ଭୁବନେଶ୍ବର: ଓଡ଼ିଆ ରକ୍ଷଣଭାଗ ଖେଳାଳି ଅମିତ ରୋହିଦାସ ୨୦୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଭାରତ-ଜର୍ମାନୀ ଦ୍ବିପାକ୍ଷିକ ହକି ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ଖେଳି ଗୁରୁବାର ଏହି ମାଇଲଖୁଣ୍ଟ ଛୁଇଁଛନ୍ତି ସେ। ଏଥିଲଗି ଅମିତଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି। ହକି ଇଣ୍ଡିଆ ଏକ୍ସ ପୃଷ୍ଠାରେ ଲେଖା ଲେଖି ଭାରତୀୟ ହକି ପ୍ରତି ସେ ଦେଇଥିବା ଅବଦାନକୁ ସଲାମ କରିଛି। ଏକମାତ୍ର ଓଡ଼ିଆ ହକି ଖେଳାଳି ଭାବେ ଦୁଇଟି ଅଲିମ୍ପିକ୍ସ ପଦକ ଜିତିଥିବା ଅମିତ ୧୧ ବର୍ଷ ତଳେ ୨୦୧୩ ମସିହାରେ ସୁଲତାନ ଆଜଲାନ୍ ଶାହ ହକି ପ୍ରତିଯୋଗିତାରେ ବରିଷ୍ଠସ୍ତରୀୟ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ରାଉରକେଲାର ପାନପୋଷ କ୍ରୀଡ଼ା ଛାତ୍ରାବାସରୁ ହକି ଜୀବନ ଆରମ୍ଭ କରି ବିଶ୍ବର ଅନ୍ୟତମ ସମ୍ମାନିତ ତଥା ସଫଳ ରକ୍ଷଣଭାଗ ଖେଳାଳି ପାଲଟିଥିବା ଅମିତ ପଦାର୍ପଣର ୪ ବର୍ଷ ପର୍ଯ୍ୟନ୍ତ ଭାରତୀୟ ଦଳର ନିୟମିତ ସଦସ୍ୟ ଥିଲେ। ଏହା ପରେ କିନ୍ତୁ ଫିଟ୍ନେସ୍ ସମସ୍ୟା ପାଇଁ ବାଦ୍ ପଡ଼ିଥିଲେ। ତେବେ ୨୦୧୭ ମସିହାରେ ହକି ଇଣ୍ଡିଆ ଲିଗ୍ରେ ଚମତ୍କାର ପ୍ରଦର୍ଶନ କରି ଜାତୀୟ ଦଳକୁ ଫେରିବା ପରେ ଆଉ ପଛକୁ ଫେରି ନାହାନ୍ତି ସେ। ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତକୁ ବିଜୟୀ କରାଇଥିବା ଅମିତ ଭାରତର ଐତିହାସିକ ଟୋକିଓ ଅଲିମ୍ପିକ୍ସ ପଦକ ବିଜୟରେ ନିର୍ଣ୍ଣାୟକ ଭୂମିକା ନେଇଥିଲେ। ସେ ମଧ୍ୟ ପ୍ୟାରିସ୍ରେ ଭାରତୀୟ ହକି ଦଳର ଲଗାତାର କାଂସ୍ୟ ପଦକ ବଜାୟ ରଖିବାର ଅନ୍ୟତମ ନିରବ ନାୟକ ଥିଲେ। ଯୁଗଳ ଅଲିମ୍ପିକ୍ସ ପଦକ ବିଜୟ ସହ କନିଷ୍ଠ ଏସିଆ କପ୍ରେ କାଂସ୍ୟ, ୨୦୧୭ ହକି ବିଶ୍ବଲିଗ୍ରେ କାଂସ୍ୟ, ୨୦୨୨ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ, ୨୦୧୮ ଚାମ୍ପିଅନ୍ସ ଟ୍ରଫି ହକିରେ ରୌପ୍ୟ, ୨୦୨୩ ଓ ୨୦୨୪ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ସ୍ବର୍ଣ୍ଣ, ୨୦୧୩ ଓ ୨୦୧୭ ଏସିଆ କପ୍ରେ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିବା ହେଉଛି ତାଙ୍କ ଘଟଣା ବହୁଳ କ୍ୟାରିୟର୍ର ଅନ୍ୟତମ ବଡ଼ ଉପଲବ୍ଧି। ୨୦୦ ମ୍ୟାଚ୍ ଖେଳିବାର ଅନନ୍ୟ ସଫଳତା ଲାଭ କରିବା ପରେ ଅମିତ କହିଛନ୍ତି, ଘରୋଇ ପରିବେଶ (ନୂ୍ଆଦିଲ୍ଲୀର ମେଜର୍ ଧ୍ୟାନଚାନ୍ଦ ଷ୍ଟାଡିୟମ୍)ରେ ଏଭଳି ଏକ ମାଇଲ୍ଖୁଣ୍ଟ ଛୁଇଁଥିବାରୁ ଗର୍ବ ଲାଗୁଛି। ଭାରତୀୟ ଦଳ ସହ ବହୁ ସ୍ମରଣୀୟ ସଫଳତା ପାଇଛି। ଆଗକୁ ମଧ୍ୟ ଏହି ଧାରା ବଜାୟ ରଖିବି ବୋଲି ଆଶା ରଖିଛି। ୩୧ ବର୍ଷୀୟ ଅମିତ ୨୦୨୧ ମସିହାରେ ସମ୍ମାନଜନକ ଅର୍ଜୁନ ପୁରସ୍କାର ବି ପାଇସାରିଛନ୍ତି। ସେହିଭଳି ଅନ୍ୟତମ ଭାରତୀୟ ତାରକା ସୁମିତ ମଧ୍ୟ ଏହି ମ୍ୟାଚ୍ରେ ୧୫୦ ମ୍ୟାଚ୍ ଖେଳିବାର ଗୌରବ ଲାଭ କରିଛନ୍ତି।
ଦ୍ବିତୀୟ ହକି ଟେଷ୍ଟ୍ ଜିତି ଶୃଙ୍ଖଳା ହାରିଲା ଭାରତ
ନୂଆଦିଲ୍ଲୀ: ଜର୍ମାନୀ ବିପକ୍ଷ ଘରୋଇ ହକି ଟେଷ୍ଟ୍ ଶୃଙ୍ଖଳାକୁ ଭାରତ ହାତଛଡ଼ା କରିଛି। ପ୍ରଥମ ମ୍ୟାଚ୍ରେ ହାରିଥିବା ଭାରତ ଗୁରୁବାର ଦ୍ବିତୀୟ ମ୍ୟାଚ୍କୁ ୫-୩ ଗୋଲ୍ରେ ଜିତି ଶୃଙ୍ଖଳାକୁ ୧-୧ ସ୍ତରକୁ ଆଣିଥିଲା। ତେଣୁ ଶୃଙ୍ଖଳାର ବିଜେତା ନିର୍ଧାରଣ ଲାଗି ସୁଟ୍ଆଉଟ୍ର ସହଯୋଗ ନିଆଯାଇଥିଲା। ଏଥିରେ ଜର୍ମାନୀ ୩-୧ରେ ଜିତି ଶୃଙ୍ଖଳା କରାୟତ୍ତ କରି ନେଇଛି। ଗୁରୁବାର ଅଲିମ୍ପିକ୍ ରୌପ୍ୟ ବିଜେତା ତଥା ବିଶ୍ବ ବିଜେତା ଜର୍ମାନୀ ମ୍ୟାଚ୍ର ସପ୍ତମ ମିନିଟ୍ରେ ଏଲିଆନ୍ ମାଜକୌରଙ୍କ ଗୋଲ୍ରେ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଦ୍ବିତୀୟ କ୍ବାର୍ଟର ଗୋଲ୍ ଶୂନ୍ୟରେ ଶେଷ ହୋଇଥିଲା। ତୃତୀୟ କ୍ବାର୍ଟରରେ ଭାରତ ପ୍ରତ୍ୟାବର୍ତ୍ତନ କରି ସୁଖଜିତ ସିଂହ (୩୪ ମିନିଟ୍)ଙ୍କ ଗୋଲ୍ରେ ସ୍ଥିତି ସମାନ କରିଥିଲା। ଏହାପରେ ଅଧିନାୟକ ହର୍ମନପ୍ରୀତ ସିଂହ (୪୨, ୪୩ ମିନିଟ୍) ଦୁଇଟି ଓ ଅଭିଷେକ (୪୫ ମିନିଟ୍) ଗୋଟିଏ ଗୋଲ୍ ଲଦି ଭାରତକୁ ୪-୧ରେ ଆଗୁଆ କରିଥିଲେ। ୪୮ତମ ମିନିଟ୍ରେ ସୁଖଜିତଙ୍କ ଗୋଲ୍ରେ ଭାରତ ସ୍ଥିତି ୫-୧ କରିଥିଲା। ଶେଷ ୩ ମିନିଟ୍ରେ ମାଜକୌର (୫୭ ମିନିଟ୍) ଓ ହେନରିକ୍ ମେର୍ଟଗେନ୍ସ (୬୦ ମିନିଟ୍) ଦୁଇଟି ଗୋଲ୍ ଶୁଝି ପରାଜୟ ବ୍ୟବଧାନକୁ ସାମାନ୍ୟ କମାଇଥିଲେ। ଶୃଙ୍ଖଳା ବିଜୟ ଲାଗି ହୋଇଥିବା ପେନାଲ୍ଟି ସୁଟ୍ଆଉଟ୍ରେ ଭାରତର ହର୍ମନପ୍ରୀତ, ଅଭିଷେକ ଓ ମହମ୍ମଦ ରାହିଲ ଗୋଲ୍ ଦେବାରେ ବିଫଳ ହୋଇଥିଲା ବେଳେ କେବଳ ଆଦିତ୍ୟ ଲାଲାଗେ ସଫଳ ହୋଇଥିଲେ। ଭାରତର ଗୋଲି କୃଷ୍ଣ ବାହାଦୁର ପାଠକ ୨ଟି ଗୋଲ୍ ଅଟକାଇଥିଲେ ମଧ୍ୟ ୩ ଗୋଲ୍ ଅଟକାଇବାରେ ବିଫଳ ହେବାରୁ ଭାରତ ପରାଜୟ ବରଣ କରିବାକୁ ବାଧ୍ୟ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/25/Qyion37uTJTkpKT3brQz.jpg)