ଅଲିମ୍ପିକ୍ସ ମନସ୍କ ଅମିୟ, ଟୋକିଓ ଟିକେଟ୍‌ ଏକମାତ୍ର ଲକ୍ଷ୍ୟ

ଭୁବନେଶ୍ବର(ସୁରେଶ ସ୍ବାଇଁ): ରାଞ୍ଚିରେ ସଦ୍ୟ ସମାପ୍ତ ୫୯ତମ ଜାତୀୟ ଓପନ୍‌ ଦୌଡ଼କୁଦ ପ୍ରତିଯୋଗିତାର ୧୦୦ ମିଟର୍‌ ଦୌଡ‌ରେ ସ୍ବର୍ଣ୍ଣ ପଦକ ଜିତି ପୁଣି ଥରେ ଦେଶର ଦ୍ରୁତତମ ଧାବକ ହୋଇଛନ୍ତି ଓଡ଼ିଆ ତାରକା ଅମିୟ ମଲ୍ଲିକ। ଏହି ବିଜୟ ସହିତ ଗୋଟିଏ ବର୍ଷ ବ୍ୟବଧାନରେ ଚର୍ଚାକୁ ଆସିଛନ୍ତି ଏହି ନିରବ ସାଧକ। ୨୦୧୮ ମସିହା ପଦକଶୂନ୍ୟ ରହିବା ପରେ ଜାତୀୟ ରେକର୍ଡଧାରୀ ଅମିୟଙ୍କ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଆଶା ବି ଉଜ୍ଜୀବିତ ହୋଇଛି। ରାଞ୍ଚିରେ ଚଳିତ ଋତୁର ଶ୍ରେଷ୍ଠ ସମୟ (୧୦.୪୬ ‌ସେକେଣ୍ଡ୍‌) ଅର୍ଜନ କରିଥିଲେ ମଧ୍ୟ ଟୋକିଓ ଟିକେଟ୍‌ ପାଇଁ ଧାର୍ଯ୍ୟ ୧୦.୦୫ ସେକେଣ୍ଡ୍‌ ନିଶ୍ଚିତ ଅମିୟଙ୍କ ପାଇଁ କାଠିକର ପାଠ। ପରବର୍ତୀ ୬ ମାସ ଠିକ୍‌ଠାକ୍ ଚାଲିଲେ ଏବଂ ସରକାରୀ ସହାୟତା ମିଳିଲେ ମୁଁ ନିଶ୍ଚିତ ଭାରତ ଓ ଓଡ଼ିଶା ପାଇଁ ବହୁ ପ୍ରତୀକ୍ଷିତ ୧୦୦ ମିଟର୍‌ ପୁରୁଷ‌ ଅଲିମ୍ପିକ ଯୋଗ୍ୟତା ଅର୍ଜନରେ ସକ୍ଷମ ହୋଇପାରିବି ବୋଲି ‘ସମ୍ବାଦ’ ସହିତ କଥା ହେବାବେଳେ ଦୃଢ଼ ଆତ୍ମବିଶ୍ବାସର ସହ କହିଛନ୍ତି ଏହି ୨୭ ବ‌ର୍ଷୀୟ ସ୍ପ୍ରିଣ୍ଟର୍‌।

ପ୍ରତ୍ୟାବର୍ତନ କହିବିନି
ରାଞ୍ଚିର ବିର୍ସାମୁଣ୍ଡା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଜାତୀୟ ଦୌଡ଼କୁଦରେ ମୁଁ ୧୦୦ ମିଟର୍ ଦୌଡ଼ ସ୍ବର୍ଣ୍ଣ ପଦକ ଜିତିବାକୁ ମୋର ଟ୍ରାକ୍‌କୁ ସଫଳ ପ୍ରତ୍ୟାବର୍ତନ କହିବି ନାହିଁ। କେବଳ ପୋଡିୟମ୍‌ ଫିନିସ୍ କରିପାରୁନଥିଲି। ୨୦୧୭ ମସିହାରେ ମୁଁ ଜାତୀୟ ସ୍ବର୍ଣ୍ଣ ପଦକ ବିଜେତା ଥିଲି। ୨୦୧୮ ମସିହାରେ ମୁଁ ବିଦେଶୀ ପ୍ରଶିକ୍ଷକଙ୍କ ଠାରୁ ସ୍ବତନ୍ତ୍ର ତାଲିମ ନେବା ଫଳରେ ମୋ ଭିତରେ କେତେକ ବୈଷୟିକ ପରବର୍ତନ ଘଟିଥିଲା। ଏଥି ସହିତ ଖାପ ଖୁଆଇବା ଲାଗି ସମୟ ଲାଗିଯାଇଥିଲା। କିନ୍ତୁ ମୁଁ ପ୍ରତିଯୋଗିତାକୁ ଛାଡ଼ିନଥିଲି ଏବଂ ଭାଗ ନେବା ଜାରି ରଖିଥିଲି। ହାରୁଥିଲେ ବି ସବୁବେଳେ ମୁଁ ଚାଲେଞ୍ଜ୍‌କୁ ଗ୍ରହଣ କରିଛି ଏବଂ ମନ ଭିତରେ ବ୍ୟର୍ଥତାକୁ ପ୍ରବେଶ କରିବାକୁ ଦେଇନାହିଁ। ଅଗଷ୍ଟରେ ଜେଜେବାପାଙ୍କ ବିୟୋଗ ପରେ ତାଲିମ ବାଧାପ୍ରାପ୍ତ ହେବାରୁ ଲକ୍ଷ୍ନୌ ଅନ୍ତଃରାଜ୍ୟ ପ୍ରତିଯୋଗିତାରେ ଚତୁର୍ଥ ହୋଇଯାଇଥିଲି। ଏବେ କିନ୍ତୁ ସିଜନ୍‌ର ଶ୍ରେଷ୍ଠ ସମୟ (୧୦.୪୬ ସେକେଣ୍ଡ) ସହିତ ସ୍ବର୍ଣ୍ଣ ପଦକ ଜିତିଥିବାରୁ ଖୁସି ଲାଗୁଛି ଏବଂ ଆତ୍ମବିଶ୍ବାସ ଫେରି ପାଇଛି।

ଟୋକିଓ ଟିକେଟ୍‌ ଏକମାତ୍ର ଲକ୍ଷ୍ୟ
ଏବେ ଘରୋଇ ଋତୁ ଶେଷ ହୋଇଥିବାରୁ ଆସନ୍ତା ବର୍ଷର‌ ଟୋକିଓ ଅଲିମ୍ପିକ୍ସ ଉପରେ ସମ୍ପୂର୍ଣ୍ଣ ଏକାଗ୍ର ରହିଛି। ‌ମୋ ନିୟମିତ ତାଲିମକୁ ଜାରି ରଖିବି। ସ୍ବତନ୍ତ୍ର ତାଲିମ କିମ୍ବା ବିଦେଶ ଏକ୍ସପୋଜର୍ ପାଇଁ ସରକାରୀ ସହାୟତା ନିଶ୍ଚିତ ଆବଶ୍ୟକ। ଏଥିପାଇଁ ମୋତେ ସରକାରଙ୍କୁ ପ୍ରସ୍ତାବ ଦେବାକୁ ପଡ଼ିବ, ସମର୍ଥନ ମିଳିଲେ ନିଶ୍ଚିତ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ ସମ୍ଭବ ହୋଇପାରିବ। ୨୦୧୬ ମସିହାର ରିଓ ଅଲିମ୍ପିକ୍ସ ପୂର୍ବରୁ ମୁଁ ସେକେଣ୍ଡ୍‌ର ମାତ୍ର କିଛି ଶତାଂଶ ଲାଗି ଯୋଗ୍ୟତା ଅର୍ଜନରୁ ବଞ୍ଚିତ ହୋଇଥିଲି। ୨୦୧୩ ମସିହାରେ ଗୋଡ଼ରେ ଅସ୍ତ୍ରୋପଚାର କରିବା ପରେ ୨୦୧୬ରେ ଜାତୀୟ କୀର୍ତ୍ତିମାନ (୧୦.୨୬ ସେକେଣ୍ଡ୍) କରିଥିଲି। ମୋ ଖେଳ ଜୀବନର ୧୪ ବର୍ଷ ଭିତରେ ଖୁବ୍ କ୍ବଚିତ୍‌ ଥର ମୁଁ ଦ୍ବିତୀୟ ସ୍ଥାନରେ ରହିଛି।‌ ତେଣୁ ଟୋକିଓ ଅଲିମ୍ପିକ୍ସ ମୋର ଏକମାତ୍ର ବିକଳ୍ପ। ମୋ ଶେଷ ପ୍ରୟାସରେ ଦମ୍ ଲଗାଇ ଦେବି। ୩/୪ ଦଶନ୍ଧି ହେବ‌ କୌଣସି ଭାରତୀୟ ଏପରିକି ଆଦୌ କୌଣସି ଓଡ଼ିଆ ପୁରୁଷ ୧୦୦ ମିଟର୍ ଲାଗି ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିନାହାନ୍ତି। ଏହାକୁ କରି ଦେଖାଇବାକୁ ଚେଷ୍ଟା କରିବି। ଏହି ଯୋଗ୍ୟତାକୁ ମୁଁ ମଧ୍ୟ ଏବେ ଏକ ଦାୟିତ୍ବ ଭାବେ ନେଇଛି।

