ଭୁବନେଶ୍ୱର: ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ହକି ଦଳର ଐତିହାସିକ କାଂସ୍ୟ ପଦକ ବିଜୟ ପରେ ଦଳର ପ୍ରମୁଖ ସଦସ୍ୟ ଓଡ଼ିଶା ତାରକା ଅମିତ ରୋହିଦାସଙ୍କୁ ଶୁକ୍ରବାର ଭୁବନେଶ୍ୱର ବିମାନ ବନ୍ଦରଠାରେ ଭବ୍ୟସ୍ୱାଗତ ସହ ସମ୍ବର୍ଦ୍ଧିତ କରାଯାଇଛି। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରଠାରେ ବିଧାୟକ ବାବୁ ସିଂ, ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ଅଧିକାରୀ, ହକି ଆସୋସିଏସନ୍ ଅଫ୍ ଓଡ଼ିଶାର କର୍ମକର୍ତ୍ତା ଓ ପ୍ରଶଂସକମାନେ ଅମିତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ, ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ହକି ଦଳର ଏହି ବିଜୟ ଆମ ଦେଶ, ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଦେଇଛି। ହକିକୁ ବିଶ୍ୱସ୍ତରରେ ପହଞ୍ଚାଇବା ତଥା ହକି କ୍ରୀଡ଼ାବିତ୍ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଓଡ଼ିଶା ସରକାର ସଦାସର୍ବଦା ସହଯୋଗ ପ୍ରଦାନ କରି ଆସୁଛନ୍ତି।
ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ହକି ଦଳ ଜିତିଥିବା ଏହି କାଂସ୍ୟ ପଦକ ଅନେକ ଯୁବ କ୍ରୀଡ଼ାବିତ୍ଙ୍କୁ ନିଶ୍ଚିତ ରୂପେ ପ୍ରେରଣା ଯୋଗାଇବ। ସେମାନେ କଠିନ ପରିଶ୍ରମ କରି ନିଜପାଇଁ ଏକ ସ୍ୱର୍ଣ୍ଣିମ ଭବିଷ୍ୟତର ନିର୍ମାଣ କରିବା ସହ ଦେଶ ଓ ରାଜ୍ୟ ପାଇଁ ନିଶ୍ଚିତ ରୂପେ ଗୌରବ ଅର୍ଜନ କରିପାରିବେ ବୋଲି ମୋ ଦୃଢ଼ ଆଶା ଓ ବିଶ୍ୱାସ। ଏହାପରେ ଅମିତ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ଠାରେ ପହଂଚି କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କୁ ସାକ୍ଷାତ କରିଥିଲେ। ଓଡ଼ିଶାରେ ହକିର ବିକାଶ ତଥା ଓଡ଼ିଶାର କ୍ରୀଡ଼ାବିତ୍ମାନେ ଆନ୍ତର୍ଜାତୀୟସ୍ତରରେ ଯେପରି ଭଲ ପ୍ରଦର୍ଶନ କରିପାରିବେ ସେ ନେଇ ସେ ଶ୍ରୀ ଶର୍ମାଙ୍କ ସହ ଆଲୋଚନା କରିଥିଲେ। ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଅମିତଙ୍କୁ ସମ୍ବର୍ଧିତ କରିଥିଲେ। ସନ୍ଧ୍ୟାରେ ଅମିତ୍ ନବୀନ ନିବାସରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ପ୍ୟାରିସ୍ ମାସ୍କଟ୍ ପ୍ରଦାନ କରିଥିଲେ। ଏହି ଅବସରରେ ଅମିତଙ୍କୁ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହ ଭାରତ ପରବର୍ତ୍ତୀ ଅଲିମ୍ପିକ୍ସରେ ସ୍ବର୍ଣ୍ଣପଦକ ଜିତିବ ବୋଲି ଆଶା ପ୍ରକଟ କରିଥିଲେ।
ପ୍ରକାଶଯୋଗ୍ୟ ଯେ ସୁନ୍ଦରଗଡ଼ ଜିଲ୍ଲାର ‘ହକିର ଗଡ଼’ ଭାବେ ପରିଚିତ ଗାଁ ସଉନାମରାରେ ଅମିତ ରୋହିଦାସଙ୍କ ଜନ୍ମ। ନିଜ ଗାଁ ମାଟିରୁ ସେ ହକି ଖେଳ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଯୋଗଦେଇଥିଲେ। ସେହିଠାରୁ ହିଁ ସେ ହକି ଜଗତରେ ନିଜର ସ୍ୱର୍ଣ୍ଣିମ ଯାତ୍ରା ଆରମ୍ଭ କରିଥିଲେ। ଭାରତୀୟ ହକି ଦଳର ଜଣେ ସୁଦୃଢ଼ କ୍ରୀଡ଼ାବିତ୍ ଭାବେ ସେ ଭାରତୀୟ ହକି ଦଳକୁ ଟୋକିଓ ଅଲମ୍ପିକ୍ସରେ କାଂସ୍ୟ ପଦକ ଜିତାଇଥିଲେ। ୨୦୨୪ ପ୍ୟାରିସ ଅଲମ୍ପିକ୍ସରେ ମଧ୍ୟ ଅମିତ ଏକ ଗୁରତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି।
ପରିବାରକୁ ଦେଲେ ଅଲିମ୍ପିକ୍ସ ପଦକର ଶ୍ରେୟ
ପଦକ ରଙ୍ଗ ବଦଳିଥିଲେ ଅଧିକ ଖୁସି ହୋଇଥାନ୍ତି
ଭୁବନେଶ୍ବର(ସୁରେଶ ସ୍ବାଇଁ): ଚାରି ଦଶନ୍ଧି ପରେ ଭାରତୀୟ ହକି ଦଳର ପ୍ରଥମ ଅଲିମ୍ପିକ୍ସ ପଦକ ଏବଂ ୫୨ ବର୍ଷ ପରେ କ୍ରମାଗତ ଅଲିମ୍ପିକ୍ସ କାଂସ୍ୟ ଜିତି ଇତିହାସ ରଚିଥିବା ଭାରତ ସହ ଓଡ଼ିଶାର ସମ୍ପର୍କ କ୍ରମେ ନିବିଡ଼ ହୋଇ ରହିଗଲା। ଏହି ଐତିହାସିକ କ୍ଷଣଦ୍ବୟର ପ୍ରତ୍ୟକ୍ଷ ଅଂଶୀଦାର ରହିଛନ୍ତି ନିର୍ଭରଯୋଗ୍ୟ ଡିଫେଣ୍ଡର୍ ଓଡ଼ିଆ ପୁଅ ଅମିତ ରୋହିଦାସ। ତିନି ବର୍ଷ ତଳେ ଟୋକିଓରେ କାଂସ୍ୟ ଜିତିଥିବା ଭାରତ, ପ୍ୟାରିସ୍ରେ ଏହାକୁ ଦୋହରାଇଛି। ଭାରତୀୟ ହକି ନିଜର ହୃତ ଗୌରବକୁ କ୍ରମେ ଫେରିବାରେ ଲାଗିଛି ବୋଲି ହକିପ୍ରେମୀମାନେ ବି ବିଶ୍ବାସ ଆରମ୍ଭ କରିଛନ୍ତି। ଦୂରେଇ ଯାଉଥିବା ପ୍ରଶଂସକ ବି ଯୋଡ଼ି ହେବାରେ ଲାଗିଛନ୍ତି। ବିଗତ ୬ ବର୍ଷ ହେବ ଓଡ଼ିଶା ସରକାର ହକିର ପ୍ରାୟୋଜକ ପାଲଟିଥିବାରୁ ଏହାର ଶ୍ରେୟ ଆମ ରାଜ୍ୟକୁ ମିଳୁଛି। ଦେଶରେ ହକି ଦୁନିଆର ଆଶା ବି ବଢ଼ିଯାଇଛି। ପ୍ୟାରିସ୍ ସଫଳତା ପରେ ଗୁରୁବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କଠୁ ସମ୍ବର୍ଦ୍ଧନା ପାଇଥିବା ଅମିତ ଶୁକ୍ରବାର ଭୁବନେଶ୍ବରରେ ପହଞ୍ଚିବା ମାତ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇଛନ୍ତି। ଆତ୍ମବିଭୋର ଅମିତ ଏହି ଅବସରରେ ‘ସମ୍ବାଦ’କୁ ଦେଇଥିବା ସ୍ବତନ୍ତ୍ର ସାକ୍ଷାତକାରରେ କହିଥିଲେ ନିଜ ଅଭିଜ୍ଞତା, ଅନୁଭୂତି ଓ ଭବିଷ୍ୟତ ସ୍ବପ୍ନର କଥା।
ଆଜି ମୁଁ ଯେଉଁଠି ପହଞ୍ଚିଛି କେବଳ ମୋ ପରିବାର ପାଇଁ। ପ୍ରଥମରୁ ମୋତେ ପରିବାରରୁ ମିଳିଥିବା ସମର୍ଥନ ଓ ସହଯୋଗ ପାଇଁ ଏହା ସମ୍ଭବ ହୋଇପାରିଛି। ମୋତେ ଖେଳାଳି ଭାବେ ଗଢ଼ିଥିବା ପ୍ରଶିକ୍ଷକଙ୍କ ସହ ପ୍ରାୟୋଜକ, ସରକାର, ପ୍ରଶାସକଙ୍କୁ ମଧ୍ୟ ଶ୍ରେୟ ଯିବ। ସେଥି ପାଇଁ ଟୋକିଓ ଓ ପ୍ୟାରିସ୍ ସଫଳତା ପାଇଁ ମୁଁ ଆମ ପାଇଁ ପ୍ରାର୍ଥନା କରୁଥିବା କୋଟିକୋଟି ଦେଶବାସୀ ଓ ଓଡ଼ିଶାବାସୀଙ୍କୁ ଏହି ବିଜୟକୁ ସମର୍ପିବାକୁ ପସନ୍ଦ କରିବି। ଲଗାତାର ଅଲିମ୍ପିକ୍ସ ପଦକ ଜିତିବାର ଗୌରବ ଏବଂ ୫୨ ବର୍ଷ ପରେ କ୍ରମାଗତ ପଦକ ସଫଳତା ଆଣିବା ମୋତେ ଗୌରବାନ୍ବିତ କରିଛି। ଗ୍ରେଟ୍ ବ୍ରିଟେନ୍ ବିପକ୍ଷ କ୍ବାର୍ଟରଫାଇନାଲ୍ର ୧୭ ମିନିଟରେ ମୋତେ ଲାଲ୍ କାର୍ଡ ମିଳିବା ପରେ ଆମ ଖେଳାଳିମାନେ ଅବଶିଷ୍ଟ ୪୦ ମିନିଟ୍ ୧୦ ଜଣରେ ଖେଳି ମ୍ୟାଚ୍କୁ ଯେଭଳି ଜିତିଲେ ସେ ଆନନ୍ଦ ଅଭୁଲା ରହିବ। କାର୍ଡ ପାଇଁ ମାତ୍ର ୨ କି ୫ ମିନିଟ୍ ୧୦ ଜଣରେ ଖେଳିଲେ ବି ପ୍ରତିପକ୍ଷ ଏହାର ଫାଇଦା ନେଇଯାଇଥାଏ। କିନ୍ତୁ ଆମ ଖେଳାଳି ସାହସିକ ପ୍ରଦର୍ଶନ କରି ମୋ ଦୁଃଖକୁ ଲାଘବ କରିଥିଲେ। ନିଲମ୍ବନ କାରଣରୁ ମୁଁ ସେମିଫାଇନାଲ୍ ଖେଳି ନପାରିବା ପରେ ଦଳ ହାରିଯିବାରୁ ଆମ ପଦକର ରଙ୍ଗ ବଦଳିପାରି ନଥିଲା। ମୋତେ ନିଜକୁ ଦୋଷୀ ଲାଗୁଥିଲା, କିନ୍ତୁ କେହି ବି ଏହାକୁ ଅନୁଭବ ହେବାକୁ ଦେଇ ନଥିଲେ। ଜଣେ ବି କେହି ପ୍ରଶ୍ନ କରି ନଥିଲେ, ବରଂ ଭରପୂର ସମର୍ଥନ କରିଥିଲେ। ଏଭଳି ଭାବେ ସାଙ୍ଗରେ ଥିଲେ ଯେ ମୋ ଭିତରେ ସକରାତ୍ମକ ଭାବନା ଭରିଯାଇଥିଲା। ଫଳତଃ ସ୍ପେନ୍ ବିପକ୍ଷ କାଂସ୍ୟ ମୁକାବିଲାରେ ଆମେ ପଛରେ ପଡ଼ି ନଥିଲୁ।
