ହକି ପ୍ରେମୀଙ୍କୁ ରାଣୀ ଓ ମନପ୍ରୀତ୍‌ଙ୍କ ଖୋଲା ଚିଠି

ପ୍ରାପ୍ତେଷୁ
ବିଶ୍ବବ୍ୟାପୀ ଥିବା ଭାରତୀୟ ହକି ପ୍ରଶଂସକ
ଏହି ଚିଠି ମାଧ୍ୟମରେ ଆମେ ବିଗତ ୩ ସପ୍ତାହର ଟୋକିଓ ଅଲିମ୍ପିକ୍ସ ଅଭିଜ୍ଞତାରୁ ମିଳିଥିବା ଭାବନାକୁ ବାଣ୍ଟିବାକୁ ଚାହିଁଛୁ। ଆପଣମାନଙ୍କ ସମର୍ଥନ ଆମ ପାଇଁ କେତେ ମୂଲ୍ୟବାନ ଥିଲା ଏଥିରୁ ଜାଣିପାରିବେ।

ଏକ ସ୍ମରଣୀୟ ପ୍ରତିଯୋଗିତା ପରେ ନୂଆଦିଲ୍ଲୀ ଆଗମନ ବେଳେ ଆମକୁ ସୋମବାର ଉନ୍ମାଦନାପୂର୍ଣ୍ଣ ସ୍ବାଗତ ମିଳିଥିଲା। ଆମେ ଏବେ ନିଜ ନିଜ ଘରେ ପହଞ୍ଚିଗଲୁଣି। ଦେଶସାରା ଏବଂ ଦେଶ ବାହାରୁ ଆପଣମାନଙ୍କଠାରୁ ମିଳିଥିବା ଭଲ ପାଇବା ଏବଂ ସମର୍ଥନ ବିପୁଳ ଭାବେ ପାଇଥିଲୁ। ଏହି ଅଭିଜ୍ଞତା ଆମ ପାଖରେ ଜୀବନସାରା ରହିବ ଏବଂ ସବୁଦିନ ପାଇଁ ମନେରହିବ।

ଟୋକିଓ୨୦୨୦ ଅଲିମ୍ପିକ୍ସର ଐତିହାସିକ ଅଭିଯାନ ୫ ବର୍ଷର ନିରଂତର କଠିନ ପରିଶ୍ରମ, ସଙ୍କଳ୍ପ ଓ ତ୍ୟାଗର ସମ୍ମିଳିତ ଫଳ। ଆମେ ଜାଣିଥିଲୁ ଏତେ ସହଜ ପଥ ନଥିଲା। ଆମେ ବି ଉତ୍‌ଥାନ ଓ ପତନ ଭିତରେ ଗତି କରିଥିଲୁ। ତଥାପି ହାତଛଡ଼ା କରିବାକୁ ଚାହିଁନଥିଲୁ। ପ୍ରତିଟି ମ୍ୟାଚ୍‌ରେ ଆମେ ଏକାଗ୍ର ରହିବା ସହ ସବୁକିଛି ଦେବାକୁ ପ୍ରସ୍ତୁତ ରହିଥିଲୁ। ନିର୍ଭୟରେ ଖେଳି ବିଶ୍ବର‌ କୌଣସି ଦଳକୁ ପରାସ୍ତ କରିବାର ମନୋବଳ ରଖିଥିଲୁ। ଟିମ୍‌ ସପୋର୍ଟ ଷ୍ଟାଫ୍‌, ଓଡ଼ିଶା ସରକାର, ହକି ଇଣ୍ଡିଆ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଏବଂ କ୍ରୀଡ଼ା ଓ ଯୁବ‌ବ୍ୟାପାର ମନ୍ତ୍ରଣାଳୟର ନିରଂତର ସହଯୋଗ ବିନା ଏଭଳି କୃତିତ୍ବ ସମ୍ଭବ ‌ହୋଇପାରିନଥା’ନ୍ତା। ଆମ ପ୍ରତିଟି ଯାତ୍ରାରେ ସାମିଲ ହୋଇଥିବା ପ୍ରତ୍ୟେକ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଉଛୁ। ସକାଳୁ ସକାଳୁ ଉଠି ଆମ ମ୍ୟାଚ୍‌ ଦେଖିବା ସହ ଯେଭଳି ସମର୍ଥନ କରିଥିଲେ ଆମେ ଅଭିଭୂତ। ଆମେ ଜିତିବା ବେଳେ ଆପଣ ବିଜୟ ଉତ୍ସବ ପାଳିଥିଲେ, ହାରିଯିବା ବେଳେ କାନ୍ଦି ପକାଉଥିଲେ। ଏଭଳି ନିଃସର୍ତ୍ତ ସମର୍ଥନ ଆମ ପାଇଁ ବିଶ୍ବ ଭଳି, ପରବର୍ତୀ ଅଲିମ୍ପିକ୍ସ ବଳୟରେ ଏଭଳି ସମର୍ଥନ ଜାରି ରହିବ ବୋଲି ଆଶା କରୁଛୁ।

ଆଗକୁ ବହୁ ବଡ଼ ପ୍ରତିଯୋଗିତା ଆସୁଛି। ଆମେ କିନ୍ତୁ କିଛି ସପ୍ତାହର ବିରାମ ନେଇଛୁ। ତଥାପି ଲଗାତାର ଭାବେ ପରବର୍ତୀ ଲକ୍ଷ୍ୟକୁ ନେଇ ଚିନ୍ତା କରୁଛୁ। ବିଗତ କିଛି ସପ୍ତାହରେ ମିଳିଥିବା ସମର୍ଥନ ଓ ଉତ୍ସାହ ଆମକୁ ଅନେକ ଭାବେ ପ୍ରବର୍ତ୍ତାଇଛି।‌ ଦେଶ ପାଇଁ ଗୌରବ ଆଣିବା ଠାରୁ ବି ଏହା ଅଧିକ କିଛି ଅନୁଭବ ଦେଇଛି। ଆଗାମୀ ଏସୀୟ ଚାମ୍ପିଅନ୍ସ ଟ୍ରଫି, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସିଆ କପ୍‌, ଏଫଆଇଏଚ୍‌ ପ୍ରୋ ଲିଗ୍‌ ଏବଂ ଏଫଆଇଏଚ୍‌ ପୁରୁଷ ଓ ମହିଳା ବିଶ୍ବକପ୍‌ ଉପରେ ନଜର ନିବଦ୍ଧ ରଖିଛୁ।

ଭାରତୀୟ ହକିରେ ଏବେ ଏକ ନୂଆ ଯୁଗର ଅୟମାରମ୍ଭ ହୋଇଛି। ଆମେ ଆଶା କରୁଛୁ ଆମ ପ୍ରଦର୍ଶନ, ଲଢ଼ୁଆ ଚରିତ୍ର ଯୁବ ଖେଳାଳି ଓ ପରବର୍ତୀ ପିଢ଼ିକୁ ପ୍ରେରିତ କରିଥିବ। ଆମେ ମଧ୍ୟ ପ୍ରତିଶ୍ରୁତି ଦେଉଛୁ କଠିନ ପରିଶ୍ରମ କରି ଆପଣମାନଙ୍କୁ ପୁଣି ଥରେ ଗର୍ବିତ କରିବୁ।
ଧନ୍ୟବାଦ, ଜୟ ହିନ୍ଦ୍‌
ରାଣୀ, ଭାରତୀୟ ମହିଳା ଦଳ ଅଧିନାୟିକା
ମନପ୍ରୀତ୍ ସିଂହ, ଭାରତୀୟ ପୁରୁଷ ଦଳ ଅଧିନାୟକ

ସମ୍ବନ୍ଧିତ ଖବର