ଅନ୍ତର୍ଜାତୀୟ କ୍ରିକେଟ୍‌ ଛାଡ଼ିଲେ ଆମଲା

ଜୋହାନେସବର୍ଗ: ଆଧୁନିକ କ୍ରିକେଟର ଅନ୍ୟତମ ମହାନ ବ୍ୟାଟସମ୍ୟାନ୍‌ ଦକ୍ଷିଣ ଆଫ୍ରିକାର ହାସିମ ଆମଲା ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହି ଦେଇଛନ୍ତି। ୧୫ ବର୍ଷ ଧରି ଦକ୍ଷିଣ ଆଫ୍ରିକା କ୍ରିକେଟର ସେବା କରିବା ପରେ ୩୬ ବର୍ଷୀୟ ଏହି ତାରକା ଆଉ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବେ ନାହିଁ ବୋଲି ଘୋଷଣା କରିଛନ୍ତି। ‘ଦକ୍ଷିଣ ଆଫ୍ରିକା ପାଇଁ କ୍ରିକେଟ୍‌ ଖେଳିବା ମୋ ପାଇଁ ଖୁସି ଏବଂ ସୌଭାଗ୍ୟର ବିଷୟ ଥିଲା, ଏଥି ପାଇଁ ମୁଁ ପ୍ରଥମେ ଈଶ୍ବରଙ୍କୁ ଧନ୍ୟବାଦ ଦେଉଛି’ ବୋଲି ଆମଲା ଗୁରୁବାର ପ୍ରକାଶ କରିଛନ୍ତି। ପ୍ରୋଟିଆ ଫାୟାର ନାମରେ ପରିଚିତ ପାଇଥିବାରୁ ମୁଁ ମଧ୍ୟ ସମସ୍ତଙ୍କ ନିକଟରେ ଋଣି। ଏହି ଯାତ୍ରା ପଥରେ ମୁଁ ଅନେକ କିଛି ଶିଖିଛି ବୋଲି କହିଥିଲେ ଆମଲା। ନିଜର ଖେଳ ଜୀବନରେ ମୋଟ ୩୪୯ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଆମଲା ୫୫ ଶତକ ସହିତ ୧୮,୬୭୨ ରନ୍‌ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଏକମାତ୍ର ଟେଷ୍ଟ ତ୍ରିଶତକ ତାଙ୍କ ନାମରେ ରହିଛି। ଦିନିକିଆ କ୍ରିକେଟ୍‌ରେ କିନ୍ତୁ ତାଙ୍କ ଦ୍ରୁତତମ ଯାତ୍ରା ସବୁଠାରୁ ଉଲ୍ଲେଖନୀୟ ଥିଲା। ୨୦୦୦, ୩୦୦୦, ୪୦୦୦, ୫୦୦୦, ୬୦୦୦, ୭୦୦୦ ଦିନିକିଆ ରନ୍‌ ହାସଲରେ ସେ ସବୁଠାରୁ ଦ୍ରୁତତମ ଥିଲେ। ଗତ ବିଶ୍ବକପ୍‌ ଅବସରରେ ୮୦୦୦ ରନ୍ ସୀମା ଅତିକ୍ରମ କରିଥିଲେ।

