ଅଲିମ୍ପିକ୍ସ ଯେବେ ହେଲେ ବି ପଦକ ଆଣିବି: ଅମିତ

ନୂଆଦିଲ୍ଲୀ: ମହାମାରୀ କରୋନା ଭୂତାଣୁ ଲାଗି ଟୋକିଓ ଅଲିମ୍ପିକ୍ସ ୨୦୨୧କୁ ଘୁଞ୍ଚି ଯାଇଛି। ହେଲେ ଜୁନ୍‌ରେ ହେବାକୁଥିବା ଏହି ବହୁରାଷ୍ଟ୍ରୀୟ ପ୍ରତିଯୋଗିତା ପାଇଁ ବହୁ ଖେଳାଳି ଯୋଗ୍ୟତା ଅର୍ଜନ କରିବା ସହ ଜୋରଦାର ଅଭ୍ୟାସ ମଧ୍ୟ ଆରମ୍ଭ କରି ଦେଇଥିଲେ। ଭାରତୀୟ ମୁଷ୍ଟିଯୁଦ୍ଧା ଅମିତ ‌ପଙ୍ଗଲ ୫୨ କେଜି ବର୍ଗରେ ଯୋଗ୍ୟତା ଅର୍ଜନ କରିବା ସହ ଅଲିମ୍ପିକ୍ସ ପଦକ ସ୍ବପ୍ନ ଦେଖିଥିଲେ। ତେବେ ଅଲିମ୍ପିକ୍ସ ଘୁଞ୍ଚିଯିବା ପରେ ସେ ନିରାଶ ହୋଇନାହାନ୍ତି। ପୂର୍ବ ପରି ଅଭ୍ୟାସ ଜୋରଦାର ଚଲାଇଛନ୍ତି। ସଂପ୍ରତି ଦେଶରେ କରୋନା ପାଇଁ ଫାଟକବନ୍ଦି ‌ହୋଇଥିଲା ବେଳେ ସେ ମୁହଁରେ ତୁଣ୍ଡି ଓ ହାତରେ ପ୍ରକ୍ଷାଳକ ବ୍ୟବହାର କରି ଅଭ୍ୟାସ କରୁଛନ୍ତି। ମୋର ସ୍ବପ୍ନ ଅଛି ଅଲିମ୍ପିକ୍ସ ପଦକ ଜିତିବା। ଅଲିମ୍ପିକ୍ସ ଏ ବର୍ଷ ହେଉକି ଆର ବର୍ଷ ହେଉ। ମୋର ଅଲିମ୍ପିକ୍ସ ଭୋକ ପୂର୍ବ ପରି ରହିବ। ଦେଶ ପାଇଁ ଅଲିମ୍ପିକ୍ସ ପଦକ ଜିତିବା ମୋର ଏକ ମାତ୍ର ଲକ୍ଷ୍ୟ ବୋଲି ଅମିତ ଏକ ସାକ୍ଷାତକାରରେ କହିଛନ୍ତି। ସ୍ବାସ୍ଥ୍ୟ ହେଉଛି ପ୍ରଥମ। ଅଲିମ୍ପିକ୍ସ ସ୍ଥଗିତ ରହିବା ନିଶ୍ଚିତ ଦୁଃଖର କଥା, ଖାଲି ମୋର ନୁହେଁ ଅନ୍ୟ ଖେଳାଳିଙ୍କ ପାଇଁ ମଧ୍ୟ। ସଂପ୍ରତି ଭାରତୀୟ ମୁଷ୍ଟିଯୋଦ୍ଧାମାନେ ପୂରା ଲୟରେ ଥିଲେ। କିନ୍ତୁ ନିଜକୁ ସୁରକ୍ଷିତ ରଖିବା ହେଉଛି ପ୍ରଥମ କର୍ତବ୍ୟ। ଆମର ପ୍ରଶଂସକ, କ୍ରୀଡ଼ାବିତ୍‌ ଓ ଦେଶବସୀଙ୍କ ସ୍ବାସ୍ଥ୍ୟକୁ ନଜରରେ ରଖିବାକୁ ପଡ଼ିବ। ଏବେ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ଏହାକୁ ସମ୍ମାନ ଦେଉଛି ବୋଲି ଏହି ଭାରତୀୟ ମୁଷ୍ଟିଯୋଦ୍ଧା ପ୍ରକାଶ କରିଛନ୍ତି। ମୋତେ ଏବେ ଅଧିକ ସମୟ ମିଳି ଯାଇଛି। ଆସନ୍ତା ବର୍ଷ ପାଇଁ ମୁଁ ଅଧିକରୁ ଅଧିକ ଅଭ୍ୟାସ କରିପାରିବି ବୋଲି ୨୦୧୯ ବିଶ୍ବ ପ୍ରତିଯୋଗିତା ରୌପ୍ୟ ବିଜେତା କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ ମାନିବାକୁ ସେ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ୨୧ ଦିନର ଫାଟକବନ୍ଦି ମୋତେ ଆଶ୍ଚର୍ଯ୍ୟ କରିଥିଲା। କିନ୍ତୁ କରୋନା ବିପକ୍ଷ ଲଢ଼େଇ ପାଇଁ ଏହା ନିତ୍ୟାନ୍ତ ଆବଶ୍ୟକ ଥିଲା। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ଶୁଣ ଏବଂ ପାଳନ କର। ମୁଁ ଏହି ଫାଟକବନ୍ଦି ସମୟରେ ବାହାରକୁ ନ ଯାଇ ଘରେ ଅଭ୍ୟାସ କରୁଛି ବୋଲି କହିଛନ୍ତି ଅମିତ। ମୁଁ ନିୟମିତ ଭାବେ ହାତକୁ ଧୋଇବା ସହ ପ୍ରକ୍ଷାଳକ କରୁଛି। ମୋର ସବୁଦିନିଆ କାର୍ଯ୍ୟରେ ଏହା ଯୋଡ଼ି ଦେଇଛି। ମୁଁ ଏବେ ସବୁ ପ୍ରକାର ଆହ୍ବାନକୁ ଗ୍ରହଣ କରିବା ଲାଗି ପ୍ରସ୍ତୁତ ବୋଲି ସେ କହିଛନ୍ତି। ଦୟାକରି ଘରେ ରୁହ, ସୁରକ୍ଷିତ ରୁହ। ଘରେ ରହିଲେ ଜୀବନ ରହିବ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରାମର୍ଶ ମାନିବାକୁ ଦେଶବାସୀଙ୍କୁ‌ ଅମିତ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର