ନୂଆଦିଲ୍ଲୀ: ଇଂଲଣ୍ଡର ବର୍ମିଂହାମଠାରେ ଜୁଲାଇ ୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ହକି ଇଣ୍ଡିଆ ସୋମବାର ୧୮ଜଣିଆ ଦଳ ଘୋଷଣା କରିଛି। ଏହି ଦଳରେ ରକ୍ଷଣଭାଗ ଖେଳାଳି ଅମିତ ରୋହିଦାସ ଏକମାତ୍ର ଓଡ଼ିଆ ଭାବେ ସ୍ଥାନ ପାଇଛନ୍ତି। ମନପ୍ରୀତ ସିଂହ ଅଧିନାୟକ ପଦକୁ ଫେରିଥିଲା ବେଳେ ହର୍ମନପ୍ରୀତ ସିଂହ ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି। ଏଫ୍ଆଇଏଚ୍ ପ୍ରୋ ଲିଗ୍ର କେତେକ ମ୍ୟାଚ୍ରେ ଅଧିନାୟକ ନିଯୁକ୍ତ ହୋଇଥିବା ଅମିତଙ୍କଠାରୁ ଏବେ ଅଧିନାୟକ ପଦ କାଢ଼ି ନିଆଯାଇଛି। ସୂଚନାଯୋଗ୍ୟ ଯେ ଭାରତ ଏହି ପ୍ରତିଯୋଗିତାରେ ଇଂଲଣ୍ଡ, କାନାଡା, ୱେଲ୍ସ ଓ ଘାନା ସହ ପୁଲ୍-ବି’ରେ ସ୍ଥାନ ପାଇଛି। ଭାରତୀୟ ଦଳ ତାର ଅଭିଯାନ ଜୁଲାଇ ୩୧ ତାରିଖରେ ଘାନା ବିପକ୍ଷରେ ଆରମ୍ଭ କରିବ। ଅଭିଜ୍ଞ ଗୋଲ୍ରକ୍ଷକ ପିଆର ଶ୍ରୀଜେଶ ଦଳରେ ସ୍ଥାନ ବଜାୟ ରଖିଥିଲା ବେଳେ ଅନ୍ୟତମ ଗୋଲ୍ ରକ୍ଷକ କ୍ରିଷନ୍ ବାହାଦୂର ପାଠକ ସଂପୂର୍ଣ୍ଣ ସୁସ୍ଥ ହୋଇ ଫେରିଛନ୍ତି। ଆହତ ହୋଇ ଭାରତର ବିଗତ କିଛି ମ୍ୟାଚ୍ରୁ ବାଦ ପଡ଼ିଥିଲେ ସେ।
ଅଷ୍ଟ୍ରେଲିଆର ଗୋଲ୍କୋଷ୍ଟରେ ଆୟୋଜିତ ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ତେବେ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ କାଂସ୍ୟ ପଦକ ଜିତିବା ସହ ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ଚମତ୍କାର ପ୍ରଦର୍ଶନ କରିଥିବାରୁ ବର୍ମିଂହାମରେ ଭଲ କରିବ ବୋଲି ପ୍ରଶିକ୍ଷକ ଗ୍ରାହାମ ରିଡ୍ ଦୃଢ଼ ଆଶା ପୋଷଣ କରିଛନ୍ତି। ଦଳ ଘୋଷଣା ପରେ ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଆମେ ଏକ ଶକ୍ତିଶାଳୀ ଦଳ ଘୋଷଣା କରିଛୁ। ଏଥିରେ ଥିବା ଖେଳାଳିମାନେ ନିଜ ଦକ୍ଷତା ଏବଂ ରଣକୌଶଳର ପରୀକ୍ଷା ପୂର୍ବରୁ ଦେଇସାରିଛନ୍ତି ଏବଂ ଏଥିରେ ସଫଳ ବି ହୋଇଛନ୍ତି। ଖେଳାଳିମାନଙ୍କର ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ବହୁ ଶକ୍ତିଶାଳୀ ପ୍ରତିପକ୍ଷ ବିପକ୍ଷରେ ଖେଳିବାର ଅଭିଜ୍ଞତା ରହିଛି। ଆଗାମୀ ସମୟରେ ବେଙ୍ଗାଲୁରୁସ୍ଥିତ ସାଇ (ଭାରତୀୟ ପ୍ରାଧିକରଣ) କେନ୍ଦ୍ରଠାରେ ଆମର ପ୍ରଶିକ୍ଷଣ ଶିବିର ଆୟୋଜନ ହେବ। ଏଥିରେ ଆମେ ବେଲିଜିୟମ ଏବଂ ନେଦରଲାଣ୍ଡ୍ସ ବିପକ୍ଷ ମ୍ୟାଚ୍ରେ କରିଥିବା ପ୍ରଦର୍ଶନର ଅନୁଶୀଳନ କରିବୁ।
ଭାରତୀୟ ଦଳ: ଗୋଲ୍ରକ୍ଷକ-ପିଆର ଶ୍ରୀଜେସ୍, କ୍ରିଷନ୍ ବାହାଦୂର ପାଠକ। ରକ୍ଷଣଭାଗ-ବରୁଣ କୁମାର, ହର୍ମନପ୍ରୀତ ସିଂହ (ଉପଅଧିନାୟକ), ଅମିତ ରୋହିଦାସ, ଜୁଗରାଜ ସିଂହ, ଜର୍ମନପ୍ରୀତ ସିଂହ। ମଧ୍ୟଭାଗ-ମନପ୍ରୀତ ସିଂହ (ଅଧିନାୟକ), ହାର୍ଦିକ ସିଂହ, ବିବେକ ସାଗର ପ୍ରସାଦ, ସମସେର ସିଂହ, ଆକାଶଦୀପ ସିଂହ, ନୀଳକାନ୍ତ ଶର୍ମା। ଅଗ୍ରଭାଗ-ମନଦୀପ ସିଂହ, ଗୁରଜାନ୍ତ ସିଂହ, ଲଲିତ କୁମାର ଉପାଧ୍ୟାୟ, ଅଭିଷେକ।
ପଞ୍ଚ ରାଷ୍ଟ୍ରୀୟ କନିଷ୍ଠ ମହିଳା ହକି: ଆୟର୍ଲାଣ୍ଡକୁ ୪-୧ରେ ହରାଇଲା ଭାରତ
ଡବଲିନ୍: ଆୟର୍ଲାଣ୍ଡର ଡବଲିନ୍ଠାରେ ଆରମ୍ଭ ହୋଇଥିବା ପଞ୍ଚ ରାଷ୍ଟ୍ରୀୟ କନିଷ୍ଠ ହକି ପ୍ରତିଯୋଗିତାରେ ଭାରତ ବୃହତ୍ ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମୁକାବିଲାରେ ଭାରତୀୟ ଦଳ ୪-୧ରେ ଆୟୋଜକ ଆୟର୍ଲାଣ୍ଡକୁ ହରାଇ ଆତ୍ମବିଶ୍ବାସ ବଢ଼ାଇଛି। ଭାରତ ପକ୍ଷରୁ ଅନୁ ଦ୍ବାଦଶ ମିନିଟ୍ରେ ପ୍ରଥମ ଗୋଲ୍ ଦେଇଥିଲା ବେଳେ ଦୀପିକା ସୋରେଙ୍ଗ (୨୫ ମିନିଟ୍), ମୋନିକା ଦୀପି ଟପ୍ପୋ (୪୫ ମିନିଟ୍) ଏବଂ ବିୟୁଟି ଡୁଙ୍ଗଡୁଙ୍ଗ (୪୭ ମିନିଟ୍) ଗୋଲ୍ ଦେଇଥିଲେ। ପ୍ରତିପକ୍ଷ ଆୟର୍ଲାଣ୍ଡ ପକ୍ଷରୁ ଏକମାତ୍ର ଗୋଲ୍ ମିକାୟେଲା ପାୱାର (୧୯) ଅର୍ଜନ କରିଥିଲେ। ଭାରତ ତାର ଦ୍ବିତୀୟ ମ୍ୟାଚ୍ରେ ନେଦରଲାଣ୍ଡ୍ସକୁ ଭେଟିବ।