ପୁଲୱାମା ସହିଦଙ୍କୁ ପଦକ ଉତ୍ସର୍ଗ କଲେ ଅମିତ

ନୂଆଦିଲ୍ଲୀ: ବୁଲଗେରିଆର ସୋଫିଆରେ ଶେଷ ହୋଇଥିବା ଷ୍ଟ୍ରାଞ୍ଜା ସ୍ମାରକୀ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରରେ ଏକମାତ୍ର ଭାରତୀୟ ପୁରୁଷ ଖେଳାଳି ଭାବେ ସ୍ବର୍ଣ୍ଣ ଜିତିଥିବା ଅମିତ ପୋଙ୍ଗଲ ନିଜ ପଦକକୁ ପୁଲୱାମା ସହିଦଙ୍କୁ ଉତ୍ସର୍ଗ କରିଛନ୍ତି। ସେନା ବାହିନୀରେ ଚାକିରି କରୁଥିବା ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ଅମିତ ମଙ୍ଗଳବାର ଫାଇନାଲ୍‌ରେ କାଜକସ୍ତାନର ଟେମିରଟାସ ଝୁସୁପୋଭଙ୍କୁ ହରାଇ ଲଗାତାର ଭାବେ ଦ୍ବିତୀୟ ଥର ଲାଗି ୟୁ‌ରୋପର ଏହି ପୁରାତନ ପ୍ରତିଯୋଗିତାରେ ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ମୁଁ ଭାରତୀୟ ସେନାରେ ଚାକିରି କରିଥିବାରୁ ଗତ ସପ୍ତାହରେ ଯେତେବେଳେ ପୁଲୱାମା‌ ଆକ୍ରମଣରେ ୪୪ ସିଆର୍‌ପିଏଫ୍‌ ଯବାନ ସହିଦ ହେଲେ ତାହା ମୋତେ ବେଶି କଷ୍ଟ ଦେଇଥିଲା। ଆଉ କିପରି ଏଠାରେ ପଦକ ଜିତି ଏହି ସହିଦ ପରିବାରଙ୍କୁ ଉତ୍ସର୍ଗ କରିବି ସେ ଚିନ୍ତାରେ ରହିଥିଲି। ସେହି ମନୋବଳ ହିଁ ସ୍ବର୍ଣ୍ଣ ପଦକ ଜିତିବା‌ରେ ସହଯୋଗ କରିଥି‌ଲା ବୋଲି କହିଛନ୍ତି ୨୩ ବର୍ଷୀୟ ନାଏବ ସୁବେଦାର ଅମିତ୍‌। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ ଭାରତକୁ ୩ ସ୍ବର୍ଣ୍ଣ, ୧ ରୌପ୍ୟ ଏବଂ ୩ କାଂସ୍ୟ ‌ସହ ମୋଟ ୭ ପଦକ ମିଳିଥିଲା ବେଳେ ପୁରୁଷରେ କେବଳ ଅମିତ ପଦକ ଜିତିବାରେ ସଫଳ ହୋଇଥିଲେ। ଅନ୍ୟସବୁ ପଦକ ଭାରତୀୟ ମହିଳା ଯୋଦ୍ଧାମାନେ ‌ଜିତିଥିଲେ। ଅମିତଙ୍କ ଭଳି ମହିଳାରେ ସ୍ବର୍ଣ୍ଣ ପଦକ ଜିତିଥିବା ନିଖାତ ଜାରୀନ (୫୧ କେଜି) ମଧ୍ୟ ନିଜ ପଦକକୁ ସହିଦଙ୍କୁ ଉତ୍ସର୍ଗ କରିଥିଲେ।

ସମ୍ବନ୍ଧିତ ଖବର