ଆର୍ଜେଣ୍ଟିନା ବିପକ୍ଷ ଦଳରେ ଅମିତ, ଶିଳାନନ୍ଦ

ଭୁବନେଶ୍ବର: ଚଳିତ ମାସ ୧୯ ଓ ୨୦ ଦୁଇ ଦିନ ଧରି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଆର୍ଜେଣ୍ଟିନା ବିପକ୍ଷ ପ୍ରୋ ଲିଗ୍ ହକି ମ୍ୟାଚ୍ ଲାଗି ହକି ଇଣ୍ଡିଆ ବୁଧବାର ୨୨ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଏଥିରେ ଦୁଇ ଓଡ଼ିଆ ତାରକା ଅମିତ ରୋହିଦାସ ଓ ଶିଳାନନ୍ଦ ଲାକ୍ରା ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷ‌ରେ ଦୀପସାନ ତିର୍କି, ନୀଲମ ସଞ୍ଜୀବ ଖେସ୍ ଏବଂ ଆଶିଷ କୁମାର ଟପ୍ନୋ ଷ୍ଟାଣ୍ଡବାଏ ଭାବେ ରହିଛନ୍ତି। ଏହି ମ୍ୟାଚ୍‌ରେ ମଧ୍ୟଭାଗ ଖେଳାଳି ମୋଇରଙ୍ଗଥେମ ରବିଚନ୍ଦ୍ର ସିଂହ ବରିଷ୍ଠସ୍ତରୀୟ ଅନ୍ତର୍ଜାତୀୟ ହକିରେ ପଦାର୍ପଣ କରିବେ ବୋଲି ହକି ଇଣ୍ଡିଆ‌ ସ୍ପଷ୍ଟ ସୂଚନା ଦେଇଛି। ରବିଚନ୍ଦ୍ର ଏଫ୍‌ଆଇଏଚ୍ କନିଷ୍ଠ ବିଶ୍ବକପ୍ ଖେଳିଥିବା ଭାରତୀୟ ଦଳର ସଦସ୍ୟ ଥିଲେ। ସେଠାରେ ପ୍ରଭାବୀ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ସେପଟେ ପଞ୍ଜାବର ଅଗ୍ରଭାଗ ଖେଳାଳି ଗୁରଜାନ୍ତ ସିଂହ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭାରତୀୟ ଦଳରେ ମଧ୍ୟ ଆଉ ଦୁଇ ତିନିଟି ଛୋଟ କାଟିଆ ଅଦଳ ବଦଳ କରାଯାଇଛି। ଗୋଲ୍‌ରକ୍ଷକ ସୁରଜ କେର୍କେରାଙ୍କ ସ୍ଥାନ କୃଷ୍ଣ ବାହାଦୁର ପାଠକ ଏବଂ ମନଦୀପ ମୋର ଓ ଦୀପସାନ ତିର୍କିଙ୍କ ସ୍ଥାନ ଅମିତ ରୋହିଦାସ ଓ ଯୁଗରାଜ ସିଂହ ନେଇଛନ୍ତି। ମନପ୍ରୀତ ସିଂହ ଦଳର ଅଧିନାୟକ ପଦ ବଜାୟ ରଖିଥିଲା ବେଳେ ହର୍ମନପ୍ରୀତ ସିଂହ ଉପଅଧିନାୟକ ପଦ ପାଇଛନ୍ତି। ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ରେ ଭାରତକୁ ଏପର୍ଯ୍ୟନ୍ତ ମିଶ୍ର ଫଳ ମିଳିଛି। ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୨-୦ରେ ପରାସ୍ତ କରିଥିଲା। ଅନ୍ୟ ପକ୍ଷରେ ଫ୍ରାନ୍ସ ଏବଂ ସ୍ପେନ୍ ବିପକ୍ଷରେ ଗୋଟିଏ ଲେଖାଏଁ ଜୟ-ପରାଜୟ ପାଇଛି।

ଭାରତୀୟ ଦଳ: ଗୋଲ୍‌ରକ୍ଷକ-ପିଆର ଶ୍ରୀଜେଶ, କୃଷ୍ଣ ବାହାଦୁର ପାଠକ। ରକ୍ଷଣଭାଗ ଖେଳାଳି: ହର୍ମନପ୍ରୀତ ସିଂହ, ଯୁଗରାଜ ସିଂହ, ସୁରେନ୍ଦ୍ର କୁମାର, ବରୁଣ କୁମାର, ଜର୍ମନପ୍ରୀତ ସିଂହ, ଅମିତ ରୋହିଦାସ। ମଧ୍ୟଭାଗ ଖେଳାଳି: ମନପ୍ରୀତ ସିଂହ, ବିବେକ ସାଗରପ୍ରସାଦ, ହାର୍ଦିକ ସିଂହ, ସୁମିତ ସମସେର ସିଂହ, ନୀଳକାନ୍ତ ଶର୍ମା, ମୋଇରଙ୍ଗଥମ ରବିଚନ୍ଦ୍ର ସିଂହ। ଅଗ୍ରଭାଗ ଖେଳାଳି: ଗୁରଜାନ୍ତ ସିଂହ, ମନଦୀପ ସିଂହ, ଲଳିତ କୁମାର ଉପାଧ୍ୟାୟ, ଶିଳାନନ୍ଦ ଲାକ୍ରା, ସୁଖଜିତ ସିଂହ, ଅଭିଷେକ, ଦିଲପ୍ରୀତ ସିଂହ। ଷ୍ଟାଣ୍ଡବାଏ: ସୁରଜ କେର୍କେରା, ମନଦୀପ ମୋର, ଦୀପସାନ ତିର୍କି, ନୀଲମ ସଞ୍ଜୀବ ଖେସ୍, ସଞ୍ଜୟ, ଯଶକରଣ ସିଂହ, ଆକାଶଦୀପ ସିଂହ, ଆଶିଷ କୁମାର ଟପ୍ନୋ, ଗୁରସାହିବଜିତ ସିଂହ, ମହମ୍ମଦ ରହିଲ।

ସମ୍ବନ୍ଧିତ ଖବର