ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଦିଲ୍ଲୀ ପୁଲିସ୍‌ ଶେଷରେ ଭାରତୀୟ କୁସ୍ତି ସଂଘ (ଡବଲ୍ୟୁଏଫଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ନାମରେ ଏଫଆଇଆର୍ ଦାଏର କରିଛି। ୭ ଜଣ ମହିଳା କୁସ୍ତିଯୋଦ୍ଧା ବ୍ରିଜଭୂଷଣଙ୍କ ନାମରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣି ଗତ ଜାନୁଆରି ମାସରୁ ଦୁଇଟି ପର୍ଯ୍ୟାୟରେ ଆନ୍ଦୋଳନ ଜାରି ରଖିଛନ୍ତି। ଯନ୍ତର ମନ୍ତରରେ ପ୍ରାୟ ୩୦ ଜଣ କୁସ୍ତିଯୋଦ୍ଧା ବିଗତ ୬ ଦିନ ଧରି ଧାରଣାରେ ବସିବା ପରେ ଦିଲ୍ଲୀ ପୁଲିସ୍ ଚାପରେ ପଡ଼ି ମାମଲା ଦାଏର କରିବାକୁ ବାଧ୍ୟ ହୋଇଛି। ସଲିସିଟର୍ ଜେନେରାଲ ତୁଷାର ମେହଟା ଦିଲ୍ଲୀ ପୁଲିସ୍ ପାଇଁ ସୁପ୍ରିମକୋର୍ଟରେ ହାଜର ହୋଇ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଓ ବିଚାରପତି ପିଏସ ନରସିଂହ ଖଣ୍ଡପୀଠକୁ ଜଣାଇଥିଲେ ଯେ ଶୁକ୍ରବାର ମାମଲା ଦାଏର ହେବ। ଆନ୍ଦୋଳନକାରୀଙ୍କୁ ଧମକ ଚମକ ମିଳୁଥିବାରୁ ସେଥିପ୍ରତି ଦୃଷ୍ଟି ଦେବା ସହିତ ଯଥେଷ୍ଟ ସୁରକ୍ଷା ଦେବାକୁ ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି। ଯୌନ ପୀଡ଼ିତାଙ୍କ ମଧ୍ୟରେ ଜଣେ ନାବାଳିକା ଥିବାରୁ ସ୍ବତନ୍ତ୍ର ନଜର ରଖିବାକୁ କୁହାଯାଇଛି।

Advertisment

ଓହରିବୁ ନାହିଁ, ଦିଲ୍ଲୀ ପୁଲିସ୍ ଉପରେ ଭରସା ନାହିଁ
ଅଭିଯୁକ୍ତ ବ୍ରିଜଭୂଷଣଙ୍କ ନାମରେ ମାମଲା ଦାଏର ପାଇଁ ଦିଲ୍ଲୀ ପୁଲିସ୍ ରାଜି ହେବା କଥା ସୁ୍ପ୍ରିମକୋର୍ଟଙ୍କୁ ଜଣାଇବା ସତ୍ତ୍ବେ ଅନ୍ଦୋଳନରୁ ଓହରିବାକୁ ନାରାଜ ହୋଇଛନ୍ତି କୁସ୍ତିଯୋଦ୍ଧାମାନେ। ‘ଦିଲ୍ଲୀ ପୁଲିସ୍ ଉପରେ ଆମର ବିଶ୍ବାସ ନାହିଁ। ବ୍ରିଜଭୂଷଣଙ୍କ ବିରୋଧରେ ଏଫଆଇଆର୍‌ ଦାଏର ପାଇଁ ୬ ଦିନ ଲାଗିଗଲା। ଏଥିପାଇଁ ପୁଲିସ୍ ବିଶ୍ବାସ ହରାଇଛି। ଆମେ ଏବେ ଆଶଙ୍କା କରୁଛୁ ସେମାନେ ଶରଣ ସିଂହଙ୍କ ବିରୋଧରେ ହାଲକା ଏଫ୍‌ଆରଆର୍‌ ଦାଏର କରି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବେ। ତାଙ୍କୁ ଏବେ ଗିରଫ କରି ଜେଲରେ ଭର୍ତ୍ତି କରିଦିଆଯିବା ଉଚିତ୍‌।’ ବୋଲି ରାଜ୍ୟଗୋଷ୍ଠୀ ଓ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜୟିନୀ ଭିନେଶ ଫୋଗଟ କହିଛନ୍ତି। ଆମେ ବିଶ୍ବାସ କରିଛୁ, କେବଳ ସୁପ୍ରିମ୍‌କୋର୍ଟ ହିଁ ଆମକୁ ଆଶ୍ବସ୍ତି ଦେଇପାରିବେ। ଆମେ କେବଳ ବିଚାର ବିଭାଗ ଉପରେ ଆସ୍ଥା ରଖିଛୁ। ପ୍ରଧାନମନ୍ତ୍ରୀଙ୍କୁ ଅ‌ନୁରୋଧ କରୁଛୁ, ବ୍ରିଜଭୂଷଣ ସିଂହଙ୍କୁ ସାଂସଦ ପଦରୁ ବିଦା କରନ୍ତୁ ଏବଂ ସମସ୍ତ ସାମ୍ବିଧାନିକ ପଦରୁ ହଟାଇ ଦିଅନ୍ତୁ। ବ୍ରିଜଭୂଷଣଙ୍କ ନାମରେ ଦେଶର ବିଭିନ୍ନ ଥାନାରେ ୩୮ ଅପରାଧିକ ମାମଲା ରହିଥ‌ିଲେ ମଧ୍ୟ କୌଣସିଟିରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ତାଙ୍କୁ ଡବଲ୍ୟୁଏଫଆଇ ସଭାପତି ପଦରୁ ହଟାଯିବା ସହ ଗିରଫ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମଧ୍ୟ ପ୍ରକାଶ କରିଛନ୍ତି ବଜରଙ୍ଗ ପୁନିଆ।

କୁସ୍ତିଯୋଦ୍ଧାଙ୍କ ପାଇଁ ସ୍ବର ଉଠାଇଲେ କ୍ରିକେଟର୍‌
କ୍ରିକେଟର୍ ମାନେ ମୁହଁ ଖୋଲୁନାହାନ୍ତି ବୋଲି କୁସ୍ତିଯୋଦ୍ଧାମାନେ ଅଭିଯୋଗ କରିବାର ଦିନକ ପରେ କପିଳ ଦେବ, ବୀରେନ୍ଦ୍ର ସେହବାଗ, ହରଭଜନ ସିଂହ, ଇରଫାନ ପଠାନ ପ୍ରମୁଖ ପୂର୍ବତନ ଖେଳାଳିମାନେ ସ୍ବର ଉଠାଇଛନ୍ତି। ଆନ୍ଦୋଳନରେ ଥିବା କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିବାରେ ଏହି କ୍ରିକେଟରମାନେ ପ୍ରଥମ ହୋଇଛନ୍ତି। ଭାରତୀୟ କୁସ୍ତି ସଂଘ (ଡବଲ୍ୟୁଏଫଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ନାମରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣି ଦେଶର ଆଗଧାଡ଼ିର ମହିଳା କୁସ୍ତିଯୋଦ୍ଧାମାନେ ୬ ଦିନ ଧରି ଯନ୍ତର ମନ୍ତରରେ ଧାରଣାରେ ବସିଛନ୍ତି। ଶୁକ୍ରବାର ଦିଲ୍ଲୀ ପୁଲିସ୍ ସାଂସଦ ବ୍ରିଜଭୂଷଣଙ୍କ ନାମରେ ମାମଲା ଦାଏର କରିବାକୁ ରାଜି ହେବା ପରେ କୁସ୍ତିଯୋଦ୍ଧାମାନଙ୍କୁ ପ୍ରାରମ୍ଭିକ ସଫଳତା ମିଳିଛି। ‌କୁସ୍ତିଯୋଦ୍ଧାମାନେ କିନ୍ତୁ ବ୍ରିଜଭୂଷଣଙ୍କୁ ଡବଲ୍ୟୁଏଫ୍‌ଆଇ ସଭାପତି ପଦରୁ ବିତାଡ଼ିତ କରିବା ଏବଂ ଗିରଫ କରିବାକୁ ଅଡି ବସିଛନ୍ତି। ଏମାନଙ୍କୁ ସମର୍ଥନ କରି କିଂବଦନ୍ତି ଅଲରାଉଣ୍ଡର୍‌ କପିଳ ଦେବ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଛନ୍ତି, ‘ସେମାନେ କେବେ ନ୍ୟାୟ ପାଇବେ?’ ଏହି ପୋଷ୍ଟ ସହିତ ଭିନେଶ ଫୋଗଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକଙ୍କ ଧାରଣାରତ ଫଟୋ ମଧ୍ୟ ‌ସଂଯୋଗ କରିଛନ୍ତି। ଫେବ୍ରୁଆରି ମାସରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ତଥା ପୂର୍ବତନ ବିସିସିଆଇ ସଭାପତି ଅନୁରାଗ ଠାକୁର ଏକ ଫୋରସାଇଟ୍ କମିଟି ଗଠନ କରି ତଦନ୍ତ ଦାୟିତ୍ବ ଦେଇଥିଲେ। ଅଲିମ୍ପିକ୍ସ ପଦକ ବିଜେତା ଏମ୍‌ସି ମେରିକମ୍‌ ଓ .ଯୋଗେଶ୍ବର ଦତ୍ତଙ୍କୁ ସେ ତଦନ୍ତ ଦାୟିତ୍ବ ଦେଇଥିଲେ। ୨ ମାସ ପରେ‌ ‌ଏହାର ରିପୋର୍ଟକୁ ସର୍ବସାଧାରଣ କରାନଯିବାରୁ କୁସ୍ତିଯୋଦ୍ଧାମାନେ ଏପ୍ରିଲ୍ ୨୩ରୁ ଆନ୍ଦୋଳନରେ ବସିଛନ୍ତି। ଶୁକ୍ରବାର ଭିନେଶ ଫୋଗଟ ଭାରତୀୟ କ୍ରିକେଟ୍ ସମୂଦାୟକୁ ଆହ୍ବାନ ଦେଇ କହିଥିଲେ, ‘ଆମେ କିଛି ଜିତି ଆସିବାବେଳେ ଆପଣମାନେ ଅଭିନନ୍ଦନ ଜଣାଇବାକୁ ଆଗେଇ ଆସୁଥିଲେ। କିଛି ବି ଘଟିଲେ କ୍ରିକେଟରମାନେ ଟ୍ବିଟ୍‌ କରୁଥିଲେ। ଏବେ କ’ଣ ହୋଇଗଲା। ବ୍ୟବସ୍ଥାକୁ ନେଇ ଆପଣମାନେ ଡରୁଛନ୍ତି କି ? ସମଗ୍ର ଦେଶ କ୍ରିକେଟ୍‌କୁ ପୂଜା କରୁଛି, କିନ୍ତୁ ଜଣେ ହେଲେ କ୍ରିକେଟର୍‌ ଆମ ସପକ୍ଷରେ ମୁହଁ ଖୋଲୁ ନାହାନ୍ତି। ଯେ କୌଣସି ଦଳରେ ଥିଲେ ବି ନିର‌ପେକ୍ଷ ବାର୍ତ୍ତା ଆସିବା କଥା-କ୍ରିକେଟ୍‌ ହେଉ କି ବ୍ୟାଡ୍‌ମିଣ୍ଟନ୍‌, ଆଥଲେଟିକ୍ସ କି ବକ୍ସିଂ...ଏସବୁ ମୋତେ ଯନ୍ତ୍ରଣା ‌ଦେଇଛି। କପିଳ ଦେବ ପୂର୍ବରୁ ମନ୍ତବ୍ୟ ରଖିଥିବା ବେଳେ ଶୁକ୍ରବାର ହରଭଜନ ସିଂହ, ବୀରେନ୍ଦ୍ର ସେହବାଗ, ଇରଫାନ୍ ପଠାନ ଯୋଗ ଦେଇଥିଲେ। ହରଭଜନ ତାଙ୍କ ଟ୍ବିଟ୍‌ରେ ଲେଖିଛନ୍ତି, ‘ଆମ ଦେଶର ଗର୍ବ ଓ ଗୌରବ ରାସ୍ତାକୁ ଆସି ଆନ୍ଦୋଳନ କରିବା ଯନ୍ତ୍ରଣାଦାୟକ।’’ ସେହବାଗ ଉଲ୍ଲେଖ କରିଛନ୍ତି, ‘ଏହା ଏକ ସ୍ପର୍ଶକାତର ମାମଲା ଏବଂ ନିରପେକ୍ଷ ତଦନ୍ତର ଅପେକ୍ଷା ରଖୁଛି’। ଇରଫାନ୍ କହିଛନ୍ତି, ‘ଭାରତୀୟ କ୍ରୀଡ଼ାବିତ୍‌ କେବଳ ପଦକ ଜିତିବା ବେଳେ ନୁହେଁ ସବୁବେଳେ ଗୌରବର ହକ୍‌ଦାର। ରିପୋର୍ଟ ଲେଖା ହେବା ବେଳକୁ କୌଣସି ବର୍ତମାନର କ୍ରିକେଟର୍ ମୁହଁ ଖୋଲିନଥିଲେ। ଅଲିମ୍ପିକ୍ ଚାମ୍ପିଅନ୍ ନୀରଜ ଚୋପ୍ରା କହିଛନ୍ତି, ‘ଯାହା ଘଟିଲା (ରାସ୍ତାରେ ଧାରଣା) କେବେ ଘଟିବା କଥା ନୁହେଁ’। ଦୁଇ ଥର ବିଶ୍ବ ବିଜୟିନୀ ମହିଳା ବକ୍ସର ନିଖତ ଜରିନ୍‌ ଏବଂ ଅଲିମ୍ପିକ ସ୍ବର୍ଣ୍ଣ ବିଜେତା ବଂଧୁକଚାଳକ ଅଭିନବ ବିନ୍ଦ୍ରା ମଧ୍ୟ ଏଭଳି ଆନ୍ଦୋଳନକୁ ନେଇ ଚିନ୍ତାପ୍ରକଟ କରିଛନ୍ତି।

ନ୍ୟାୟ ପାଇଁ ଖର୍ଚ୍ଚାନ୍ତ
ଯନ୍ତର ମନ୍ତରରେ ଆନ୍ଦୋଳନ ଚଳାଇଥିବା ଭାରତର ପ୍ରମୁଖ ମହିଳା କୁସ୍ତିଯୋଦ୍ଧାଙ୍କ ପାଇଁ ଏହା ବ୍ୟୟବହୁଳ ହୋଇପଡ଼ିଲାଣି। ଆନ୍ଦୋଳନ ପାଇଁ ଆବଶ୍ୟକ ମୌଳିକ ବ୍ୟବସ୍ଥା ଲାଗି ସେମାନେ ପକେଟରୁ ଖର୍ଚ୍ଚ କରି ନୟାନ୍ତ ହୋଇଗଲେଣି। ଦ୍ବିତୀୟ ପର୍ଯ୍ୟାୟର ଏହି ଆନ୍ଦୋଳନର ପ୍ରଥମ ୫ ଦିନ ଭିତରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ ‌ହୋଇଗଲାଣି। ମ୍ୟାଟ୍‌, ବେଡ୍‌ସିଟ୍‌, ଫ୍ୟାନ୍‌, ସ୍ପିକର୍ସ, ମାଇକ୍ରୋଫୋନ୍‌, ମିନି ପାୱାର ଜେନେରେଟର ସେଟ୍‌ ବଡ଼ ଖର୍ଚ୍ଚର କାରଣ ହୋଇଛି। ପ୍ରଥମରୁ ଦୈନିକ ୨୭,୦୦୦ ଟଙ୍କା ଖର୍ଚ୍ଚରେ ହୋଇଯାଉଥିଲେ ମଧ୍ୟ ଅନ୍ଦୋଳନ ଦିବସ ବଢ଼ିବା ସହ ଅନ୍ୟାନ୍ୟ ଆବଶ୍ୟକତାର ଖର୍ଚ୍ଚର ବୋଝ ପଡ଼ିଛି। ଏହା ଛଡ଼ା ଆନ୍ଦୋଳନରେ ସାମିଲ ୩୦ ଜଣଙ୍କ ଖାଇବା ଓ ପିଇବା ଖର୍ଚ୍ଚ ରହିଛି। କିଛି ବ୍ୟକ୍ତିଗତ ଅବଦାନ କାରଣରୁ ଆନ୍ଦୋଳନ ଜାରି ରହିପାରିଛି ବୋଲି ସେମାନେ କହିଛନ୍ତି।

ଉଷା ‘ରାଜନୈତିକ ମୁଖପାତ୍ର’
ଆନ୍ଦୋଳନରତ କୁସ୍ତିଯୋଦ୍ଧାମାନଙ୍କୁ ସମର୍ଥନ କରିବା ବଦଳରେ ସମାଲୋଚନା କରିଥିବାରୁ କିଂବଦନ୍ତି ଧାବିକା ପିଟି ଉଷାଙ୍କୁ ଘେରିଛନ୍ତି ବହୁ ରାଜନେତା। ରାଜ୍ୟସଭା ସାଂସଦ ତଥା ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)ର ସଭାପତି ଥିବା ପିଟି ଉଷା କହିଥିଲେ, ‘କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଦେଶର ଭାବମୂର୍ତ୍ତିକୁ ଖରାପ କରୁଛି।’ ଏହାର ଜବାବରେ କଂଗ୍ରେସ ନେତା ଶଶୀ ଥରୁର୍ କହିଛନ୍ତି, ‘ସେମାନଙ୍କୁ ନ ଶୁଣିବା ଓ ଅଣଦେଖା କରିବା ଦେଶର ଭାବମୂର୍ତ୍ତିକୁ ଖରାପ କରୁଛି’। ପିଟି ଉଷାଙ୍କୁ ତାଙ୍କ ନୂଆ ରାଜନୈତିକ ବଂଧୁମାନେ ସେମାନଙ୍କ ମୁଖପାତ୍ର ସଜାଇଛନ୍ତି ବୋଲି କହିଛନ୍ତି ସିପିଆଇ ସାଂସଦ ବିନୟ ବିଶ୍ବମ୍‌। ଟିଏମ୍‌ସି ସାଂସଦ ‌ମହୁଆ ମୈତ୍ର ମଧ୍ୟ ଉଷାଙ୍କ ଉକ୍ତିକୁ ସମାଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ଆଇଓଏ ଏକ ୩ ଜଣିଆ ଆଡହକ୍ କମିଟି ଗଠନ କରି ଭାରତୀୟ କୁସ୍ତି ସଂଘର ଦୈନଦିନ ବ୍ୟାପାର ବୁଝିବାକୁ ଦାୟିତ୍ବ ଦେଇଛି।