ସମ୍ବଲପୁର: ୨୩ ବର୍ଷରୁ କମ୍ କର୍ନେଲ୍ ସିକେ ନାୟୁଡୁ ଟ୍ରଫି ପ୍ଲେଟ୍ ଗ୍ରୁପ୍-‘ବି’ ମ୍ୟାଚ୍ର ପ୍ରଥମ ଦିନରେ ଘରୋଇ ଓଡ଼ିଶା ନିଜ ପ୍ରଥମ ପାଳିରେ ୯ ଓ୍ଵିକେଟ୍ ହରାଇ ୨୨୩ ରନ୍ କରିଛି। ଓଡ଼ିଶାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଅମ୍ରିତ ଖଟୁଆ (୫୯) ଦଳ ପାଇଁ ଏକମାତ୍ର ଅର୍ଧଶତକ ହାସଲ କରିଛନ୍ତି। ମଧ୍ୟ ଭାଗରେ ଅଧିନାୟକ ଦେବେନ୍ଦ୍ର କୁଅଁରଙ୍କ ୪୧ ଏବଂ ସର୍ବେଶ୍ୱର ମହାନ୍ତିଙ୍କ ୪୭ ରନ୍ ବଳରେ ଦଳ ଦୁଇ ଶହ ରନ୍ ଅତିକ୍ରମ କରିବାରେ ସକ୍ଷମ ହୋଇଛି। ୟୁପିର ଦୁଇ ବାମହାତୀ ବୋଲର୍ ମୋହସିନ ମୁଲତାନ ଖାନ୍ (୧୭ ଓଭର୍, ୪୭ ରନ୍, ୪ ଓ୍ଵିକେଟ୍) ଏବଂ ତ୍ରିଶାଲ ବିଜୟ ତ୍ରିବେଦୀ (୧୬ ଓଭର୍, ୨୮ ରନ୍, ୩ ଓ୍ଵିକେଟ୍) ମିଳିତଭାବେ ଘରୋଇ ଦଳର ବିପର୍ଯ୍ୟୟ ଘଟାଇଛନ୍ତି। ଓ୍ଵିକେଟ୍କୁ ଦେଖିଲେ ପ୍ରଥମ ପାଳିରେ ଓଡ଼ିଶାର ଏହି ସ୍କୋର ଆବଶ୍ୟକତାଠାରୁ ଯଥେଷ୍ଟ କମ୍ ମନେ ହେଉଛି। ବର୍ତମାନ ବୋଲର୍ମାନଙ୍କ ଉପରେ ଦଳର ଭାଗ୍ୟ ନିର୍ଭର କରିବ।
ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍ରେ ଗୁରୁବାର ଆରମ୍ଭ ହୋଇଥିବା ଏହି ୪ ଦିନିଆ ମ୍ୟାଚ୍ରେ ଓଡ଼ିଶା ୬ଟି ପରିବର୍ତନ ସହ ପଡ଼ିଆକୁ ଓହ୍ଲାଇଥିଲା। ମଧ୍ୟ ପ୍ରଦେଶ ବିପକ୍ଷ ଗତ ମ୍ୟାଚ୍ରେ ଖେଳି ନଥିବା ଅମ୍ରିତ ଖଟୁଆ, ବିଶ୍ୱଜିତ ଭୂୟାଁ, ଦେବବ୍ରତ ପ୍ରଧାନ, ଅଭିଳାଷ ସେମେଓ୍ଵାଲ, ଅଭିଜିତ ଘାନା ଏବଂ ପପ୍ପୁ ରାୟଙ୍କୁ ୧୧ ଜଣିଆ ଦଳରେ ସୁଯୋଗ ମିଳିଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶାକୁ ଆରମ୍ଭରୁ ବଡ଼ ଝଟ୍କା ଲାଗିଥିଲା। ଦଳର ସବୁଠୁ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ରାଜେଶ ଧୁପର (୧) ତୃତୀୟ ଓଭର୍ରେ ଓ୍ଵିକେଟ୍ ପଛରେ ଧରା ପଡ଼ି ପ୍ୟାଭିଲିୟନ୍ ଫେରିଥିଲେ। ଭୋଜନ ବିରତି ପୂର୍ବରୁ ଦଳ ଆଉ ଦୁଇ ଆଗ ଧାଡ଼ି ବ୍ୟାଟ୍ସମ୍ୟାନ୍ ଦେବାଶିଷ ସାମନ୍ତରାୟ (୯) ଏବଂ ବିଶ୍ୱଜିତ ଭୂୟାଁ (୯)ଙ୍କୁ ହରାଇଥିଲା। ତେବେ ଅମ୍ରିତ ଧୈର୍ଯ୍ୟର ସହ ବ୍ୟାଟିଂ କରି ଚତୁର୍ଥ ଓ୍ଵିକେଟ୍ ଭାଗୀଦାରିରେ ଅଧିନାୟକ ଦେବେନ୍ଦ୍ର କୁଅଁରଙ୍କ ସହ ୬୯ ରନ୍ ଯୋଡ଼ିଥିଲେ। ସେ ୧୭୩ ବଲ୍ ଖେଳି ୧୦ ଚୌକା ବଳରେ ୫୯ ରନ୍ କରିଥିବା ବେଳେ ଖାନ୍ଙ୍କ ବଲ୍ରେ ଓ୍ଵିକେଟ୍ ପଛରେ ଧରା ପଡ଼ିଥିଲେ। ୩ ରନ୍ ପରେ ଦେବେନ୍ଦ୍ର (୪୧, ୭୫ ବଲ୍, ୭ ଚୌକା) ମଧ୍ୟ ଖରାପ ସଟ୍ ଖେଳି ଫ୍ୟାଭିଲିୟନ୍ ଫେରିଥିଲେ। ୬ ନମ୍ବରରେ ଆସିଥିବା ସର୍ବେଶ୍ୱର ନିମ୍ନ ଭାଗ ବ୍ୟାଟ୍ସମ୍ୟାନ୍ଙ୍କ ସହ ଏକାଧିକ ଭାଗୀଦାରି କରି ଦଳର ସମ୍ମାନ ରଖିଥିଲେ। ଷ୍ଟମ୍ପ୍ ଅପସାରଣ ବେଳକୁ ସେ ୮୪ ବଲ୍ରୁ ୪ ଚୌକା, ୩ ଛକା ବଳରେ ୪୭* ରନ୍ କରି ଅପରାଜିତ ଥିଲେ। ତାଙ୍କ ସହ ପପ୍ପୁ ରାୟ (୧*) ବାଟିଂ କରୁଥିଲେ। ଦେବବ୍ରତ ପ୍ରଧାନ (୮), ଅଭିଳାଷ ସେମେଓ୍ଵାଲ (୧୯), ଆଶୁତୋଷ ଦାସ (୧୫) ତାଙ୍କୁ ସହଯୋଗ କରିଥିଲେ। ପ୍ରଥମ ଦିନରେ ୮୧ ଓଭର୍ ଖେଳ ସମ୍ଭବ ହୋଇଥିଲାବେଳେ ୟୁପିର ଧ୍ରୁବ ପ୍ରତାପ ସିଂହ ଏବଂ ସଂଦୀପ କୁମାର ଗୋଟିଏ ଲେଖାଏଁ ଓ୍ଵିକେଟ୍ ପାଇଥିଲେ।