କରୋନା ଦେଇଛି ଆର୍ଥିକ ଆଘାତ : ଅମିୟ ମଲ୍ଲିକ

ଭୁବନେଶ୍ବର : ଦେଶର ଦ୍ରୁତତମ ଧାବକ ତଥା ଓଡ଼ିଶା କ୍ରୀଡ଼ାର ଅନ୍ୟତମ ସଫଳ ତାରକା ଅମିୟ ମଲ୍ଲିକଙ୍କ ପାଇଁ କରୋନା ଏକ ବିରାଟ ଆହ୍ବାନ ନେଇ ଆସିଛି। ଏହି ଅଦିନିଆ ବିପତ୍ତି ଲାଗି ତାଙ୍କ ଅଭ୍ୟାସ ବାଧାପ୍ରାପ୍ତ ହୋ‌ଇଛି। ସେ ମଧ୍ୟ ଆର୍ଥିକ କ୍ଷତି ସହିଛନ୍ତି। ୧୦୦ ମିଟରକୁ ୧୦.୨୬ ସେକେଣ୍ଡରେ ଦୌଡ଼ି ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିବା ଏହି ୨୭ ବର୍ଷୀୟ ଯୁବକଙ୍କ ପାଇଁ ଗତ ଋତୁ ଆଦୌ ଭଲରେ କଟି ନଥିଲା। ଆଘାତ ଜନିତ ସମସ୍ୟା ପାଇଁ ସେ ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପାରି ନଥିଲେ। ଫଳରେ ରାଜ୍ୟ ସରକାର ତାଙ୍କୁ ଦେଉଥିବା ଅନୁଦାନକୁ କିଛି ମାତ୍ରାରେ କମାଇ ଦେଇଥିଲେ। ସେଥିପାଇଁ ନିଜସ୍ବ ପାଣ୍ଠି ଉପଯୋଗ କରିବା ଛଡ଼ା ଅନ୍ୟ ‌କୌଣସି ବିକଳ୍ପ ତାଙ୍କ ପାଖରେ ନଥିଲା। ଚଳିତ ବର୍ଷ ପ୍ରାରମ୍ଭରୁ ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିବା ଲାଗି ଅମିୟ କଠିନ ପରିଶ୍ରମ କରୁଥିଲେ। ଏଥର ସେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଦୌଡ଼ିବେ ବୋଲି ସ୍ବପ୍ନ ଦେଖିଥିଲେ। ହେଲେ କରୋନା ପାଇଁ ସବୁକିଛି ଓଲଟ ପାଲଟ ହୋଇ ଯାଇଛି। ଅଲିମ୍ପିକ୍ସ ଆହୁରି ଗୋଟିଏ ବର୍ଷ ପାଇଁ ଘୁଞ୍ଚି ଯାଇଥିବାରୁ ଅମିୟ ବ୍ୟକ୍ତିଗତ ଭାବେ ଆର୍ଥିକ କ୍ଷତି ସହିଥିବା ଏକ ସାକ୍ଷାତକାର ଅବସରରେ କହିଛନ୍ତି। ‘‘ ମୋ ପିତା ମାତାଙ୍କ ଛଡ଼ା ସଂପ୍ରତି‌ ମୋ ପାଖରେ ଅନ୍ୟ କୌଣସି ପ୍ରାୟୋଜକ ନାହାନ୍ତି। ଏଣୁ ଋତୁ ପୂର୍ବର ପ୍ରଶିକ୍ଷଣ, ଅଭ୍ୟାସ ଓ ଡାଏଟ ଲାଗି ମୁଁ କରିଥିବା ଖର୍ଚ ପାଣିରେ ପଡ଼ିଛି। ମୋର ୟୁରୋପରେ ୮ରୁ ୯ଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ଯୋଜନା ଥିଲା। ସେଠାରେ ମୁଁ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବି ବୋଲି ଆତ୍ମବିଶ୍ବାସ ଥିଲା। ସେଠାରେ ମଧ୍ୟ କିଛି ଭଲ ଓ ପ୍ରତିଭାବାନ ଧାବକଙ୍କ ସହ ଦୌଡ଼ିବାକୁ ମୋତେ ସୁଯୋଗ ମିଳି ଥାଆନ୍ତା। ଯାହା ମୋତେ ଯୋଗ୍ୟତା ଅର୍ଜନ ଟାଇମିଂ ହାମଲ କରିବାର ସୁଯୋଗ ଦେଇ ଥାଆନ୍ତା।’’ ବୋଲି ଅମିୟ ଏହି ଅବସରରେ ମତ ରଖିଛନ୍ତି। ତଥାପି କରୋନା ଆତଙ୍କ ପାଇଁ ମିଳିଥିବା ସମୟରେ ସେ ସକାରାତ୍ମକ ଚିନ୍ତାକୁ ଗୁରୁତ୍ବ ଦେଉଛନ୍ତି। କରୋନା ପାଇଁ ଅଲିମ୍ପିକ୍ସ ୨୦୨୧କୁ ଯିବା ପରେ ପ୍ରସ୍ତୁତି ପାଇଁ ଅଧିକ ସମୟ ମିଳିଛି। ପରିସ୍ଥିତି ସ୍ବାଭାବିକ ହେବା ପରେ ମୁଁ ପୁଣି ମୋର ଅଲିମ୍ପିକ୍ସ ଅଭିଯାନରେ ଲାଗି ପଡ଼ିବି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର