ଓଡ଼ିଶା କ୍ରିକେଟ୍ ସହ ଯୋଡ଼ିହେଲେ ଅମିୟ, ବିଦର୍ଭ ଛାଡ଼ି ଦୁଇ ବର୍ଷ ପାଇଁ ରାଜ୍ୟ ଦଳର ଷ୍ଟ୍ରେନ୍ଥ ଓ କଣ୍ଡିସନିଂ ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ

ଭୁବନେଶ୍ୱର : ବିଗତ ୭ ବର୍ଷ ହେବ ବିଦର୍ଭର ବିଭିନ୍ନ ବୟସ ବର୍ଗ କ୍ରିକେଟ୍ ଦଳର ଷ୍ଟ୍ରେନ୍ଥ ଓ କଣ୍ଡିସନିଂ ପ୍ରଶିକ୍ଷକ ପଦରେ ଥିବା ଓଡ଼ିଆ ପୁଅ ଅମିୟ କୁମାର ମହାନ୍ତି ଓଡ଼ିଶା ଫେରିଛନ୍ତି। ଗତ ୩୦ ତାରିଖରେ ଓଡ଼ିଶା କ୍ରିକେଟ୍ ଦଳର ଷ୍ଟ୍ରେନ୍ଥ ଓ କଣ୍ଡିସନିଂ ପ୍ରଶିକ୍ଷକ ଭାବେ ଯୋଗଦେଇଛନ୍ତି ସେ। ସର୍ଭିସେସ୍ ତରଫରୁ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିବା ଅମିୟ ପୂର୍ବରୁ ନିଜ ଜନ୍ମମାଟିକୁ ଫେରିବାକୁ ଅନେକବାର ଆଗ୍ରହ ପ୍ରକାଶ କରିଥିଲେ। ଏଥିନେଇ ‘ସମ୍ବାଦ’ରେ ମଧ୍ୟ ଖବର ପ୍ରକାଶ ପାଇଥିଲା। ଶେଷରେ ତାଙ୍କର ଏହି ଇଚ୍ଛା ପୂରଣ ହୋଇଛି। ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ତାଙ୍କୁ ଆଗାମୀ ଦୁଇବର୍ଷ ପାଇଁ ରାଜ୍ୟ ଦଳର ପ୍ରଶିକ୍ଷକ ମଣ୍ଡଳିରେ ସାମିଲ କରିଛି। ଅମିୟ କୌଣସି ସମୟ ନଷ୍ଟ ନକରି ନିଜ କାର୍ଯ୍ୟ ବି ଆରମ୍ଭ କରି ଦେଇଛନ୍ତି। ସଂପ୍ରତି ସେ ଅନଲାଇନ୍‌ରେ ଓଡ଼ିଶା କ୍ରିକେଟରଙ୍କ ସହ ୱାନ୍ ଅନ୍ ୱାନ୍ ସେସନ୍ କରୁଛନ୍ତି। ଶାରୀରିକ ଶକ୍ତି ଓ ସାମର୍ଥ୍ୟ ବଢ଼ାଇବା ଲାଗି ବିଭିନ୍ନ ପରମର୍ଶ ଦେଉଛନ୍ତି। ଖେଳାଳିଙ୍କ ଆବଶ୍ୟକତା ଅନୁଯାୟୀ ଶାରୀରିକ ବ୍ୟାୟାମ ଓ ଅଭ୍ୟାସ ସାରଣୀ ପ୍ରସ୍ତୁତ କରିଛନ୍ତି। ଆଗାମୀ କିଛି ଦିନ ଭିତରେ ଏହାକୁ ଲାଗୁ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି। ଜନ୍ମ ମାଟିକୁ ଫେରିବା ସାଙ୍ଗକୁ ଓଡ଼ିଶା କ୍ରିକେଟ୍ ସହ ଯୋଡ଼ି ‌ହୋଇ ବ୍ୟକ୍ତିଗତ ଭାବେ ମଧ୍ୟ ସେ ବେଶ୍ ଖୁସୀ ଓ ଉତ୍ସାହିତ ଅଛନ୍ତି। ସେହିଭଳି ଓସିଏ ସଂପାଦକ ସଞ୍ଜୟ ବେହେରାଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଛନ୍ତି ଅମିୟ। ସଂଘ ତାଙ୍କୁ ନିଜ କାର୍ଯ୍ୟ ସଂପାଦନ କରିବା ଲାଗି ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇଥିବା ‘ସମ୍ବାଦ’କୁ କହିଛନ୍ତି ଏହି ଦାୟିତ୍ବସଂପନ୍ନ ପ୍ରଶିକ୍ଷକ।

