ଟୋକିଓ ଅଲିମ୍ପିକ୍ସ ଟିକେଟ ପାଇଁ ବିଜୟ ଛଡ଼ା ବିକଳ୍ପ ନାହିଁ: ଅମିତ

ଭୁବନେଶ୍ୱର : ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପାଇଁ ‌ଘୋଷିତ ହୋଇଥିବା ୧୮ ଜଣିଆ ଭାରତୀୟ ଦଳରେ ଅଛନ୍ତି ସ୍ଥାନୀୟ ତାରକା ଅମିତ ରୋହିଦାସ। ଭାରତୀୟ ରକ୍ଷଣଭାଗର ଏହି ଓଡ଼ିଆ ଯୋଦ୍ଧା ଦୁଇ ଦିନରେ ଦୁଇଟି ମ୍ୟାଚ୍ ଖେଳିବା ନେଇ ଚିନ୍ତିତ ନାହାନ୍ତି। ତେବେ ଟୋକିଓ ଅଲିମ୍ପିକ୍ସ ଟିକେଟ ପାଇଁ ରୁଷିଆକୁ ଉଭୟ ମ୍ୟାଚ୍‌ରେ ମାତ୍ ଦେବା ଭାରତ ପାଇଁ ଏକାନ୍ତ ଅପରିହାର୍ଯ୍ୟ ବୋଲି ସ୍ବୀକାର କରିଛନ୍ତି। ଅମିତ କହିଛନ୍ତି ଯେ ଆମେ ସେମାନଙ୍କ ଖେଳିବା ଶୈଳୀକୁ ଅନୁସରଣ କରୁଛୁ। ଭିଡିଓ ଦେଖି ସେହି ଅନୁସାରେ ପ୍ରସ୍ତୁତି କରୁଛୁ। ଆମେ ଯେଉଁ ଯୋଜନା କରିଛୁ, ସେହି ଅନୁସାରେ ଖେଳିବାକୁ ହେବ। କାରଣ ବିଜୟ ଛଡ଼ା ଆମ ପାଖରେ ଆଉ କୌଣସି ବିକଳ୍ପ ନାହିଁ। ୨୦୨୦ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବା ଲାଗି ଏହା ଆମ ପାଇଁ ଶେଷ ସୁଯୋଗ। ରୁଷିଆକୁ ଆମେ କୌଣସି ପରିସ୍ଥିତିରେ ହାଲକା ଭାବେ ନେବୁନାହିଁ। ଗତ ମ୍ୟାଚ୍‌ରେ ଅବଶ୍ୟ ଆମେ ରୁଷିଆକୁ ସହଜରେ ହରାଇଥିଲୁ। ତେବେ ତାହା ଅତୀତ। ସଂପ୍ରତି ଏହାର କୌଣସି ମାନେ ନାହିଁ। ରୁଷିଆ ବିଶ୍ବ ମାନ୍ୟତାର ୨୨ତମ ସ୍ଥାନରେ ଥିଲେ ମଧ୍ୟ ବିପର୍ଯ୍ୟୟ ସୃଷ୍ଟି କରିବାକୁ ପୂରା ସକ୍ଷମ। ଘରୋଇ ପଡ଼ିଆରେ ଖେଳୁଥିବାରୁ ମୁଁ ପୁଣି ଥରେ ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଭରପୁର ଚେଷ୍ଟା କରିବି। ଗ୍ରାହାମ ରିଡ୍‌ଙ୍କୁ ଜଣେ ଦକ୍ଷ ପ୍ରଶିକ୍ଷକ ଭାବେ ବର୍ଣ୍ଣନା କରିଛନ୍ତି ଅମିତ। ରିଡ୍ ଭଲ ଯୋଜନା କରିଛନ୍ତି। ସେହି ଅନୁସାରେ ଖେଳିଲେ ଆମେ ଓଡ଼ିଶାରେ ହିଁ ଅଲିମ୍ପିକ୍ସ ଟିକେଟ ପାଇବୁ ବୋଲି ସେ ମତ ରଖିଛନ୍ତି। ଷ୍ଟାଡିୟମ ଆସି ପୁଣି ଥରେ ଭାରତ ପାଇଁ ଦ୍ବାଦଶ ଖେଳାଳିର କାମ କରିବାକୁ ଅମିତ ସ୍ଥାନୀୟ ହକି ପ୍ରେମୀଙ୍କୁ ଆହ୍ବାନ କରିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ଅନ୍ତର୍ଜାତୀୟ ମହିଳା ମ୍ୟାଚ୍ ଖେଳାଯିବାକୁ ସ୍ବାଗତ କରିଛନ୍ତି ସେ। ମହିଳା ଦଳ ମଧ୍ୟ ଆମେରିକାକୁ ହରାଇ ତୃତୀୟ ଥର ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବ ବୋଲି ଅମିତ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର