କଟକ: ଓଡ଼ିଶା ପାଇଁ କ୍ରିକେଟ ଖେଳିଥିବା ପୂର୍ବତନ କ୍ରିକେଟରମାନଙ୍କ ପେନ୍ସନ୍ ବୃଦ୍ଧି କରାଯାଇଛି। ଯେଉଁମାନେ ସର୍ବାଧିକ ୪ଟି ମ୍ୟାଚ୍ ଖେଳିଥିବେ ସେମାନଙ୍କ ପେନସନ୍ ୨୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ସେମାନେ ୧୫୦୦ ଟଙ୍କା ପାଉଥିଲେ। ସେହିପରି ୫ରୁ ୧୪ ମ୍ୟାଚ୍ ଖେଳିଥିବା ଖେଳାଳିମାନେ ପୂର୍ବରୁ ୩୦୦୦ ଟଙ୍କା ପାଉଥିଲା ବେଳେ ଏବେ ୪୫୦୦ ଟଙ୍କା ପାଇବେ। ୧୫ରୁ ୨୪ ମ୍ୟାଚ୍ ଖେଳିଥିବା ଖେଳାଳିମାନେ ୫୦୦୦ ଟଙ୍କା ପରିବର୍ତେ ୭୦୦୦ ଟଙ୍କା ପେନସନ୍ ପାଇବାକୁ ସ୍ଥିର ହୋଇଛି। ଶୁକ୍ରବାର ଓସିଏ କାଉନସିଲ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା ବେଳେ ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରୁ ଏହାକୁ ଲାଗୁ କରାଯିବା ପାଇଁ ଆଲୋଚନା ହୋଇଛି। ଆପେକ୍ସ କାଉନସିଲ ସ˚କ୍ରାନ୍ତରେ ଓସିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ବେହେରା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ପୂର୍ବରୁ ୪୩ ଜଣ ୧୫୦୦ ଟଙ୍କା, ୨୭ ଜଣ ୩୦୦୦ ଟଙ୍କା ଓ ୧୫ ଜଣ ୫୦୦୦ ଟଙ୍କା ପେନ୍ସନ ପାଉଥିଲେ। ହେଲେ ଭାରତୀୟ କ୍ରିକେଟ ସ˚ଘର ଓଡ଼ିଶା ସଦସ୍ୟ ଅବକାଶ ଖଟୁଆଙ୍କ ପ୍ରସ୍ତାବକ୍ରମେ ଆପେକ୍ସ କାଉନସିଲ୍ରେ ନୂଆ ନିର୍ଧାରିତ ପେନ୍ସନ୍କୁ ମ˚ଜୁରି ଦିଆଯାଇଥିଲା।
ଏତତ୍ବ୍ୟତୀତ ଓଡ଼ିଶା କ୍ରିକେଟରଙ୍କ ମାନବୃଦ୍ଧି ଓ ଆନ୍ତର୍ଜାତିକମାନର ଭିତ୍ତିଭୂମି ଯୋଗାଇ ଦେବା ପାଇଁ ଓସିଏ ପକ୍ଷରୁ କଟକ ଓ ଭୁବନେଶ୍ବର ମଧ୍ୟରେ ୨୦ରୁ ୩୦ ଏକର ଜମି ଖୋଜାଯାଉଛି। ଯେଉଁଠାରେ ୩ରୁ ୪ଟି ଅଭ୍ୟାସ ପଡ଼ିଆ ରହିବା ସହ ପ୍ରତ୍ୟେକ ପଡ଼ିଆରେ ୩ରୁ ୪ ଅଭ୍ୟାସ ପିଚ୍ ପ୍ରସ୍ତୁତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଛଡ଼ା ଉକ୍ତ ଏକାଡେମୀରେ ଜିମ୍, ସୁଇମି˚ ପୁଲ୍, ଥଇଥାନ କେନ୍ଦ୍ର ଇତ୍ୟାଦି ସୁବିଧା ରହିବ। ଖେଳାଳିମାନଙ୍କୁ ୮ରୁ ୯ ମାସ ପର୍ଯ୍ୟନ୍ତ ସେଠାରେ ରଖାଯାଇ ପ୍ରଶିକ୍ଷଣ ଦିଆଯିବ। ବର୍ଷତମାମ୍ ଏକାଡେମୀର କାର୍ଯ୍ୟକ୍ରମ ଚାଲିବ। ଏକାଥରରେ ୨୦୦ରୁ ୩୦୦ ପିଲା ରହିଲା ଭଳି ରୁମ୍ କରାଯିବ। ଏଥିପାଇଁ ପାଖାପାଖି ୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ବର୍ତ୍ତମାନ ରହିଥିବା ଏକାଡେମୀର ମରାମତି କାର୍ଯ୍ୟ ଆରମ୍ଭ କରାଯିବ। ଏଠାରେ ସ୍କୁଲ୍ସ୍ତରୀୟ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ମହିଳାମାନଙ୍କର ସମସ୍ତ ଶିବିର ପୁରୁଣା ଏକାଡେମୀରେ କରାଯିବ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି। ସେହିପରି କୋଭିଡ୍ କଟକଣା ଯୋଗୁଁ ପୁଣି କେବେ ଖେଳ ଆରମ୍ଭ ହେବ ତାହା ଅନିଶ୍ଚିତତା ଭିତରେ ରହିଛି। ତଥାପି ବିସିସିଆଇଠୁ ସବୁଜ ସଙ୍କେତ ମିଳିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। ଯଦି ବିସିସିଆଇ ଓ ରାଜ୍ୟ ସରକାର ଅନୁମତି ଦିଅନ୍ତି ତାହେଲେ ନଭେମ୍ବରରୁ ଅନ୍ତଃକ୍ଲବ୍ ପ୍ରତିଯୋଗିତା ଆରମ୍ଭ କରାଯାଇପାରିବ। ଏଥିସହ ପ୍ରଶିକ୍ଷକମାନଙ୍କର େଵବିନାର ଓ ଅନ୍ଲାଇନ୍ ପ୍ରଶିକ୍ଷଣ ଦିଆଯାଇପାରିବ। ଓସିଏର ସମସ୍ତ ସ୍ବୀକୃତିପ୍ରାପ୍ତ ୟୁନିଟ୍ଗୁଡିକୁ ଟର୍ଫ ଵିକେଟ ଯୋଗାଇ ଦିଆଯିବ। ଟର୍ଫ ପିଚ୍ ନିର୍ମାଣ ପାଇଁ ଓସିଏ ସବୁ ସହଯୋଗ କରିବ। ଏଥିସହ ପିଚ୍ର ରକ୍ଷଣାବେକ୍ଷଣ କିପରି ହେଉଛି ତାହାକୁ ମଧ୍ୟ ଓସିଏର ଏକ ସ୍ବତନ୍ତ୍ର ଦଳ ଅନୁଧ୍ୟାନ କରିବେ। ସେହିପରି ଜିଲ୍ଲା ୟୁନିଟ୍ମାନଙ୍କରେ ପଡ଼ିଆଗୁଡ଼ିକର ମଧ୍ୟ ଉନ୍ନତିକରଣ କରାଯିବ। ସେଠାରେ ପିଲାମାନଙ୍କୁ ପ୍ରଶିକ୍ଷଣ ଦେବାକୁ ପ୍ରଶିକ୍ଷକମାନଙ୍କୁ ନିଯୁକ୍ତ କରାଯିବ।
ଅନ୍ୟପକ୍ଷରେ ବାରବାଟୀ ଷ୍ଟାଡିୟମର ବିଭିନ୍ନ ୟୁନିଟ୍ଗୁଡ଼ିକର ନବୀକରଣ କାର୍ଯ୍ୟ ହାତକୁ ନିଆଯିବ। ୭ ନମ୍ବର ଗ୍ୟାଲେରୀ ଅସୁରକ୍ଷିତ ଥିବାରୁ ତାହାର ମରାମତି କାର୍ଯ୍ୟ ଆରମ୍ଭ କରାଯିବ। ବର୍ତ୍ତମାନ କରୋନା କଟକଣା ଜାରି ଥିବାରୁ ମରାମତି କାମ ଆରମ୍ଭ ହୋଇପାରୁନଥିଲା ବେଳେ ସରକାରଙ୍କଠୁ ଅନୁମତି ଅଣାଯାଇ ଖୁବ୍ଶୀଘ୍ର କାମ ଆରମ୍ଭ ହେବ। ଏହାଛଡ଼ା କ୍ଲବ୍ ହାଉସ, ସଚିନ ତେନ୍ଦୁଲକର ଇନ୍ଡୋର ହଲ୍, ଓସିଏ ଏକାଡେମୀ, ବାରବାଟୀ ଷ୍ଟାଡିୟମ ପଡ଼ିଆ ଓ ଅନ୍ୟାନ୍ୟ ଭିତ୍ତିଭୂମିଗୁଡ଼ିକୁ ମରାମତି କରାଯିବ। ନୂଆ ଏକାଡେମୀ ହେଲେ ବାରବାଟୀ ଷ୍ଟାଡିୟମକୁ ଅଣଦେଖା ହୋଇଯିବ କି ବୋଲି ପଚରା ଯାଇଥିବା ପ୍ରଶ୍ନରେ ଶ୍ରୀ ବେହେରା କହିଛନ୍ତି, ବାରବାଟୀ ଷ୍ଟାଡିୟମ ମୁଖ୍ୟ କ୍ରିକେଟ କେନ୍ଦ୍ର ଭାବେ ରହିବ। ବିସିସିଆଇର ଘରୋଇ ମ୍ୟାଚ୍ଗୁଡ଼ିକ ବାରବାଟୀରେ ହେବା ସହ ଏକାଡେମୀର ଅଭ୍ୟାସ ପଡ଼ିଆରେ ଓସିଏର ଘରୋଇ ପ୍ରତିଯୋଗିତା ଆୟୋଜନ ହୋଇପାରିବ। ବାରବାଟୀର ରୂପରେଖକୁ ଗତ ଆନ୍ତର୍ଜାତିକ ମ୍ୟାଚ୍ ବେଳେ ବଦଳାଯାଇଥିବାରୁ ଚଳିତ ବର୍ଷ ସୁଦ୍ଧା ପୂର୍ଣ୍ଣାଙ୍ଗ ନବୀକରଣ କରାଯିବାକୁ ଯୋଜନା ହୋଇଥିବା ସୂଚନା ଦିଆଯାଇଛି।