ଭୁବନେଶ୍ବର: ଓଡ଼ିଆ ହକି ତାରକା ଅମିତ ରୋହିଦାସ ୪ କୋଟି ଟଙ୍କା ପାଇବେ। ପ୍ୟାରିସ୍‌ ଅଲିମ୍ପିକ୍ସ-୨୦୨୪ରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ହକି ଟିମ୍‌ ପାଇଁ ପୁରସ୍କାର ଘୋଷଣା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏହି ଘୋଷଣା କରିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ମିଳିବ।

Advertisment

ଏହା ପୂର୍ବରୁ ମୋହନ ମାଝୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି, ଅଲିମ୍ପିକ୍ସ ପୁରୁଷ ହକିରେ ସ୍ପେନକୁ ୨-୧ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ଭାରତୀୟ ହକି ଦଳକୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଏହି ବିଜୟ କୋଟି କୋଟି ଭାରତୀୟଙ୍କ ପାଇଁ ଗର୍ବ ଏବଂ ଗୌରବର ବିଷୟ।

ସୂଚନାଯୋଗ୍ୟ, ଏହି ମ୍ୟାଚରେ ସ୍ପେନ ପ୍ରଥମ ଏକ ଗୋଲ ଦେଇ ୧-୦ରେ ଆଗୁଆ ରହିଥିଲା। ସ୍ପେନ୍‌ ପକ୍ଷରୁ ମିରାଲେସ ଏକ ପେନାଲ୍ଟି ଷ୍ଟ୍ରୋକକୁ ଗୋଲରେ ପରିବର୍ତ୍ତନ କରିଥିଲେ। ତେବେ ଭାରତୀୟ ଦଳ ତା’ର ଦ୍ୱିତୀୟ ପିସିରେ ସ୍ପେନ୍ ବିପକ୍ଷରେ ୧-୧ ଗୋଲ୍ ରେ ବରାବର କରିଥିଲା। ଦ୍ବିତୀୟ କ୍ୱାର୍ଟର ଶେଷ ହେବା ପୂର୍ବରୁ ଭାରତୀୟ ଦଳ ଏହି ଚମତ୍କାର ଗୋଲ ସ୍କୋର କରିଥିଲା। ଭାରତ ପକ୍ଷରୁ ହରମନପ୍ରୀତ ସିଂହ ଏହି ଗୋଲ୍ ଦେଇଥିଲେ।

ତୃତୀୟ କ୍ବାର୍ଟରରେ ଭାରତୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହି ସୁଯୋଗରେ ଭାରତ ଆଉ ଏକ ଗୋଲ ଦେଇ ୨-୧ରେ ଆଗୁଆ ହୋଇଯାଇଥିଲା। ଭାରତ ପକ୍ଷରୁ ହରମନପ୍ରୀତ ସିଂହ ଏହି ଗୋଲ୍ ଦେଇଥିଲେ। ଶେଷ କ୍ବାର୍ଟରରେ ଉଭୟ ଦଳ ପରସ୍ପର ଉପରେ ଘନ ଘନ ଆକ୍ରମଣ କରିଥିଲେ। ତେବେ ମ୍ୟାଚ ଶେଷ ପର୍ଯ୍ୟନ୍ତ ଭାରତ ଏହି ଅଗ୍ରଣୀ ବଜାୟ ରଖିବାକୁ ସକ୍ଷମ ହୋଇଥିଲା ଓ ଏକ ଚମତ୍କାର ବିଜୟ ସହ ନିଜର ଅଲିମ୍ପିକ ଅଭିଯାନ  ବ୍ରୋଞ୍ଜ ପଦକ ସହ ଶେଷ କରିଥିଲା।