ଭାରତୀୟ ଦଳରେ ଓଡ଼ିଶାରୁ ଅମିତ, ନୀଲମ

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ସ୍ପେନ୍‌ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ଲାଗି ଭାରତୀୟ ଦଳ ମଙ୍ଗଳବାର ଘୋଷିତ ହୋଇଛି। ହର୍ମନପ୍ରୀତ ସିଂହଙ୍କ ନେତୃତ୍ବରେ ଘୋଷିତ ଏହି ଦଳରେ ଓଡ଼ିଶାରୁ ୨ ଜଣ ଅମିତ ରୋହିଦାସ ଏବଂ ନୀଲମ ସଞ୍ଜୀବ ଖେସ୍‌ ସ୍ଥାନ ପାଇଛନ୍ତି। ଅଭିଜ୍ଞ ମଧ୍ୟଭାଗ ଖେଳାଳି ମନ୍‌ପ୍ରୀତ ସିଂହଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି। ଦଳରେ ଦୁଇ ନୂଆ ମୁହଁ ମହମ୍ମଦ ରାହିଲ ମୌସିନ ଓ ଏସ୍‌ କାର୍ଥି ରହିଛନ୍ତି। ଏଫ୍‌ଆଇଏଚ୍‌ ୫ଏସ୍‌’ ପ୍ରତିଯୋଗିତା ସହ ଜାତୀୟ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ ପାଇଁ ରାହିଲଙ୍କୁ ଏହି ସୁଯୋଗ ମିଳିଛି। ଏସିଆ କପ୍‌ରେ ପଦାର୍ପଣ କରିଥିବା କାର୍ଥିଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ‘‘ଚଳିତ ସପ୍ତାହାନ୍ତରେ ଭୁବନେଶ୍ବରରେ ଆରମ୍ଭ ହେବାକୁ ଯାଇଥିବା ପ୍ରୋ ଲିଗ୍‌ର ପ୍ରଥମ ଦୁଇ ରାଉଣ୍ଡ ପାଇଁ ଆମେ ଏକ ଅଭିଜ୍ଞ ଦଳ ବାଛିଚୁ। ଏମାନଙ୍କ ମଧ୍ୟରୁ ଦୁଇ ଜଣ ପ୍ରଥମ ଥର ପ୍ରୋ ଲିଗ୍‌ ଖେଳିବେ। ନେତୃତ୍ବ କୌଶଳ ବଢ଼ାଇବା ପାଇଁ ଆମେ ପ୍ରଥମ ୪ ମ୍ୟାଚ୍‌ ଲାଗି ହର୍ମନପ୍ରୀତ୍‌ଙ୍କୁ ଅଧିନାୟକ ନିଯୁକ୍ତ କରିଛୁ’’ ବୋଲି ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ୍‌ କହିଛନ୍ତି।

ଭାରତୀୟ ଦଳ: ଗୋଲ୍‌ରକ୍ଷକ-କ୍ରିଷନ ବାହାଦୁର ପାଠକ, ଶ୍ରୀଜେସ ପାରାଟ୍ଟୁ ରବୀନ୍ଦ୍ରନ, ରକ୍ଷଣଭାଗ-ଜର୍ମନପ୍ରୀତ ସିଂହ, ସୁରେନ୍ଦର କୁମାର, ହର୍ମନପ୍ରୀତ ସିଂହ (ଅଧିନାୟକ), ଅମିତ ରୋହିଦାସ, ଯୁଗରାଜ ସିଂହ, ମନଦୀପ ମୋର, ନୀଲମ ସଞ୍ଜୀବ ଖେସ, ମଧ୍ୟଭାଗ- ସୁମିତ, ମନପ୍ରୀତ ସିଂହ (ଉପଅଧିନାୟକ), ହାର୍ଦିକ ସିଂହ, ମୋଇରାଙ୍ଗଥେମ ରବିଚନ୍ଦ୍ର ସିଂହ, ସାମସେର ସିଂହ, ନୀଳକାନ୍ତ ଶର୍ମା, ରାଜକୁମାର ପାଲ, ମହମ୍ମଦ ରାହିଲ ମୌସିନ, ପୂରୋଭାଗ- ଏସ୍‌ କାର୍ଥି, ମନଦୀପ ସିଂହ, ଅଭିଷେକ, ଦିଲପ୍ରୀତ ସିଂହ ଓ ସୁଖଜିତ ସିଂହ।

ସମ୍ବନ୍ଧିତ ଖବର