ସେହିଭଳି ଓଡ଼ିଶା ଖେଳାଳିଙ୍କ ବିଷୟରେ ନିଜ ମତ ରଖିବାକୁ ଯାଇ ଅମିୟ କହିଛନ୍ତି ଯେ ଆମ ଖେଳାଳିମାନେ ସବୁକିଛି ଜାଣିଛନ୍ତି। କେବଳ ଯାହା ସେମାନଙ୍କୁ ମାର୍ଗଦର୍ଶନର ଆବଶ୍ୟକତା ରହିଛି। ମୋର କାମ ହେଲା ସେମାନଙ୍କୁ ବର୍ଷ ସାରା ଫିଟ୍ ରଖିବା ଏବଂ କର୍ତ୍ତବ୍ୟ ପୂରଣରେ ମୁଁ କେବେ ବି କୌଣସି ଅବହେଳା କରିବି ନାହିଁ।

ସୂଚନାଯୋଗ୍ୟ ଯେ ଅମିୟଙ୍କ କାର୍ଯ୍ୟକାଳରେ ବିଦର୍ଭ ରଣଜୀ ବିଜେତା ହୋଇଥିଲା। ସେ ମଧ୍ୟ ବିଦର୍ଭ ୧୯ ବର୍ଷରୁ କମ୍ ଓ ୨୩ ବର୍ଷରୁ କମ୍ ଦଳ ସହ କାର୍ଯ୍ୟ କରୁଥିଲେ। ଅନ୍ତର୍ଜାତୀୟ ତାରକା ୱାସିମ ଜାଫର ଏବଂ ବିଦର୍ଭର ଅଭିଜ୍ଞ ରଣଜୀ ଖେଳାଳି ଫୈଜ ଫଜଲଙ୍କ ଭଳି ଖେଳାଳିଙ୍କ ସହ ସେ କାର୍ଯ୍ୟ କରିଛନ୍ତି। ୨୦୧୨-୧୩ ଋତୁରୁ ହିଁ ଅମିୟ ବିଦର୍ଭ କ୍ରିକେଟ୍ ସଂଘ ସହ କାର୍ଯ୍ୟ କରି ଆସୁଥିଲେ। ତେବେ ଓସିଏଠାରୁ ପ୍ରସ୍ତାବ ପାଇବା ପରେ ବିଦର୍ଭ କ୍ରିକେଟ୍ ସଂଘ (ଭିସିଏ) ସହ ଦୀର୍ଘ ଦିନର ସଂପର୍କକୁ ତୁଟାଇ ଓଡ଼ିଶା ଚାଲି ଆସିଥିଲେ। କରୋନା ସଙ୍କଟ ବେଳେ ଜୁମ୍ ଆପ୍‌ରେ ତାଙ୍କ ପ୍ରଶିକ୍ଷଣ ପ୍ରଣାଳୀ ଓ ସାରଣୀ ଉଚ୍ଚ ପ୍ରଶଂସିତ ହୋଇଥିଲା। ୧୯୭୭ ମସିହା ଜାନୁଆରି ୧୨ ତାରିଖରେ ଜନ୍ମଗ୍ରହଣ କରିଥିବା ଅମିୟ ନିଜ ସମୟରେ ଜାଣ ଡାହାଣ ହାତୀ ଅଫ୍ ସ୍ପିନର ଏବଂ ଡାହାଣହାତୀ ବ୍ୟାଟର ଥିଲେ। ସର୍ଭିସେସ୍ ପକ୍ଷରୁ ସେ ୨୬ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି। ଅବସର ପରେ ପ୍ରଶିକ୍ଷଣକୁ ସେ ପେସା ଭାବେ ଗ୍ରହଣ କରି ନେଇଛନ୍ତି। ପ୍ରଥମଶ୍ରେଣୀ କ୍ରିକେଟ୍ ଖେଳିବାର ଅଭିଜ୍ଞତା ଥିବାରୁ ପ୍ରଶିକ୍ଷଣ ବେଳେ ଏହା ତାଙ୍କୁ ବେଶ୍ ସହାୟ ହେଉଛି। ଓଡ଼ିଶା ଦଳ ମଧ୍ୟ ତାଙ୍କ ମାର୍ଗଦର୍ଶନରେ ଆଗାମୀ ଋତୁରେ ଭଲ କରିବ ବୋଲି ଆଶା କରାଯାଉଛି। ଖେଳାଳିମାନେ ଢେର କିଛି ଦିନ ହେବ ଅଭ୍ୟାସରୁ ଦୂରେଇ ରହିଥିବାରୁ ଶାରୀରିକ ଫିଟନେସ୍ ବଜାୟ ରଖିବା ସେମାନଙ୍କ ପାଇଁ ସବୁଠାରୁ ବଡ଼ ଆହ୍ବାନ ଭାବେ ଉଭା ହୋଇଛି ବୋଲି ଅମିୟ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର