ଇଂଲଣ୍ଡ ବିପକ୍ଷରେ ବି ଅମିତ ଅଧିନାୟକ, ନୀଲମ ସଞ୍ଜୀବ ଖେସ୍‌ଙ୍କ ପ୍ରତ୍ୟାବର୍ତନ

ଭୁବନେଶ୍ବର: ଓଡ଼ିଆ ତାରକା ଅମିତ ରୋହିଦାସ ଚଳିତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି ପ୍ରତିଯୋଗିତାରେ ଭାରତୀୟ ଦଳର ଅଧିନାୟକ ପଦକ ବଜାୟ ରଖିଛନ୍ତି। ଗତ ଆର୍ଜେଣ୍ଟିନା ବିପକ୍ଷରେ ଦଳର ନେତୃତ୍ବ ଭାର ସମ୍ଭାଳିଥିବା ଅମିତ ଆସନ୍ତା ଏପ୍ରିଲ ୨ ଓ ୩ ତାରିଖରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପାଇଁ ମଧ୍ୟ ଅଧିନାୟକ ରହିଛନ୍ତି। ଅନ୍ୟପକ୍ଷରେ ବୁଧବାର ‌ହକି ଇଣ୍ଡିଆ ଦ୍ବାରା ଘୋଷିତ ୨୨ ଜଣିଆ ଭାରତୀୟ ଦଳକୁ ଅନ୍ୟତମ ଓଡ଼ିଆ ତାରକା ଡିଫେଣ୍ଡର ନୀଲମ ସଞ୍ଜୀବ ଖେସ୍‌ଙ୍କ ପ୍ରତ୍ୟାବର୍ତନ ଘଟିଛି। ବରୁଣ କୁମାରଙ୍କ ସ୍ଥାନରେ ଏକମାତ୍ର ପରିବର୍ତନ ଭାବେ ୨୩ ବର୍ଷ ବୟସ୍କ ନୀଲମ ସ୍ଥାନ ପାଇଛନ୍ତି। ନୀଲମ ଗତବର୍ଷ ଡିସେମ୍ବରରେ ଢାକାରେ ଅନୁଷ୍ଠିତ ଏସୀୟ ଚାମ୍ପିଅନ୍‌ସ ଟ୍ରଫି ପାଇଁ ଭାରତୀୟ ଦଳର ସଦସ୍ୟ ରହିଥିଲେ। ସେହି ପ୍ରତିଯୋଗିତାରେ ପାକିସ୍ତାନକୁ ୪-୩ ଗୋଲ୍‌ରେ ପରାସ୍ତ କରି ଭାରତ ତୃତୀୟ ସ୍ଥାନ ପାଇଥିଲା।

ଚଳିତ ପ୍ରୋ ଲିଗ୍‌ରେ ଅମିତଙ୍କ ନେତୃତ୍ବରେ ଭାରତ ଗତ ଆର୍ଜେଣ୍ଟିନା ବିପକ୍ଷ ମୁକାବିଲାରେ ଗୋଟିଏ ଲେଖାଏଁ ବିଜୟ ଓ ପରାଜୟ ପାଇଥିଲା। ଭୁବ‌ନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ଦୁଇଟି ମ୍ୟାଚ୍‌ ମଧ୍ୟରୁ ଗୋଟିକରେ ଭାରତ ୪-୩ ଗୋଲ୍‌ରେ ବିଜୟୀ ହୋଇଥିଲା ବେଳେ ଅନ୍ୟଟିକୁ ୧-୩ ସୁଟ୍‌ ଆଉଟ୍‌ (୨-୨)ରେ ହାରିଯାଇଥିଲା। ଏହା ପୂର୍ବରୁ ଭାରତୀୟ ଦଳ ଘରୋଇ ମାଟିରେ ସ୍ପେନ୍‌ ବିପକ୍ଷରେ ମଧ୍ୟ ଗୋଟିଏ ଲେଖାଏଁ ବିଜୟ ଓ ପରାଜୟ ପାଇଥିଲା। ପ୍ରଥମ ମ୍ୟାଚ୍‌ରେ ୫-୪ ଗୋଲ୍‌ରେ ସ୍ପେନ୍‌କୁ ପରାସ୍ତ କରିବା ପରେ ଦ୍ବିତୀୟ ମ୍ୟାଚ୍‌ରେ ୩-୫ରେ ହାର୍‌ ମାନିଥିଲା। ସେହିପରି ଭାରତୀୟ ଦଳ ମଧ୍ୟ କଳିଙ୍ଗ ଷ୍ଟାଡିୟମ୍‌ରେ ଫ୍ରାନ୍‌ସକୁ ୫-୦ ଗୋଲ୍‌ରେ ପରାସ୍ତ କରିଥିଲା ବେଳେ ଅନ୍ୟଟିକୁ ୨-୫ରେ ହାରିଯାଇଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକାକୁ ଉଭୟ ମ୍ୟାଚ୍‌ରେ ସମାନ ୧୦-୨ ଲେଖାଏଁ ଗୋଲ୍‌ ବ୍ୟବଧାନରେ ପରାସ୍ତ କରିଥିଲା। ମୋଟାମୋଟି ଭାବେ ଇଂଲଣ୍ଡ ବିପକ୍ଷ ମୁକାବିଲା ପୂର୍ବରୁ ଭାରତୀୟ ଦଳ ଚଳିତ ପ୍ରୋ ଲିଗ୍‌ରେ ୮ ମ୍ୟାଚ୍‌ ଖେଳିସାରିଥିଲା ବେଳେ ୧୬ ପଏଣ୍ଟ ସହ ଜର୍ମାନି (୧୭) ପଛକୁ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର