କଳିଙ୍ଗ ଶିବିରରେ ଅମିତ ସାମିଲ

ଭୁବନେଶ୍ୱର: ଚାରିଆଡ଼ୁ ସମାଲୋଚିତ ହେବା ପରେ ହକି ଇଣ୍ଡିଆ ଶେଷରେ କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଜାତୀୟ ହକି ପ୍ରଶିକ୍ଷଣ ଶିବିରରେ ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ସାମିଲ କରିଛି। ଅମିତଙ୍କ ସହ ଅନ୍ୟତମ ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ଏସୀୟ କ୍ରୀଡ଼ା ଖେଳିଥିବା ଭାରତୀୟ ଦଳରେ ଥିଲେ। ହେଲେ ଉଭୟଙ୍କୁ ଏହି ପ୍ରଶିକ୍ଷଣ ଶିବିରରୁ ବାଦ୍‌ ଦିଆଯାଇଥିଲା। ଏଥିନେଇ ଗତ ୧୨ ତାରିଖରେ ‘ସମ୍ବାଦ’ରେ ମଧ୍ୟ ଏକ ଲେଖା ପ୍ରକାଶ ପାଇଥିଲା। ଓଡ଼ିଶା ସରକାର ହକି ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିଲା ବେଳେ ଜାତୀୟ ହକି ଶିବିରରେ ଜଣେ ହେଲେ ବି ଓଡ଼ିଆ ଖେଳାଳି ସ୍ଥାନ ନପାଇବା ନେଇ ରାଜ୍ୟ ହକି ମହଲରେ ମଧ୍ୟ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଫଳରେ ବୁଧବାର ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ ଏହି ମାମଲାରେ ସ୍ପଷ୍ଟୀକରଣ ଦେଇ ଅମିତ ଶିବିରରେ ସାମିଲ କରାଯାଇଥିବା ସୂଚନା ଦେଇଥିଲେ। ତେବେ ଆହତ ଥିବାରୁ ବୀରେନ୍ଦ୍ରଙ୍କୁ ଶିବିରରୁ ଦୂରେଇ ରଖାଯାଇଛି। ସଂପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ମଧ୍ୟ ଶିବିରରେ ସ୍ଥାନ ଦିଆଯିବ ବୋଲି ସେ କହିଥିଲେ। ଅମିତ ୨୬ ତାରିଖରୁ ଶିବିରରେ ଯୋଗଦେବେ ବୋଲି ଜଣାପଡ଼ିଛି।

ନୂଆ ତାଲିକା: ପିଆର୍‌ ଶ୍ରୀଜେସ, ସୂରଜ କେର୍କେରା, କୃଷ୍ଣ ବାହାଦୂର ପାଠକ (ଗୋଲ୍‌ ରକ୍ଷକ), ହର୍‌ମନ୍‌ପ୍ରୀତ ସିଂହ, ରୂପୀନ୍ଦର ପାଲ ସିଂହ, ଗୁରିନ୍ଦର ସିଂହ, ବରୁଣ କୁମାର, କୋଠାଲ୍‌ଜିତ ସିଂହ ଖାଡ଼ଙ୍ଗବାମ, ସୁରେନ୍ଦର କୁମାର, ଜର୍ମନପ୍ରୀତ ସିଂହ, ପ୍ରଦୀପ ସିଂହ (ରକ୍ଷଣଭାଗ), ମନପ୍ରୀତ ସିଂହ, ଚିଙ୍ଗ୍ଲେନସାନା ସିଂହ କଙ୍ଗୁଜାମ, ସୁମିତ, ସିମ୍ରନଜିତ ସିଂହ, ନୀଳକଣ୍ଠ ଶର୍ମା, ହାର୍ଦିକ ସିଂହ, ଲଳିତ କୁମାର ଉପାଧ୍ୟାୟ, ବିବେକ ସାଗର ପ୍ରସାଦ (ମଧ୍ୟଭାଗ), ଏସ୍‌ଭି ସୁନୀଲ, ଆକାଶଦୀପ ସିଂହ, ଗୁରଜାଣ୍ଟ ସିଂହ, ମନଦୀପ ସିଂହ, ଦିଲପ୍ରୀତ ସିଂହ, ସୁମିତ କୁମାର (ପୂରଭାଗ), ଅମିତ ରୋହି ଦାସ (ରକ୍ଷଣଭାଗ)।

ସମ୍ବନ୍ଧିତ ଖବର