ଆମ୍‌ଲାଙ୍କ ୨୭୮ ବଲ୍‌ରୁ ୩୭* ରନ୍‌, ଷ୍ଟ୍ରାଇକ୍‌ ରେଟ୍‌କୁ ନେଇ ଟ୍ବିଟରରେ ପୂଜାରାଙ୍କ ସହ ତୁଳନା

ସାଉଥମ୍ପଟନ୍‌ (ଲଣ୍ଡନ) : ପୂର୍ବତନ ଦକ୍ଷିଣ ଆଫ୍ରିକା ବାଟ୍‌ସମ୍ୟାନ୍‌ ହାସିମ୍‌ ଆମ୍‌ଲା ଗୁରୁବାର ଏକ କାଉଣ୍ଟି ଚାମ୍ପିଅନ୍‌ସିପ୍‌ ମ୍ୟାଚ୍‌ରେ ଅତି ମନ୍ଥର ପାଳି ଖେଳି ଟ୍ବିଟରରେ ଟ୍ରୋଲ ହୋଇଛନ୍ତି। ସସେକ୍ସ ପକ୍ଷରୁ ଖେଳିଥିବା ଆମ୍‌ଲା ଏଠାରେ ହାମ୍ପସ‌ାୟାର ବିପକ୍ଷରେ ୨୭୮ ବଲ୍‌ରୁ ଅପରାଜିତ ୩୭ ରନ୍‌ କରିଥିଲେ। ଏଭଳି ଷ୍ଟ୍ରାଇକ୍‌ ରେଟ୍‌କୁ ନେଇ ‌ଯେତିକି ଚର୍ଚ୍ଚା ହୋଇଥିଲା ତା’ଠୁ ଦଳକୁ ପରାଜୟରୁ ବଞ୍ଚାଇ ଦେଇଥିବାରୁ ଟ୍ବିଟର ବ୍ୟବହାରକାରୀମାନେ ତାଙ୍କର ଏହି ମାରାଥନ୍‌ ପାଳିକୁ ମଧ୍ୟ ପ୍ରଶଂସା କରିଥିଲେ।

ସେହି ମ୍ୟାଚ୍‌ରେ ଫଲୋଅନ୍‌ ଖେଳିଥିବା ସରେ ଶେଷ ଦିବସରେ ୬/୨ରୁ ଖେଳିଥିଲା। ପାଳି ପରାଜୟ ଏଡ଼ାଇବାକୁ ଦଳକୁ ୪୧୭ ରନ୍‌ ଦରକାର ଥିଲା। ପ୍ରଥମ ପାଳିରେ ମାତ୍ର ୭୨ ରନ୍‌ କରିପାରିଥିବା‌ ସରେ ମଧ୍ୟ ଶେଷ ଦିନ ୱିକେଟ୍‌ ପତନ ଧାରା ଜାରି ରଖିଥିଲା। ହେଲେ ପ୍ରଥମ ପାଳିରେ ଦଳ ପକ୍ଷରୁ ସର୍ବାଧିକ ୨୯ (୬୫ ବଲ୍‌) ରନ୍‌ କରିଥିବା ଆମ୍‌ଲା କ୍ରିଜ୍‌ର ଗୋଟିଏ ପ‌ଟେ ଦୃଢ଼ ଭାବେ ରହିଥିଲେ। ସେ ୨୭୮ ବଲ୍‌ର ସାମ୍‌ନା କରି ଅପରାଜିତ ୩୭ ରନ୍‌ କରିବା ସହିତ ଦଳକୁ ପରାଜୟରୁ ରକ୍ଷା କରିଥିଲେ। ତାଙ୍କ ମାରାଥନ୍‌ ପାଳି ଯୋଗୁଁ ସରେ ମ୍ୟାଚ୍‌ ଅମୀମାଂସିତ ଘୋଷଣା ହେଲାବେଳକୁ ୧୨୮/୮ରେ ରହିଥିଲା। ଆମ୍‌ଲା ଦ୍ବିତୀୟ ପାଳିରେ ପ୍ରଥମ ୧୦୦ ବଲ୍‌ରୁ ୩ ରନ୍‌ କରିବା ପରେ ୧୧୪ ବଲ୍‌ରୁ ୫ ରନ୍‌ କରିଥିଲେ। ତାଙ୍କ ପାଳିର ମୋଟ ୫ ଚୌକା ମଧ୍ୟରୁ ପ୍ରଥମଟି ୧୨୫ତମ ବଲ୍‌ରୁ ମିଳିଥିଲା। ଏହା ମଧ୍ୟ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଆମ୍‌ଲାଙ୍କ ପାଇଁ ଦ୍ବିତୀୟ ସର୍ବନିମ୍ନ ଷ୍ଟ୍ରାଇକ୍‌ ରେଟ୍‌ (୧୩.୩୦) ଥିଲା। ତାଙ୍କର ସର୍ବନିମ୍ନ ଷ୍ଟ୍ରାଇକ୍‌ ରେଟ୍‌ (୧୦.୨୪) ୨୦୧୫ ଋତୁର ଭାରତ ବିପକ୍ଷ ଦିଲ୍ଲୀ ଟେଷ୍ଟ୍‌ରେ ଥିଲା। ସେହି ଟେଷ୍ଟ୍‌ରେ ଆମ୍‌ଲା ୨୪୪ ବଲ୍‌ ଖେଳି ୨୪ ରନ୍‌ କରିଥିଲେ।

