ନୂଆଦିଲ୍ଲୀ: ଚୀନର ହୁଲୁନବରଠାରେ ହେବାକୁ ଥିବା ଏସୀୟ ଚାମ୍ପିଅନ୍ସ ଟ୍ରଫି ପାଇଁ ହକି ଇଣ୍ଡିଆ ପକ୍ଷରୁ ୧୮ ଜଣିଆ ଭାରତୀୟ ଦଳର ଘୋଷଣା କରାଯାଇଛି। ଏହି ପ୍ରତିଯୋଗିତା ସେପ୍ଟେମ୍ବର ୮ରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାରତ ବ୍ୟତୀତ କୋରିଆ, ମାଲେସିଆ, ପାକିସ୍ତାନ, ଜାପାନ ଏବଂ ଆୟୋଜକ ଚୀନ୍ ଏଥିରେ ଅଂଶଗ୍ରହଣ କରୁଛନ୍ତି। ହର୍ମନପ୍ରୀତ୍ ସିଂହଙ୍କ ନେତୃତ୍ବରେ ଘୋଷଣା ହୋଇଥିବା ଭାରତୀୟ ଦଳରେ ବିବେକ ସାଗର ପ୍ରସାଦଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଛି। ଗୋଲ୍କିପର ଭାବେ କ୍ରିଷ୍ଣନ ବାହାଦୁର ପାଠକ ଓ ସୂରଜ କେର୍କେରାଙ୍କୁ ସ୍ଥାନ ମିଳିଛି। ନିୟମିତ ଗୋଲରକ୍ଷକ ପିଆର୍ ଶ୍ରୀଜେଶ ଅବସର ନେଇସାରିଥିବାରୁ ପ୍ୟାରିସ୍ ଅଲିମ୍ପିକ୍ସ ପରେ ତାଙ୍କ ବିନା ଏହା ଭାରତର ପ୍ରଥମ ଆନ୍ତର୍ଜାତିକ ପ୍ରତିଯୋଗିତା ହେବାକୁ ଯାଉଛି।
ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ସନ୍ତୁଳିତ ଭାରତୀୟ ଦଳ ଗଠନ କରାଯାଇଛି। ପ୍ୟାରିସ୍ ଅଲିମ୍ପିକ୍ସ ଦଳରୁ ୧୦ ଜଣଙ୍କୁ ଏଥିରେ ନିଆଯାଇଥିଲା ବେଳେ ୫ଜଣ ଖେଳାଳି ହାର୍ଦିକ ସିଂହ, ମନଦୀପ ସିଂହ, ଲଳିତ ଉପାଧ୍ୟାୟ, ସମସେର ସିଂହ ଓ ଗୁରଜାନ୍ତ ସିଂହଙ୍କୁ ବିଶ୍ରାମ ଦିଆଯାଇଛି। ସେପ୍ଟେମ୍ବର ୮ ତାରିଖରେ ଭାରତ ପ୍ରଥମ ମ୍ୟାଚ୍ରେ ଚୀନ୍ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ପରେ ୯ ତାରିଖରେ ଜାପାନ, ୧୧ ତାରିଖରେ ମାଲେସିଆ, ୧୨ ତାରିଖରେ କୋରିଆ, ୧୪ ତାରିଖରେ ପାକିସ୍ତାନ ସହିତ ଲିଗ୍ ପର୍ଯ୍ୟାୟ ଖେଳିବ। ୧୬ ତାରିଖରେ ସେମିଫାଇନାଲ୍ ଓ ୧୭ ତାରିଖରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ।
ଭାରତୀୟ ଦଳ: ଗୋଲକିପର- କ୍ରିଷ୍ଣନ ବାହଦୁର ପାଠକ, ସୂରଜ କେର୍କେରା, ଡିଫେଣ୍ଡର- ଜର୍ମନପ୍ରୀତ୍ ସିଂହ, ଅମିତ ରୋହିଦାସ, ହର୍ମନପ୍ରୀତ୍ ସିଂହ, ଯୁଗରାଜ ସିଂହ, ସଂଜୟ, ସୁମିତ, ମିଡ୍ଫିଲ୍ଡର-ରାଜ କୁମାର ପାଲ୍, ନିଶିକାନ୍ତ ଶର୍ମା, ବିବେକ ସାଗର ପ୍ରସାଦ, ମନପ୍ରୀତ୍ ସିଂହ, ମହମ୍ମଦ ରାହିଲ ମୌସିନ, ଫରୱାର୍ଡ- ଅଭିଷେକ, ସୁଖଜୀତ ସିଂହ, ଅରିଜିତ ସିଂହ ହୁଣ୍ଡାଲ, ଉତ୍ତମ ସିଂହ, ଗୁରଜୋତ ସିଂହ।