ଭୁବନେଶ୍ୱର: ଉତ୍ତରାଖଣ୍ଡରେ ଚାଲିଥିବା ୩୮ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶା ଏଏମ୍ଏନ୍ ଏସ୍ ଇଣ୍ଡିଆ ଖୋ ଖୋ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର (ଏଚ୍‌ପିସି)ର ୧୨ ଜଣ ଖେଳାଳି ଓଡ଼ିଶା ଦଳର ପ୍ରତିନିଧିତ୍ୱ କରିଥିଲେ। ପୁରୁଷ ଓ ମହିଳା ଉଭୟ ବର୍ଗରେ ରୌପ୍ୟ ପଦକ ହାସଲ କରି ଓଡ଼ିଶା ଦଳ ରାଜ୍ୟକୁ ଗର୍ବିତ କରିଛି। ଓଡ଼ିଶା ମହିଳା ଦଳରେ ଏଚ୍‌ପିସିର ୫ଜଣ ଅର୍ଚ୍ଚନା ମାଝୀ, ଅର୍ଚ୍ଚନା ପ୍ରଧାନ, ମଗାଇ ମାଝୀ, ଶୁଭଶ୍ରୀ ସିଂହ ଓ ଲିସାରାଣୀ ରାଇତା ସାମିଲ ଥିବା ବେଳେ ପୁରୁଷ ଦଳରେ ୭ ଜଣ ଅର୍ଜୁନ ସିଂହ, ପବନୀ ଶବର, ଦୀପକ କୁମାର ସାହୁ, ସୁନୀଲ ପାତ୍ର, ବିଶାଲ ଓରାମ, ଟି. ଶଙ୍କର ଓ ଟି.ଜଗନ୍ନାଥ ଦାସ ଥିଲେ। ଏହି ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଥିଲେ, ଯାହା ଓଡ଼ିଶା ଏଏମ୍ ଏନ୍ଏସ୍ ଇଣ୍ଡିଆ ଖୋ ଖୋ ଏଚ୍‌ପିସିରେ ପ୍ରଦାନ କରାଯାଉଥିବା କଠିନ ପରିଶ୍ରମ ଏବଂ ପ୍ରଶିକ୍ଷଣକୁ ପ୍ରତିଫଳିତ କରିଥିଲା। ଏଥିନେଇ ଓଡ଼ିଶା ଏଏମ୍ଏନ୍ଏସ୍ ଇଣ୍ଡିଆ ଖୋ ଖୋ ଏଚ୍‌ପିସିର ମୁଖ୍ୟ ପ୍ରଶିକ୍ଷକ ସଞ୍ଜୀବ ଶର୍ମା କହିଛନ୍ତି ଯେ ଆମ ଖେଳାଳିମାନେ ପୂରା ପ୍ରତିଯୋଗିତାରେ ଅସାଧାରଣ ଦକ୍ଷତା, ଚତୁରତା ଓ ଦଳଗତ ମନୋଭାବର ପ୍ରଦର୍ଶନ କରିଥିଲେ। ଅତ୍ୟନ୍ତ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଇଭେଣ୍ଟ୍‌ରେ ରୌପ୍ୟ ପଦକ ହାସଲ କରିବା ସେମାନଙ୍କ କଠିନ ପରିଶ୍ରମ ଏବଂ ସମର୍ପଣ ଭାବର ଏକ ଜ୍ୱଳନ୍ତ ଉଦାହରଣ। ଏହା କେବଳ ଆରମ୍ଭ ମାତ୍ର, ଆମେ ଆଗାମୀ ପ୍ରତିଯୋଗିତାଗୁଡ଼ିକରେ ସ୍ୱର୍ଣ୍ଣ ପଦକ ହାସଲ ପାଇଁ ନିଜର ପ୍ରୟାସ ଜାରି ରଖିବୁ।

Advertisment

ଏଏମ୍ଏନ୍ଏସ୍ ଇଣ୍ଡିଆର ସିଏସ୍ଆର୍ ବିଭାଗ ମୁଖ୍ୟ ଡ.ବିକାଶ ୟାଦବେନ୍ଦୁ କହିଛନ୍ତି ଯେ ଏହି ସଫଳତା ଆମ ଖେଳାଳି ଓ ପ୍ରଶିକ୍ଷକ ମଣ୍ଡଳିଙ୍କ ଦୃଢ଼ ସଂକଳ୍ପ ଓ ନିରନ୍ତର ଉଦ୍ୟମର ଫଳ। ତୃଣମୂଳସ୍ତରରୁ ଯୁବ ପ୍ରତିଭାଙ୍କୁ ବିକଶିତ କରିବାରେ ଓଡ଼ିଶା ଏଏମ୍ଏନ୍ଏସ୍ ଇଣ୍ଡିଆ ଖୋ ଖୋ ଏଚ୍‌ପିସି ପ୍ରମୁଖ ଭୂମିକା ଗ୍ରହଣ କରିଛି। ଆମ ଖେଳାଳିମାନେ ରୌପ୍ୟ ପଦକ ଜିତିବା ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଏଏମ୍ଏନ୍ଏସ୍ ଇଣ୍ଡିଆ ସେମାନଙ୍କୁ ସର୍ବୋତ୍ତମ ପ୍ରଶିକ୍ଷଣ ଓ ସହାୟତା ପ୍ରଦାନ ଜାରି ରଖିବ। ଓଡ଼ିଶା ଏଏମ୍ଏନ୍ ଏସ୍ ଇଣ୍ଡିଆ ଖୋ ଖୋ ଏଚ୍‌ପିସି, ଓଡ଼ିଶାକୁ ଭାରତରେ ଖୋ ଖୋ ଉତ୍କର୍ଷତାର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ କରିବା ପାଇଁ ପ୍ରତିବଦ୍ଧ ଅଛି। ଗଠନମୂଳକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ବିଶେଷଜ୍ଞଙ୍କ ଦ୍ୱାରା ପ୍ରଶିକ୍ଷଣ ଏବଂ ଅତ୍ୟାଧୁନିକ ସୁବିଧା ସହିତ ଏଚ୍‌ପିସି ବିଶ୍ୱସ୍ତରୀୟ ଆଥଲେଟ୍ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି, ଯିଏ କି ଓଡ଼ିଶା ଓ ଭାରତକୁ ବିଶ୍ୱ ଦରବାରରେ ଗର୍ବିତ କରିପାରିବେ।