ଅମିତ ପଙ୍ଗଲ ବିଶ୍ବର ଏକ ନମ୍ବର ମୁଷ୍ଟିଯୋଦ୍ଧା

ନୂଆଦିଲ୍ଲୀ: ବିଶ୍ବ ରୌପ୍ୟ ପଦକ ବିଜେତା ଅମିତ ପଙ୍ଗଲ (୫୨ କେଜି) ବିଶ୍ବର ଏକ ନମ୍ବର ମୁଷ୍ଟିଯୋଦ୍ଧା ବିବେଚିତ ହୋଇଛନ୍ତି। ଆସନ୍ତା ମାସରେ ଆୟୋଜିତ ହେବାକୁ ଯାଉଥିବା ଅଲିମ୍ପିକ୍‌ ଯୋଗ୍ୟତାପର୍ଯ୍ୟାୟ ପୂର୍ବରୁ ଆନ୍ତର୍ଜାତିକ ଅଲିମ୍ପିକ୍‌ ସମିତି (ଆଇଓସି)ର ମୁଷ୍ଟିଯୁଦ୍ଧ ଟାସ୍କ ଫୋର୍ସ ଅମିତଙ୍କୁ ଏହି ମା‌ନ୍ୟତା ପ୍ରଦାନ କରିଛି। ଫଳରେ ଗୋଟିଏ ଦଶନ୍ଧିରୁ ଅଧିକ ସମୟ ପରେ ବିଶ୍ବ ମାନ୍ୟତାର ଏକ ନମ୍ବର ପାଇବାରେ ସେ ପ୍ରଥମ ଭାରତୀୟ ମୁଷ୍ଟିଯୋଦ୍ଧା ହୋଇଛନ୍ତି। ୨୪ ବର୍ଷ ବୟସ୍କ ଅମିତ ୪୨୦ ପଏଣ୍ଟ୍‌ ସହ ଶୀର୍ଷ ମାନ୍ୟତା ପାଇଥିବା ଆଇଓସି ମୁଷ୍ଟିଯୁଦ୍ଧ ଟାସ୍କଫୋର୍ସ ଦ୍ବାରା ପ୍ରକାଶିତ ତାଲିକାରୁ ସ୍ପଷ୍ଟ ହୋଇଛି। ଏହା ପୂର୍ବରୁ ୨୦୦୯ରେ ଅଲିମ୍ପିକ୍‌ କାଂସ୍ୟ ବିଜେତା ବିଜେନ୍ଦର ସିଂହ ପ୍ରଥମ ଥର ପାଇଁ ଏଭଳି ମାନ୍ୟତା ପାଇଥିଲେ। ବିଜେନ୍ଦର ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ୭୫ କେଜି ବର୍ଗରେ କାଂସ୍ୟ ପଦକ ଜିତିବା ପରେ ଏକ ନମ୍ବର ସ୍ଥାନ ଅକ୍ତିଆର କରିଥିଲେ। ଏବେ ଅମିତ୍ ଅନ୍ୟତମ ଭାରତୀୟ ଭାବେ ଏହି ସ୍ଥାନ ପାଇବା ପରେ ଖୁସି ଜାହିର କରିଛନ୍ତି। ବିଶ୍ବର ଏକ ନମ୍ବର ଯୋଦ୍ଧା ମାନ୍ୟତା ମୋର ଆତ୍ମବିଶ୍ବାସ ବଢ଼ାଇବ। ଫଳରେ ପ୍ରଥମ ଯୋଗ୍ୟତାପର୍ଯ୍ୟାୟରୁ ହିଁ ଅଲିମ୍ପିକ୍‌ ଟିକେଟ ହାସଲ କରିବାର ଆଶା ରଖିବି। ଅମିତଙ୍କ ସଫଳତା ୨୦୧୭ରୁ ଜାରି ରହିଛି। ୨୦୧୮ରେ ସେ ରାଜ୍ୟଗୋଷ୍ଠୀ ଓ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ଗତବର୍ଷ ପ୍ରଥମ ଭାରତୀୟ ଭାବେ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ। ଏହାପରେ ସେ ମଧ୍ୟ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିଲେ।

ଅଲିମ୍ପିକ୍‌ ଯୋଗ୍ୟତାପର୍ଯ୍ୟାୟ ପୂର୍ବରୁ ପ୍ରକାଶିତ ମହିଳା ମୁଷ୍ଟିଯୋଦ୍ଧା ମାନ୍ୟତା ତାଲିକାରେ ୬ ଥର ବିଶ୍ବ ବିଜୟିନୀ ଏମ୍‌ସି ମେରି କମ୍‌ (୫୧ କେଜି) ପଞ୍ଚମ ସ୍ଥାନ ପାଇଥିଲା ବେଳେ ନିଖତ ଜାରିନ୍‌ ୨୨ରେ ରହିଛନ୍ତି। ତେବେ ସର୍ବୋଚ୍ଚ ମାନ୍ୟତାପ୍ରପ୍ତ ଭାରତୀୟ ମହିଳା ଭାବେ ଲଭ୍‌ଲିନା ବୋର୍ଗୋହେଁ ତୃତୀୟ ମାନ୍ୟତା ପାଇଥିଲା ବେଳେ ଏସୀୟ ରୌପ୍ୟ ବିଜୟିନୀ ସୋନିଆ ଚହଲ ଦଶମ ମାନ୍ୟତା ପାଇଛନ୍ତି। ଅନ୍ୟ ଭାରତୀୟଙ୍କ ମଧ୍ୟରେ ଏସୀୟ ରୌପ୍ୟ ବିଜେତା କବିନ୍ଦର ସିଂହ ବିସ୍ତ ସପ୍ତମ, ଗୌରବ ବିଧୁରୀ ୩୨ତମ ମାନ୍ୟତା ପାଇଛନ୍ତି। ପୁରୁଷ ୬୩ କେଜି ବର୍ଗରେ କାଂସ୍ୟ ବିଜେତା ମନୀଷ କୌଶିକ ଦ୍ବାଦଶ, ୪ ଥର ଏସୀୟ ପଦକ ବିଜେତା ଶିବ ଥାପ୍ପା ୩୬, ୩ ଥର ରାଜ୍ୟଗୋଷ୍ଠୀ ପଦକ ବିଜେତା ମନୋଜ କୁମାର ୭୧ ଓ ଆଶିଷ ୨୨ତମ ମାନ୍ୟତା ପାଇଛନ୍ତି।

ସମ୍ବନ୍ଧିତ ଖବର