ଅମିତ୍‌ ରାଜ୍ୟ ଓପନ୍‌ ଚେସ୍‌ ବିଜେତା

ଭୁବନେଶ୍ୱର: ରବିବାର ଶେଷ ହୋଇଥିବା ରାଜ୍ୟ ଓପନ୍‌ ଚେସ୍‌ ପ୍ରତିଯୋଗିତାରେ ଭୁବନେଶ୍ୱରର ଅମିତ ମହାନ୍ତି ବିଜେତା ହୋଇଛନ୍ତି। ୯ ରାଉଣ୍ଡ୍‌ ବିଶିଷ୍ଟ ପ୍ରତିଯୋଗିତାରେ ଅମିତ ସର୍ବାଧିକ ୮.୫ ପଏଣ୍ଟ୍‌ ପାଇଥିଲେ। ତାଙ୍କ ପଛକୁ ପିପିଲିର ଏସ୍‌ ମାନସ (୭.୫), ଭୁବନେଶ୍ୱରର ତନ୍ମୟ କୁମାର, ଭୁବନେଶ୍ୱରର ଦୟାନିଧି ରାଉତ, ଦାଣ୍ଡମୁକୁନ୍ଦପୁରର ପ୍ରକାଶ ସାହୁ, କୁମାର ଅଶୋକ, ଏନ୍‌ ସୁର୍‌ଜିତ୍‌, ଶୈଳେନ୍ଦ୍ରନାଥ ରାଉତ (ସମସ୍ତେ ୭), ମାନସ ରଞ୍ଜନ ପରିଡ଼ା ଓ ନଟବର ଦାସ (ଉଭୟେ ୬.୫) ଯଥାକ୍ରମେ ଦ୍ୱିତୀୟରୁ ଦଶମ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ ୨୦ ଜଣଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି। ଓଡ଼ିଶା ରାଜ୍ୟ ଚେସ୍‌ ସଂଘର ସଂପାଦକ ସ୍ମୃତି ରଞ୍ଜନ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସଚିବାଳୟ ରିକ୍ରିଏସନ୍‌ କ୍ଲବ୍‌ର ସାଧାରଣ ସଂପାଦକ ମାନଗୋବିନ୍ଦ ଦଳେଇ, ପୁରୀ ଜିଲ୍ଲା ଚେସ୍‌ ସଂଘର ସଂପାଦକ ଡ. ବିମଳ ପ୍ରସାଦ ମହାନ୍ତି, ରାଜ୍ୟ ସଂଘର ଉପସଭାପତି ଅରାତି ବିଜୟ ମହାନ୍ତି, ସଂଘର କ୍ରୀଡ଼ା ନିର୍ଦେଶକ ଦେବାଶିଷ ପାଣିଗ୍ରାହୀ ଓ ଯୁଗ୍ମ ସଂପାଦକ ବଂଶୀଧର ଭୋଇ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ ବୟସ (୭, ୯, ୧୧, ୧୩, ୧୫ ଓ ବାଳିକା) ବର୍ଗରେ ଶ୍ରେଷ୍ଠ ୪ ଲେଖାଏଁ ଖେଳାଳିଙ୍କୁ ସ୍ୱତନ୍ତ୍ର ପୁରସ୍କାର ମିଳିଥିଲା। ସ୍ନେହାଞ୍ଜଳି ପ୍ରଧାନ (୫) ଓ ଭୀମସେନ ପ୍ରଧାନ (୬) ଯଥାକ୍ରମେ ଶ୍ରେଷ୍ଠ ମହିଳା ଓ ଶ୍ରେଷ୍ଠ ଭେଟେରାନ୍‌ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର