ମହିଳା ହକି ପାଇଁ ମହତ୍ବପୂର୍ଣ୍ଣ ମୋଡ଼

ଓଡ଼ିଶାବାସୀଙ୍କ ହୃଦୟରେ ହକି ଅଛି, ଓଡ଼ିଶା ଆମ ଦ୍ବିତୀୟ ଘର: ରାଣୀ

ଭୁବନେଶ୍ବର: ‘‘ଓଡ଼ିଶା ସରକାର ହକି ପାଇଁ ବହୁତ କିଛି କରିଛନ୍ତି। ଆଗାମୀ ସମୟରେ ମଧ୍ୟ ଏହି ସହଯୋଗ, ସମର୍ଥନ ଓ ଭଲପାଇବା ଜାରି ରହିବ ବୋଲି ଆଶା କରୁଛି। ଓଡ଼ିଶାର ସବୁଠାରୁ ବଡ଼ ସ୍ବତନ୍ତ୍ରତା ହେଲା ଏଠାରେ ପ୍ରତ୍ୟେକ ଲୋକଙ୍କ ହୃଦୟରେ ହକିର ସ୍ବତନ୍ତ୍ର ସ୍ଥାନ ରହିଛି। ଏପରିକି ହକି ବିଷୟରେ କିଛି ଜାଣି ନଥିଲେ ମଧ୍ୟ ଏଠାକାର କ୍ରୀଡ଼ାପ୍ରେମୀ ଷ୍ଟାଡିୟମ୍ ଆସି କେବଳ ଆମକୁ ନୁହେଁ ଅନ୍ୟ ଦଳକୁ ମଧ୍ୟ ସମର୍ଥନ ଦିଅନ୍ତି। ଅନ୍ୟ ରାଜ୍ୟଗୁଡ଼ିକ କେବଳ ନିଜ ପିଲାଙ୍କୁ ଡାକି ସମ୍ବର୍ଦ୍ଧିତ କରୁଛନ୍ତି। ଓଡ଼ିଶା ସରକାର କିନ୍ତୁ ପୂରା ଦଳକୁ ଡାକିଛନ୍ତି। ଏହା ହିଁ ଅନ୍ୟ ରାଜ୍ୟ ଓ ଓଡ଼ିଶା ମଧ୍ୟରେ ଫରକ। ଟୋକିଓ ପ୍ରଥମ ତିନି ମ୍ୟାଚ୍ ଆମ ପାଇଁ ବହୁତ କଷ୍ଟକର ଥିଲା। ତେବେ ଆମେ କେବେ ଆତ୍ମବିଶ୍ବାସ ହରାଇ ନଥିଲୁ। ପରବର୍ତ୍ତୀ ଦୁଇ ମ୍ୟାଚ୍‌କୁ ଜିତି କ୍ବାର୍ଟର ଫାଇନାଲକୁ ଯାଇଥିଲୁ। କୋଚ୍ ଜୋଏଡ୍ ମାରିନ୍ ଏବେ ଦଳ ସହ ନାହାନ୍ତି। ପରିବାର ସହ ସମୟ କଟାଇବା ଲାଗି ସେ ନିଜ ଦେଶକୁ ଫେରିଯାଇଛନ୍ତି। ତାଙ୍କ ପାଇଁ ଆମ ମନରେ ବହୁତ ସମ୍ମାନ ରହିଛି। ତାଙ୍କ ଅନୁପସ୍ଥିତିକୁ ଆମେ ନିଶ୍ଚିତ ଅନୁଭବ କରିବୁ। ହେଲେ ଏବେ ଆମର ସହକାରୀ ପ୍ରଶିକ୍ଷକ ଥିବା ମଧ୍ୟ ଭଲ କାମ କରିବେ ବୋଲି ଆଶା ରଖିଛୁ। ସେ ନିଜେ ଜଣେ ଚମତ୍କାର ଖେଳାଳି ଥିବାରୁ ଦଳ ତାଙ୍କ ମାର୍ଗଦର୍ଶନରେ ସଫଳତାର ନୂଆ ସ୍ତର ଛୁଇଁବ ବୋଲି ଆଶା କରୁଛି’’ ମଙ୍ଗଳବାର ଏଭଳି ମନ୍ତବ୍ୟ ଦେଇଛନ୍ତି ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ।

ଓଡ଼ିଶାବାସୀଙ୍କ ହୃଦୟରେ ହକି ଅଛି, ଓଡ଼ିଶା ଆମ ଦ୍ବିତୀୟ ଘର: ରାଣୀ
ମହିଳା ହକିକୁ ଘରେ ଘରେ ପହଞ୍ଚାଇବା ସବୁଠାରୁ ବଡ଼ ସଫଳତା: ସବିତା
ଏସୀୟ କ୍ରୀଡ଼ାରୁ ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ପାଇବାକୁ ଚେଷ୍ଟା କରିବୁ: ବନ୍ଦନା
ତ୍ରୁଟି ସୁଧାରି ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିବାରୁ ଆତ୍ମସନ୍ତୋଷ ପାଇଛି: ଦୀପଗ୍ରେସ୍

ତୃତୀୟ ସ୍ଥାନ ପାଇଁ ଖେଳିଥିବା ମ୍ୟାଚ୍ ହାରିବା ସତ୍ତ୍ବେ ଆମକୁ ସରା ଦେଶରୁ ମିଳୁଥିବା ଭଲପାଇବା ଓ ସମ୍ମାନ ଆଗାମୀ ସମୟରେ ଆହୁରି ଭଲ କରିବା ଲାଗି ଆମକୁ ଅନୁପ୍ରେରିତ କରିବ। ଓଡ଼ିଶା‌ରେ ବି ଆଜି ଆମକୁ ବହୁତ ଭଲ ପାଇବା ଓ ସମ୍ମାନ ମିଳିଛି। ପୁରୁଷଙ୍କ ଭଳି ମହିଳାଙ୍କର ହକି ଇଣ୍ଡିଆ ଲିଗ୍ ଆୟୋଜନ ହେଲେ ଅଧିକ ଖୁସି ହେବି। ଆଗାମୀ ସମୟରେ ଆମେ ଏସୀୟ କ୍ରୀଡ଼ା, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ବିଶ୍ବକପ ଉପରେ ନଜର ରଖିବୁ। ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଲେ ଆମକୁ ସିଧାସଳଖ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବୁ। ଏଣୁ ଆମର ପରବର୍ତ୍ତୀ ଲକ୍ଷ୍ୟ ନିଶ୍ଚିତ ଭାବେ ଏସୀୟ କ୍ରୀଡ଼ା ରହିବ ବୋଲି କହିଥିଲେ ବନ୍ଦନା କଟାରିଆ।

ବ୍ରିଟେନ୍ ବିପକ୍ଷ ସେମିଫାଇନାଲ୍‌ରେ ପ୍ରଥମ କ୍ବାର୍ଟରରେ ମୁଁ ଏକ ତ୍ରୁଟି କରିଥିଲି। ଆତ୍ମଘାତି ଗୋଲ୍ ହୋଇଥିଲା। ହେଲେ ଏହା ଖେଳର ଅଂଶବିଶେଷ। ହେଲେ ମୁଁ ଏହି ବିଷୟରେ ଅଧିକ କିଛି ଭାବି ନଥିଲି। କାରଣ ଏମିତି କରିଥିଲେ ମୁଁ ମୋ ସ୍ବାଭାବିକ ଖେଳ ଖେଳି ପାରି ନଥା’ନ୍ତି। ପରବର୍ତ୍ତୀ ତିନିଟି କ୍ବାର୍ଟରରେ କିନ୍ତୁ ମୁଁ ଭଲ ଖେଳିଥିଲି ବୋଲି ଓଡ଼ିଆ ତାରକା ଦୀପଗ୍ରେସ୍ ଏକ୍କା କହିଥିଲେ। ଭାରତୀୟ ମହିଳା ହକିର ନୂଆ ପ୍ରାଚୀର ଭାବେ ପରିଚିତ ସବିତା କହିଥିଲେ ଯେ ହକିକୁ ନେଇ ଏବେ ଭାରତର ଘରେ ଘରେ ଚର୍ଚ୍ଚା। ହକି ଏବେ ମୁଖ୍ୟସ୍ରୋତରେ ସାମିଲ ହୋଇଛି। ଯାହାକୁ ନେଇସବୁଠାରୁ ଅଧିକ ଗର୍ବ ଲାଗୁଛି। ଆମର ଏହି ସଫଳତା ଦେଶରୁ ଆହୁରି ଅନେକ ଅଲିମ୍ପିଆନ୍ ସୃଷ୍ଟି କରିବ ବୋଲି ଆଶା ଓ ବିଶ୍ବାସ ରହିଛି।

 

ସମ୍ବନ୍ଧିତ ଖବର