙ୍କ ନାମ ଚୟନକର୍ତ୍ତା ବିଚାରକୁ ନେଉନଥିଲେ। ରାଜ୍ୟଗୋଷ୍ଠୀ ଓ ଏସୀୟ ସ୍ବର୍ଣ୍ଣ ବିଜେତା ବିକାଶ (୬୯ କେଜି) ୨୦୧୨ରେ ଅର୍ଜୁନ ପୁରସ୍କାର ପାଇଥିଲେ।
ଅର୍ଜୁନ ପୁରସ୍କାର ଲାଗି ବିଏଫ୍ଆଇ ବିଶ୍ବ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିବା ଲଭଲିନା ବୋର୍ଗୋହାଁ (୬୯ କେଜି), ସିମ୍ରନଜିତ କୌର (୬୪ କେଜି), ମନୀଷ କୌଶିକ (୬୩ କେଜି)ଙ୍କ ନାମ ସୁପରାସ କରିଛି। ଦ୍ରୋଣାଚାର୍ଯ୍ୟ ପୁରସ୍କାର ଲାଗି ସଂଘ ଜାତୀୟ ମହିଳା ଦଳ ପ୍ରଶିକ୍ଷକ ମହମ୍ମଦ ଅଲି କାମର ଓ ସହପ୍ରଶିକ୍ଷକ ଛୋଟେ ଲାଲ ଯାଦବଙ୍କ ନାମ ସୁପାରିସ କରିବା ଲାଗି ଚିନ୍ତା କରିଛି। ସୁପାରିସ କରିବାର ଶେଷ ଦିନ ହେଉଛି ବୁଧବାର।