ଭୁବନେଶ୍ବର : ହିରୋ ସୁପର କପ୍ ବିଜେତା ଓଡ଼ିଶା ଏଫ୍ସି (ଓଏଫ୍ସି) ତା’ର ଗୋଲ୍କିପର ଅମ୍ରିନ୍ଦର ସିଂହଙ୍କ ସହ ଚୁକ୍ତି ମିଆଦକୁ ବଢ଼ାଇଛି। ହିରୋ ସୁପର କପ୍ରେ ଶ୍ରେଷ୍ଠ ଗୋଲ୍କିପର ପୁରସ୍କାର ହାସଲ କରିଥିବା ଅମ୍ରିନ୍ଦର ଦଳ ବିଜେତା ହେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ। ତାଙ୍କ ପ୍ରଦର୍ଶନ ଯୋଗୁଁ ଓଡ଼ିଶା ଭିତ୍ତିକ ଫୁଟ୍ବଲ ଦଳ ଓଏଫ୍ସି ଅମ୍ରିନ୍ଦରଙ୍କ ସହ ଚୁକ୍ତି ବିଆଦକୁ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଶୁକ୍ରବାର କ୍ଲବ୍ ପକ୍ଷରୁ ଏହି ଘୋଷଣା କରାଯାଇଛି।
ଅମ୍ରିନ୍ଦର ମଧ୍ୟ ହିରୋ ତ୍ରିରାଷ୍ଟ୍ରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ଗୋଲ୍କିପର ପୁରସ୍କାର ପାଇଥିଲେ। ୨୯ ବର୍ଷ ବୟସ୍କ ଅମ୍ରିନ୍ଦର କ୍ଲବ୍ ପାଇଁ ସ୍ଥିର ପ୍ରଦର୍ଶନ ଦେଇଆସୁଛନ୍ତି। କ୍ଲବ୍ ପାଇଁ ୨୧ ମ୍ୟାଚ୍ ଖେଳିଥିବା ଅମ୍ରିନ୍ଦର ୬୨ ପ୍ରତିଶତ ଗୋଲ୍ ବଞ୍ଚାଇଛନ୍ତି। ୧୧୨ ଗୋଲ୍କୁ କାବୁ କରିଥିଲା ବେଳେ ତାଙ୍କ ପାସିଂ ଆକ୍ୟୁରାସି ୬୧ ପ୍ରତିଶତ ରହିଛି। ଯାହାକି ଏକମାତ୍ର ଗୋଲ୍କିପର ଭାବେ ଏଭଳି ସଫଳତା ହାସଲ କରିଛନ୍ତି। ଓଡ଼ିଶା ଏଫ୍ସି ଆଗାମୀ ଋତୁରେ ଏଏଫ୍ସି କପ୍ ଖେଳିବ। ଏହି ପ୍ରତିଯୋଗିତାରେ ଅମ୍ରିନ୍ଦରଙ୍କ ଉପସ୍ଥିତି ଗୁରୁତ୍ବପୂର୍ଣ୍ଣ ରହିବ ବୋଲି କ୍ଲବ୍ ପକ୍ଷରୁ କୁହାଯାଇଛି