ପରିଶ୍ରମୀ ଜିନ୍‌
୧୦୦ ମିଟର୍ ହେଉ କି ୨୦୦ ମିଟର ର୍ଦୌଡ଼କୁଦ ଦୁନିଆରେ ଆଫ୍ରିକୀୟଙ୍କ ପ୍ରାଧାନ୍ୟ ରହିଛି। କିନ୍ତୁ ଇତିହାସ ଦେଖିଲେ ବ୍ରିଟିସମାନେ ଆମକୁ ଶାସନ କରୁଥିବା ବେଳେ ଭାରତୀୟମାନେ ଦେଖାଇ ଦେଇଥିଲେ ସେମାନେ କେତେ ପରିଶ୍ରମୀ। ମୁଁ ଜଣେ ଭାରତୀୟ ଭାବେ ସେଭଳି ଜିନ୍‌ ମୋ ରକ୍ତରେ ଥିବା ବିଶ୍ବାସ ରଖିଛି। ଆଉ ପରିଶ୍ରମ କଲେ କିଛି ବି ସମ୍ଭବ। ଦିଶା ଠିକ୍ ରହିଲେ ଅଲିମ୍ପିକ୍ସ ଯୋଗ୍ୟତା ନିଶ୍ଚିତ ମିଳିଯିବ। ମୋ ଅସ୍ତ୍ରୋପଚାର ପରେ ଡାକ୍ତରମାନେ କହିଥିଲେ ମୁଁ ଆଉ ଟ୍ରାକ୍‌କୁ ସଫଳ ପ୍ରତ୍ୟାବର୍ତନ କରିପାରିବି ନାହିଁ। ମୁଁ କିନ୍ତୁ ତାଙ୍କୁ ଭୁଲ ପ୍ରମାଣିତ କରି ନୂଆ ଜାତୀୟ କୀର୍ତ୍ତିମାନ କରିପାରିଥିଲି। ଅଲିମ୍ପିକ୍ସ‌ ଯୋଗ୍ୟତା ୧୦.୦୫ ସେକେଣ୍ଡ୍‌ଠାରୁ ମୋ ଶ୍ରେଷ୍ଠ ସମୟ (୧୦.୨୬) ମାତ୍ର .୨୧ ସେକେଣ୍ଡ୍‌ ପଛରେ ରହିଛି। ଏହି ଲକ୍ଷ୍ୟରେ ପହଞ୍ଚିବା ନିଶ୍ଚିତ ବଡ଼ ଆହ୍ବାନ, କିନ୍ତୁ ଏମିତି ବଡ଼ ନୁହେଁ ଯେ ଯାହା ହୋଇପାରିବ ନାହିଁ। ୬ ମାସର ନିରଂତର ତାଲିମ ସହିତ ସବୁ ଦିଗରୁ ସମର୍ଥନ ରହିଲେ ଏହି ଲକ୍ଷ୍ୟରେ ପହଞ୍ଚି ହେବ।

