ଅମିତ ଭଣ୍ଡାରିଙ୍କୁ ଆକ୍ରମଣ ମାମଲା: ଅନୁଜ ଆଜୀବନ ବାସନ୍ଦ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ବୋଲର ତଥା ଦିଲ୍ଲୀ ୨୩ ବର୍ଷରୁ କମ୍ ଦଳର ମୁଖ୍ୟ ଚୟନକର୍ତା ଅମିତ ଭଣ୍ଡାରିଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅନୁଜ ଦେଢ଼ା ନାମକ ଜଣେ ଖେଳାଳିଙ୍କୁ ଡିଡିସିଏ (ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘ) ଆଜୀବନ ବାସନ୍ଦ କରିଛି। ଦିଲ୍ଲୀ ୨୩ ବର୍ଷରୁ କମ୍ ଦଳରେ ସ୍ଥାନ ନମିଳିବା ପରେ ଏଥିରେ ଉତ୍‌କ୍ଷିପ୍ତ ହୋଇ ଦେଢ଼ା ଗତ ସୋମବାର ଗୁଣ୍ଡା ଲଗାଇ ଅମିତଙ୍କୁ ଆକ୍ରମଣ କରିଥିଲେ। ସେ ନିଜେ ମଧ୍ୟ ଏଥିରେ ସାମିଲ ଥିଲେ। ସ୍ଥାନୀୟ ସେଣ୍ଟ ଷ୍ଟିଫେନ୍ସ ପଡ଼ିଆରେ ଦିଲ୍ଲୀ ରଣଜୀ ଦଳର ଏକ ଅଭ୍ୟାସ ମ୍ୟାଚ୍ ଚାଲିଥିଲା ବେଳେ ଅମିତଙ୍କୁ ସେହିଠାରେ ଦେଢ଼ା ଓ ତାଙ୍କ ଭଡ଼ାଟିଆ ଗୁଣ୍ଡା ହକି ଷ୍ଟିକ୍, ଲୁହାଛଡ଼ ଓ କ୍ରିକେଟ୍ ବ୍ୟାଟ୍‌ରେ ଆକ୍ରମଣ କରିଥିଲେ। ଏଥିରେ ଅମିତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ମାମଲାର ତଦନ୍ତ କରି ଦିଲ୍ଲୀ ପୁଲିସ ତୁରନ୍ତ ଦେଢ଼ାଙ୍କୁ ଗିରଫ କରିଥିଲା। ସଂପ୍ରତି ସେ ପୁଲିସ ହେପାଜତରେ ଅଛନ୍ତି। ଘଟଣା ପଦାକୁ ଆସିବା ପରେ ଦିଲ୍ଲୀର ପୂର୍ବତନ ଅଧିନାୟକ ତଥା ପୂର୍ବତନ ଭାରତୀୟ ଖେଳାଳି ଗୌତମ ଗମ୍ଭୀର ଅଭିଯୁକ୍ତଙ୍କୁ ଆଜୀବନ ବାସନ୍ଦ କରିବାକୁ ଆହ୍ବାନ କରିଥିଲେ। ଗମ୍ଭୀର, ଡିଡିସିଏ ସଭାପତି ରଜତ ଶର୍ମା ଓ ଚୟନକର୍ତାଙ୍କ ମଧ୍ୟରେ ବୈଠକ ବସିବା ପରେ ବୁଧବାର ଦେଢ଼ାଙ୍କୁ ଆଜୀବନ ବାସନ୍ଦ କରାଯାଇଛି। ଆଗକୁ ଡିଡିସିଏ ପରିଚାଳିତ କୌଣସି ପ୍ରତିଯୋଗିତାରେ ଦେଢ଼ା ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ଶର୍ମା ସ୍ପଷ୍ଟ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର