ଅଲିମ୍ପିକ୍ସ ମହିଳା ହକି ଦଳରେ ଜଣେ ଓଡ଼ିଆ, ଦ୍ବିତୀୟ`ଥର ