ରାଉରକେଲା: ହକି ଇଣ୍ଡିଆ ଲିଗ୍‌ରେ ଘରୋଇ ଦଳ ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ ହ୍ୟାଟ୍ରିକ୍‌ ପରାଜୟ ବରଣ କରିଛି। ଏଥସହ ଲାନ୍‌ସର୍ସ ୮ ଦଳୀୟ ପ୍ରତିଯୋଗିତାର ପଏଣ୍ଟ୍‌ ତାଲିକାର ସବା ତଳେ ରହିଛି। ରବିବାର ଶକ୍ତିଶାଳୀ ସୁର୍‌ମା ହକି କ୍ଲବ ବିପକ୍ଷରେ ଦଳ ୩-୪ ଗୋଲ୍‌ରେ ହାରି ଯାଇଛି। ରବିବାର ଦ୍ବିତୀୟ ମ୍ୟାଚ୍‌ରେ ଅମିତ ରୋହିଦାସଙ୍କ ନେତୃତ୍ବାଧୀନ ତାମିଲନାଡ଼ୁ ଡ୍ରାଗନ୍ସ ୨-୦ ଗୋଲ୍‌ରେ ୟୁପି ରୁଦ୍ରାସ୍‌କୁ ପରାସ୍ତ କରି ପ୍ରଥମ ବିଜୟ ପାଇଛି। ରବିବାର କଳିଙ୍ଗ ଲାନସର୍ସ ଓ ସୁର୍‌ମା ହକି କ୍ଲବ୍‌ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। କଳିଙ୍ଗ ଲାନ୍‌ସର୍ସର ଥିଏରି ବ୍ରିଙ୍ଗ୍‌ମ୍ୟାନ୍‌ ପଞ୍ଚମ ମିନିଟ୍‌ରେ ପ୍ରଥମ ଗୋଲ୍‌ ଦେଇ ଦଳକୁ ୧-୦ ଗୋଲ୍‌ରେ ଆଗୁଆ କରିଥିଲେ। ତେବେ ସୁର୍‌ମାର ଜେରେମି ହେୱାର୍ଡ ୧୧ତମ ମିନିଟ୍‌ରେ ଗୋଲ୍‌ଟି ଶୁଝି ସ୍ଥିତି ସାମନ କରିଥିଲେ। ୧୫ତମ ମିନିଟ୍‌ରେ ସଞ୍ଜୟଙ୍କ ଗୋଲ୍‌ରେ ପୁଣି କଳିଙ୍ଗ ଆଗୁଆ ହୋଇଥିଲା। ତେବେ ତୃତୀୟ ଓ ଚତୁର୍ଥ କ୍ବାର୍ଟରରେ ସୁର୍‌ମା ପ୍ରତ୍ୟାବର୍ତ୍ତନ କରିଥିଲା। ଦଳର ଟୋରି ନିକୋଲାସ ଡେଲା (୩୫ ମିନିଟ୍‌) ଓ ଅଧିନାୟକ ହର୍ମନପ୍ରୀତ ସିଂହ(୫୦ ମିନିଟ୍‌)ଙ୍କ ଗୋଲ୍‌ରେ ସୁର୍‌ମା ସ୍ଥିତି ୩-୨ କରିଥିଲା। କଳିଙ୍ଗର ଗୁରସାହିବଜିତ ସିଂହ (୫୧ ମିନିଟ୍‌) ଗୋଟିଏ ଗୋଲ୍‌ ଶୁଝି ଦେଇଥିଲେ। ଏହାର ଗୋଟିଏ ମିନିଟ୍‌ ପରେ ହରିଶ୍‌ ସୋମପ୍ପା ମୁଟ୍‌ଗାର ମ୍ୟାଚ୍‌ ବିଜୟୀ ଗୋଲ୍‌ ଦେଇଥିଲେ। 

Advertisment

‌ଦ୍ବିତୀୟ ମ୍ୟାଚ୍‌ରେ ତାମିଲନାଡ଼ୁ ଡ୍ରାଗନ୍ସ ୨-୦ ଗୋଲ୍‌ରେ ୟୁପି ରୁଦ୍ରାସକୁ ପରାସ୍ତ କରିଛି। ବିଜୟୀ ଦଳର ଆଭ୍ରାମ ସୁଦେବ (୪୮) ଓ ଥୋମାସ ଥୋର୍ସବି (୬୦) ଏହି ଦୁଇ ଗୋଲ୍‌ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ହକି ଇଣ୍ଡିଆ ଲିଗ୍‌ ପାଇଁ ଦର୍ଶକଙ୍କୁ ନିଶୁଳ୍କ ପ୍ରବେଶ ଘୋଷଣା କରାଯାଇଛି। ପୂର୍ବରୁ ଦର୍ଶକଙ୍କୁ ଅନଲାଇନ୍‌ରେ ଟିକଟ୍‌ ପଞ୍ଜୀକରଣ କରି ଷ୍ଟାଡିୟମକୁ ପଶିବାକୁ ଅନୁମତି ଦିଆଯାଇଥିଲା। ଏବେ କିନ୍ତୁ ବିନା ପଞ୍ଜୀକରଣରେ ଦର୍ଶକ ସିଧାସଳଖ ଷ୍ଟାଡିୟମ୍‌କୁ ଯାଇ ପଶ୍ଚିମ ଷ୍ଟାଣ୍ଡ୍‌ ବ୍ୟତୀତ ଅନ୍ୟ ତିନି ଷ୍ଟାଣ୍ଡ୍‌ରେ ବସି ମ୍ୟାଚ୍‌ ଉପଭୋଗ କରିପାରିବେ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପ୍ରତ୍ୟେକ ମ୍ୟାଚ୍‌ରେ ଜମୁଥିବା ଦର୍ଶକଙ୍କ ଭିଡ଼ ଓ ସେମାନଙ୍କ ଉତ୍ସାହକୁ ଶ୍ରୀ ତିର୍କି ଖୁବ୍‌ ପ୍ରଶଂସା କରିଛନ୍ତି।