ଏହି ମାରାଥନ୍‌ ପାଳି ଏବଂ ଷ୍ଟ୍ରାଇକ୍‌ ରେଟ୍‌କୁ ନେଇ ଆମ୍‌ଲା ଟ୍ବିଟରରେ ଟ୍ରୋଲ ହୋଇଥିଲେ। କିଛି ଟ୍ବିଟର ବ୍ୟବହାରକାରୀ ଦଳକୁ ପରାଜୟରୁ ବଞ୍ଚାଇଥିବା‌ରୁ ଏହି ପାଳି ପାଇଁ ଆମ୍‌ଲାଙ୍କୁ ପ୍ରଶଂସା କରିଥିଲା ବେଳେ ଅନ୍ୟ କେତେକ ତାଙ୍କ ଷ୍ଟ୍ରାଇକ୍‌ ରେଟ୍‌କୁ ଭାରତର ୩ ନମ୍ବର ବ୍ୟାଟ୍‌ସମ୍ୟାନ୍‌ ଚେତେଶ୍ବର ପୂଜାରଙ୍କ ସହ ତୁଳନା କରିଛନ୍ତି। ତେବେ ଟ୍ବିଟରରେ ଟ୍ରୋଲ ହୋଇଥିବା ଆମ୍‌ଲା କିନ୍ତୁ ଏହି ପାଳିକୁ ଖୁବ୍‌ ଉପଭୋଗ କରିଛନ୍ତି ବୋଲି କହିଛନ୍ତି। ପ୍ରତ୍ୟେକ ବ୍ୟାଟ୍‌ସମ୍ୟାନ୍‌ ଆଉଟ୍‌ ହେବାକୁ ଚାହାନ୍ତିନି ଏବଂ ଯୋଜନା ମୁତାବକ ଦଳକୁ ପରାଜୟରୁ ରକ୍ଷା କରିପାରିଥିବାରୁ ଆନନ୍ଦିତ ବୋଲି ସେ କହିଛନ୍ତି। ଫଲୋଅନ୍‌ ପରେ ଆମେ କିଛିଟା ନର୍ଭସ ଥିଲୁ। ହେଲେ ଯୁବ ଖେଳାଳିମାନେ ଚମତ୍କାର ସହଯୋଗ ଦେବାରୁ ପରାଜୟରୁ ବର୍ତିଗଲୁ ବୋଲି ଆମ୍‌ଲା କହିଛନ୍ତି।

ସମ୍ବନ୍ଧିତ ଖବର