ଜାତୀୟ କ୍ରୀଡ଼ା ପୁରସ୍କାର ରାଶି ବୃଦ୍ଧି

ନୂଆଦିଲ୍ଲୀ : ଜାତୀୟ କ୍ରୀଡ଼ା ପୁରସ୍କାର ରାଶି ଅହେତୁକ ଭାବେ ବୃଦ୍ଧି ପାଇବ ବୋଲି ଗତ ସପ୍ତାହରୁ ସୂଚନା ମିଳିଥିଲା। ହେଲେ ଶନିବାର ଜାତୀୟ କ୍ରୀଡ଼ା ଦିବସ ଅବସରରେ ଏନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ଆନୁଷ୍ଠାନିକ ଘୋଷଣା କରିଛନ୍ତି। କ୍ରୀଡ଼ା ମନ୍ତ୍ରୀଙ୍କ ଘୋଷଣା ପରେ ଜାତୀୟ କ୍ରୀଡ଼ା ପୁରସ୍କାର ରାଶିର ପରିମାଣ ଅନେକଙ୍କୁ ତାଜୁବ କରିଦେଇଛି। ମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଏହି ଦିବସରେ ପ୍ରଦାନ କରାଯାଉଥିବା ମୋଟ ୭ ବର୍ଗ ମଧ୍ୟରୁ ୪ ବର୍ଗରେ ପୁରସ୍କାର ରାଶି ବୃଦ୍ଧି କରାଯାଇଛି। ଏପରିକି ଏହି ୪ ବର୍ଗର ପୁରସ୍କାର ରାଶି ପ୍ରାୟତଃ ୩ ଗୁଣାରୁ ଅଧିକ ବଢ଼ାଯାଇଛି। ଏହି ୪ ବର୍ଗ ହେଲା ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ, ଅର୍ଜୁନ, ଦ୍ରୋଣାଚାର୍ଯ୍ୟ ଏବଂ ଧ୍ୟାନ ଚାନ୍ଦ ପୁରସ୍କାର। ପୂର୍ବରୁ ଖେଳରତ୍ନ ପାଇଁ ୭.୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା ବେଳେ ଅର୍ଜୁନ, ଦ୍ରୋଣାଚାର୍ଯ୍ୟ ଏବଂ ଧ୍ୟାନଚାନ୍ଦ ବାବଦରେ ପୁରସ୍କାର ରାଶି ୫ ଲକ୍ଷ ଲେଖାଏଁ ରହିଥିଲା। ହେଲେ ଚଳିତ ବର୍ଷଠୁ ବର୍ଦ୍ଧିତ ପୁରସ୍କାର ରାଶି ପ୍ରଦାନ କରାଯାଇଛି ବୋଲି କ୍ରୀଡ଼ା ମନ୍ତ୍ରୀ ରିଜିଜୁ ଘୋଷଣା କରିଛନ୍ତି। ଚଳିତ ବର୍ଷ କୋଭିଡ୍‌-୧୯ ମହାମାରୀ କଟକଣା ଯୋଗୁଁ ଏକ ଭର୍ଚୁଆଲ ଉତ୍ସବ ଜରିଆରେ ପୁରସ୍କାର ପ୍ରଦାନ କରାଯାଇଛି। ବଦ୍ଧିତ ରାଶି ଅନୁଯାୟୀ ଚଳିତ ବର୍ଷଠୁ ଖେଳରତ୍ନ ବାବଦରେ ୨୫ ଲକ୍ଷ ଏବଂ ଅର୍ଜୁନ ବାବାଦରେ ୧୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କୃତ କ୍ରୀଡ଼ାବିତ୍‌ମା‌ନେ ପାଇଛନ୍ତି। ସେହିପରି ଦ୍ରୋଣାଚାର୍ଯ୍ୟ (ଆଜୀବନ) ଏବଂ ଧ୍ୟାନ ଚାନ୍ଦ ପୁରସ୍କାର ବାବଦରେ ୧୫ ଲକ୍ଷ ଲେଖାଏଁ ପ୍ରଦାନ କରାଯାଇଥିଲା ବେଳେ ଦ୍ରୋଣାଚାର୍ଯ୍ୟ (ନିୟମିତ) ପାଇଁ ୧୦ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ରାଶି ବୃଦ୍ଧି ବାବଦ‌ରେ କ୍ରୀଡ଼ା ମନ୍ତ୍ରୀ କହିଛନ୍ତି, ଯଦି ପ୍ରତ୍ୟେକ କ୍ଷେତ୍ରରେ ପେସାଦାରଙ୍କ ଆୟରେ ବୃଦ୍ଧି କରାଯାଉଛି ତାହାଲେ କ୍ରୀଡ଼ାବିତ୍‌ଙ୍କ ପାଇଁ କାହିଁକି ନୁହେଁ। କେବଳ ସେତିକି ନୁହେଁ ଅତିକମ୍‌ରେ ପ୍ରତି ୧୦ ବର୍ଷରେ ପୁରସ୍କାର ରାଶି ବୃଦ୍ଧି ନେଇ ସମୀକ୍ଷା ହେବା ଉଚିତ। ଶେଷ ଥର ପାଇଁ ୨୦୦୮ରେ ଜାତୀୟ କ୍ରୀଡ଼ା ପାଇଁ ପୁରସ୍କାର ରାଶିର ସମୀକ୍ଷା କରାଯାଇଥିଲା। ଇତି ମଧ୍ୟରେ ୧୨ ବର୍ଷ ବିତିଗଲାଣି। ତେଣୁ ଚଳିତ ବର୍ଷ ପୁରସ୍କାର ରାଶି ବୃଦ୍ଧି କରିବାର ଯୋଜନା କରାଯାଇଥିଲା ବୋଲି ରିଜିଜୁ କହିଛନ୍ତି।

ରାଷ୍ଟ୍ରପତି ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖରେ ରାଷ୍ଟ୍ରପତି ଭବନରେ ଏହିସବୁ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରନ୍ତି। ହେଲେ ଚଳିତ ବର୍ଷ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଭର୍ଚୁଆଲି ପୁରସ୍କୃତଙ୍କ ନାମ ଘୋଷଣା କରିଥିଲେ। ଚଳିତ ବର୍ଷ ତାରକା କ୍ରିକେଟର୍‌ ରୋହିତ ଶର୍ମା, ମହିଳା କୁସ୍ତିବିତ୍‌ ଭିନେଶ ଫୋଗତ୍‌, ହକି ଦଳର ଅଧିନାୟିକା ରାଣୀ ରାମ୍‌ପଲ୍‌, ଟେବୁଲ ଟେନିସ୍‌ ଲଳନା ମୋନିକା ବାତ୍ରା ଏବଂ ରିଓ ପାରାଲିମ୍ପିକ୍ ସ୍ବର୍ଣ୍ଣ ପଦକ ବିଜେତା ହାଇଜମ୍ପର୍‌ ମାରିୟାପ୍ପାନ ଥାଙ୍ଗାଭେଲୁ ମିଳିତ ଭାବେ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ଏହା ବ୍ୟତୀତ ୨୭ ଆଥ୍‌ଲେଟ୍‌ ଅର୍ଜୁନ, ୧୩ ଜଣ ପ୍ରଶିକ୍ଷକ ଦ୍ରୋଣାଚାର୍ଯ୍ୟ ଏବଂ ୧୫ ଜଣ ଧ୍ୟାନ ଚାନ୍ଦ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ।

ସମ୍ବନ୍ଧିତ ଖବର