ପ୍ୟାରିସ୍ ପଦକ ମୋତେ ଖୁସି ଓ ଆତ୍ମବିଶ୍ବାସ ଦେଇଛି। ଏବେ ଆସନ୍ତା ମାସର ଏସୀୟ ଚାମ୍ପଅନ୍ସ ଟ୍ରଫି ଉପରେ ନଜର ରହିବ। ପରେ ଗୋଟିଏ ପରେ ଗୋଟିଏ ପାଦ ଆଗକୁ ବଢ଼ିବୁ। ମୋ ଟ୍ରଫି କ୍ୟାବିନେଟ୍ରେ ବିଶ୍ବକପ୍ ପଦକଟିଏ ଯୋଡ଼ିବାକୁ ଏବେ ସ୍ବପ୍ନ ଦେଖୁଛି। ୨୦୨୬ରେ ବେଲଜିୟମ୍ ଓ ନେଦରଲାଣ୍ଡ୍ସରେ ଖେଳାଯିବାକୁ ଥିବା ପରବର୍ତ୍ତୀ ସଂସ୍କରଣରେ ଏହା କରିପାରିଲେ ନିଜକୁ ଅତ୍ୟନ୍ତ ସୌଭାଗ୍ୟ ମଣିବି। ଆମେ ବିଗତ ଦୁଇ ସଂସ୍କରଣ ଘରୋଇ ପରିବେଶ (ଓଡ଼ିଶା)ରେ ଖେଳିବା ସତ୍ତ୍ବେ ଯାହା କରିପାରି ନଥିଲୁ, ଦେଢ଼ ବର୍ଷ ପରେ ତାହା ଚେଷ୍ଟା କରିବୁ। ଆଶା ବି ଅଛି। ଆମେ ଯେଭଳି ପରିଶ୍ରମ କରୁଛୁ, ଭବିଷ୍ୟତରେ ନିଶ୍ଚିତ ଏହା ଆସିବ। ଭଗବାନ ନିଶ୍ଚିତ ପରିଶ୍ରମର ଫଳ ଦେବେ ବୋଲି ଅମିତ କହିଥିଲେ। ସୂଚନାଯୋଗ୍ୟ, ଭାରତ ପରବର୍ତ୍ତୀ ହକି ବିଶ୍ବକପ୍ ସଂସ୍କରଣ ଖେଳିବା ବେଳକୁ ୫୧ ବର୍ଷ ଧରି ପଦକଶୂନ୍ୟ ରହିଥିବ। କାରଣ ଥରେ ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ, କାଂସ୍ୟ ଜିତିଥିବା ଭାରତ ଶେଷ ଥର ପାଇଁ ୧୯୭୫ ମସିହାରେ ବିଶ୍ବ ବିଜେତା ହୋଇଥିଲା।
ବିବାହ ଖବର ବୁଝିଲେ ମୁଖ୍ୟମନ୍ତ୍ରୀ
ଲୋକସେବା ଭବନରେ ଅମିତ ରୋହିଦାସଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ପରିବାରରୁ କିଏ ଆସିଛନ୍ତି କି ବୋଲି ପ୍ରଶ୍ନ କରିଥିଲେ। ଏତିକି ବେଳେ ସେ ବିବାହିତ କି ବୋଲି ପ୍ରଶ୍ନ ମଧ୍ୟ କରିଥିଲେ। ଅମିତ ମନା କରିଥିଲେ। ଏହା କିଛି ସମୟ ପାଇଁ ହାଲ୍କା ମାହୋଲ ସୃଷ୍ଟି କରିଥିଲା। ପରେ ସାମ୍ବାଦିକମାନେ ଅମିତଙ୍କୁ ବିବାହ କେବେ ବୋଲି ପ୍ରଶ୍ନ କରିବାରୁ କହିଥିଲେ ଏବେ ସେଭଳି କିଛି ଯୋଜନା କରିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/hhsfhfhfssfh.jpg)