ସରକାରୀ ସହାୟତା ଅପରିହାର୍ଯ୍ୟ
ସରକାରଙ୍କ ସମର୍ଥନ ବିନା ଲକ୍ଷ୍ୟ ପଥରେ ପହଞ୍ଚିବା ଅସମ୍ଭବ। ସରକାର ଗତବର୍ଷ ବିଦେଶୀ ପ୍ରଶିକ୍ଷକଙ୍କୁ ଆଣି ତାଲିମ ଦେବାର ବ୍ୟବସ୍ଥା କରିଥିଲେ। କିନ୍ତୁ ଧାର୍ଯ୍ୟ ମାପଦଣ୍ଡଠାରୁ ମୁଁ ପଛରେ ରହିବାରୁ ଅଧିକ ସମର୍ଥନ ପାଇନଥିଲି। ଏବେ ପୁଣି ଜାତୀୟ ସ୍ବର୍ଣ୍ଣ ପଦକ ସହିତ ସଫଳତା ପାଇଥିବାରୁ ସରକାର ଗମ୍ଭୀରତାର ସହ ବିଚାର କରି ସହାୟତା ଲାଗି ଆଗେଇ ଆସିବେ ବୋଲି ମୁଁ ଦୃଢ଼ ଆଶା ରଖିଛି। ୪ ବର୍ଷରେ ଥରେ ଆସୁଥିବା ଅଲିମ୍ପିକ୍ସ ପାଇଁ ପ୍ରତ୍ୟେକ ଦିନ ତାଲିମର ଆବଶ୍ୟକତା ରହିଛି। ବିଦେଶରେ ସ୍ବତନ୍ତ୍ର ତାଲିମ ବି ଅପରିହାର୍ଯ୍ୟ। ସରକାରଙ୍କୁ ନିଶ୍ଚିତ ପ୍ରସ୍ତାବ ଦେବି ଯଥା ସମ୍ଭବ ସହାୟତା କରିବାକୁ।

ଖେଳ ଜୀବନର ମୁଖ୍ୟାଂଶ
କଟକ ଜିଲ୍ଲା ଓଳାଂଶ ଗାଁର ମୂଳ ଅଧିବାସୀ ଅମିୟଙ୍କ ଛାତ୍ରଜୀବନ ଚନ୍ଦ୍ରଶେଖରପୁର ଡିଏଭିରୁ ଆରମ୍ଭ ହୋଇ ଏବେ କିଟ୍‌ ପର୍ଯ୍ୟନ୍ତ ଲମ୍ବିଛି। ଖେଳ ଜୀବନରେ ୧୪ ବର୍ଷର ଦୌଡ଼କୁଦ ଜୀବନରେ ଜାତୀୟ ସ୍ତରରେ ବିଗତ ୭ ବର୍ଷ ଧରି ଏକ ପ୍ରକାର ଅପ୍ରତିଦ୍ବନ୍ଦ୍ବୀ ସ୍ପ୍ରିଣ୍ଟର୍ ଭାବେ ଉଭା ହୋଇଛନ୍ତି। ଖେଳ ଜୀବନ ଆଦ୍ୟାବସ୍ଥାରେ ୨୦୦୬ରେ କଲମ୍ବୋରେ କନିଷ୍ଠ ଏସୀୟ ରିଲେ ରୌପ୍ୟ ଏବଂ ୨୦୦୮ ପୁନେ ଯୁବ ରାଜ୍ୟଗୋଷ୍ଠୀ କାଂସ୍ୟ ଜିତିଥିଲେ। କିରଗିଜସ୍ତାନ ଏବଂ କାଜାକସ୍ତାନରେ ଆମନ୍ତ୍ରଣୀୟ ପ୍ରତିଯୋଗିତାରେ ଦେଶ ପାଇଁ ୧୦୦ ମିଟର୍ ରିଲେ ଦଳରୁ ବି ସ୍ବର୍ଣ୍ଣ ପଦକ ଜିତିଛନ୍ତି। କେବଳ ବରିଷ୍ଠ ବର୍ଗର ଜାତୀୟ ପ୍ରତିଯୋଗିତାରେ ୧୦୦ ଏବଂ ୨୦୦ ମିଟରରେ ଡଜନରୁ ଊର୍ଧ୍ବ ପଦକ ଜିତିସାରିଥିବା ଅମିୟ ୨୦୧୬ରେ ନୂଆଦିଲ୍ଲୀରେ ଫେଡେରେସନ୍ କପ୍‌ ସେମିଫାଇନାଲରେ ୧୦.୨୬ ସେକେଣ୍ଡ୍ ସମୟ ସହିତ ନୂଆ ଜାତୀୟ କୀର୍ତ୍ତିମାନ କରି ଏବେ ବି ଏହାକୁ ଏବଂ ଜାତୀୟ ମୁକୁଟକୁ ବଜାୟ ରଖିଛନ୍ତି।

ସମ୍ବନ୍ଧିତ ଖବର