ନୂଆଦିଲ୍ଲୀ: ଭାରତୀୟ ଏକ ନମ୍ବର ବ୍ୟାଡ୍ମିଣ୍ଟନ ତାରକା ଲକ୍ଷ୍ୟ ସେନ୍, ତାଙ୍କ ପରିବାର ଏବଂ ପୂର୍ବତନ ପ୍ରଶିକ୍ଷକ ବିମଳ କୁମାରଙ୍କ ବିରୋଧରେ ବୟସ ଜାଲିଆତି ମାମଲା ରୁଜୁ ହୋଇଛି। ୨୧ ବର୍ଷରୁ କମ୍ ଏହି ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତା ଲକ୍ଷ୍ୟ ଏବଂ ତାଙ୍କ ଭାଇ ଚିରାଗ ସେନ୍ ୨୦୧୦ରୁ ବୟସ ଜାଲିଆତି କରି ବିଭିନ୍ନ ବୟସ ଗ୍ରୁପ୍ ପ୍ରତିଯୋଗିତାରେ ଖେଳିଆସୁଥିବା ନେଇ ବେଙ୍ଗାଲୁରୁରେ ଏମ୍ ଗୋଭିଆପ୍ପା ନାଗରାଜ ଗୁରୁବାର ଏଫ୍ଆଇଆର୍ ଦାୟର କରିଛନ୍ତି। ଏହି ଏଫ୍ଆଇଆର୍ରେ ଲକ୍ଷ୍ୟଙ୍କ ବାପା ଧୀରେନ୍ଦ୍ର, ସାଇର ଜଣେ ପ୍ରଶିକ୍ଷକ, ମାତା ନିର୍ମଳା ଏବଂ ପୂର୍ବ ପ୍ରଶିକ୍ଷକ ବିମଳ କୁମାରଙ୍କ ନାମ ମଧ୍ୟ ଉଲ୍ଲେଖ ରହିଛି। ଏମାନେ ଆଇପିସି (ଭାରତୀୟ ପିଙ୍ଗଳ କୋର୍ଡ) ଅନ୍ତର୍ଗତ ଠକେଇ (ଧାରା ୪୨୦), ଜାଲିଆତି (ଧାରା ୪୬୮), ଜାଲିଆତି ନଥିପତ୍ରକୁ ଅସଲି ଦର୍ଶାଇବା (ଧାରା ୪୭୧) ଏବଂ ନକାରାତ୍ମକ ଆଭିମୁଖ୍ୟ ଆପଣେଇଥିବା (୩୪) ନେଇ ମାମଲା ରୁଜୁ କରାଯାଇଛି। ଏହା କରି ଲକ୍ଷ୍ୟଙ୍କ ଅଭିଭାବକ ଏବଂ ପ୍ରଶିକ୍ଷକ ଅଧିକାଂଶ ଦକ୍ଷ ଯୁବ ବ୍ୟାଡ୍ମିଣ୍ଟନ ଖେଳାଳିଙ୍କ କ୍ୟାରିୟର ନଷ୍ଟ କରିଛନ୍ତି। ଏନେଇ ଉପରୋକ୍ତ ୫ ଜଣଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନାଗରାଜ ଦାବି କରିଛନ୍ତି। ହେଲେ ଏହି ଅଭିଯୋଗ ଉପରେ ଲକ୍ଷ୍ୟ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନି।
ସୂଚନାଯୋଗ୍ୟ, ଉତ୍ତରାଖଣ୍ଡର ସେନ୍ ଭ୍ରାତା ବେଙ୍ଗାଲୁରୁ ସ୍ଥିତ ପ୍ରକାଶ ପାଦୁକୋନ୍ ବ୍ୟାଡ୍ମିଣ୍ଟନ ଏକାଡେମୀରେ ବିମଳ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପ୍ରଶିକ୍ଷଣ ନେଉଥିଲା ବେଳେ ଏଫ୍ଆଇଆର୍ ଦାୟର କରିଥିବା ଅଭିଯୋଗକାରୀ ମେଟ୍ରୋପଲିସ୍ରେ ଅନ୍ୟ ଏକ ଏକାଡେମୀ ପରିଚାଳନା କରୁଛନ୍ତି। ତାଙ୍କ ଅଭିଯୋଗ ହେଲା, କୁମାର ୨୦୧୦ରେ ଲକ୍ଷ୍ୟଙ୍କ ଅଭିଭାବକଙ୍କୁ ଜନ୍ମ ପ୍ରମାଣପତ୍ର ଜାଲିଆତି କରିବାକୁ ବାଧ୍ୟ କରିଥିଲେ। ତେଣୁ ଯଦି ତାଙ୍କ ବୟସ ଜାଲିଆତି ପ୍ରମାଣିତ ହୁଏ ତାହାଲେ ନିକଟରେ ଅର୍ଜୁନ ପୁରସ୍କାର ପାଇଥିବା ଲକ୍ଷ୍ୟଙ୍କଠାରୁ ଏକାଧିକ ରେକର୍ଡ ପ୍ରତ୍ୟାହୃତ ହୋଇଯିବ ବୋଲି ଅଭିଯୋଗକାରୀ କହିଛନ୍ତି। ଅନ୍ୟପକ୍ଷରେ ନାଗରାଜଙ୍କ ଏଭଳି ଅଭିଯୋଗକୁ ଅସ୍ବୀକାର କରିଛନ୍ତି କୁମାର। ଲକ୍ଷ୍ୟ ସଂପ୍ରତି ଚମତ୍କାର ପ୍ରଦର୍ଶନ କରୁଛନ୍ତି ଏବଂ ବିରତି ପରେ ପୁଣି ପ୍ରଶିକ୍ଷଣ ଆରମ୍ଭ କରିଛନ୍ତି। ଫଳରେ ତାଙ୍କୁ ହଇରାଣ କରିବା ପାଇଁ ଅଭିଯୋଗକାରୀଙ୍କ ଏହା ଚକ୍ରାନ୍ତ ବୋଲି କୁମାର କହିଛନ୍ତି।