ଜଣେ ଷ୍ଟ୍ରୋକ୍‌ ପ୍ଲେୟାର ଭାବେ ପରିଚିତ ଆମଲାଙ୍କ ଯାତ୍ରା ୨୦୦୨ ମସିହାର ୧୯ ବର୍ଷରୁ କମ୍ ବିଶ୍ବକପ୍‌ରୁ ଆରମ୍ଭ ହୋଇଥିଲା। ୨୧ ବର୍ଷ ବୟସରେ ସେ ନିଜ ରାଜ୍ୟ ଦଳର ଅଧିନାୟକତ୍ବ କରିଥିଲେ। ୨୦୦୪-୦୫ରେ ଦକ୍ଷିଣ ଆଫ୍ରିକାର ଭାରତ ଗସ୍ତରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଟେଷ୍ଟ୍ ପଦାର୍ପଣ କରି କ୍ରମେ ବିଶ୍ବ କ୍ରିକେଟ୍‌ର ଶୀର୍ଷକୁ ଉଠିଥିଲେ। ଉଭୟ ବୈଷୟିକ ଏବଂ ମାନସିକ ଦିଗରୁ ଆମଲା ଥିଲେ ଜଣେ ଦୃଢ଼ କ୍ରିକେଟର୍‌। ପ୍ରଥମରୁ ତାଙ୍କୁ ଦିନିକିଆ କ୍ରିକେଟ୍‌ ପାଇଁ ଫିଟ୍ ନୁହଁନ୍ତି ବୋଲି କୁହାଯାଉଥିଲେ ମଧ୍ୟ ଅବସର ବେଳକୁ ସେ ଏହି ଫର୍ମାଟରେ ସବଠୁ ସଫଳ ଥିବା ପ୍ରମାଣିତ କରିଯାଇଛନ୍ତି। ଦକ୍ଷିଣ ଆଫ୍ରିକା ପାଇଁ ସର୍ବାଧିକ ଟେଷ୍ଟ୍ ଶତକ (୨୭) ମଧ୍ୟ ତାଙ୍କ ନାମରେ ରହିଛି। ୨୦୧୦ ଏବଂ ୨୦୧୩ ମସିହାରେ ସେ ଦକ୍ଷିଣ ଆଫ୍ରିକାର ଶ୍ରେଷ୍ଠ କ୍ରିକେଟର୍ ବିବେଚିତ ହୋଇଥିଲେ।

ଟେଷ୍ଟ୍ କ୍ରିକେଟ୍‌ରେ ୧୨୪ ମ୍ୟାଚ୍‌ରୁ ୪୬.୬୪ ହାରରେ ୯,୨୮୨ ରନ୍ ସଂଗ୍ରହ କରି ମଧ୍ୟ ଦେଶର ସର୍ବାଧିକ ରନ୍ ସଂଗ୍ରହକାରୀ ରହିଛନ୍ତି। ତାଙ୍କ ପସନ୍ଦର ଦିନିକିଆ କ୍ରିକେଟ୍‌ରେ ସେ ୫୦ ହାରଠୁ ଅଳ୍ପକେ କମ୍ ଥିବା ଆମଲା ୧୮୧ ମ୍ୟାଚ୍‌ ୧୭୮ ପାଳିରୁ ୮,୧୧୩ ରନ୍ କରିଥିଲେ। ଏଥିରେ ବି ସେ ୨୮ ଶତକ ମାରିଥିଲେ। ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ୪୪ ମ୍ୟାଚ୍‌ରୁ ପ୍ରଶଂସନୀୟ ଭାବେ ୩୩.୩୯ ହାରରେ ୧୨୭୭ ରନ୍ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟ୍‌ ଛାଡ଼ିଥିଲେ ମଧ୍ୟ ଆମଲା ଟ୍ବେଣ୍ଟି-୨୦ ଲିଗ୍‌ ଖେଳ ଜାରି ରଖିବେ। ପୂର୍ବରୁ ସେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍‌ରେ କିଙ୍ଗସ ଏକାଦଶ ପଞ୍ଜାବ, କାରବୀୟ ପ୍ରିମିୟର୍‌ ଲିଗ୍‌ରେ ବାର୍ବାଡସ୍ ଟ୍ରାଇଡେଣ୍ଟ୍ସ ଏବଂ ମସାଞ୍ଜି ସୁପର୍ ଲିଗ୍‌ରେ ଡରହାମ୍‌ ହିଟ୍‌ ପାଇଁ ‌‌‌ଖେଳି ଆସିଛନ୍ତି।

ସମ୍ବନ୍ଧିତ ଖବର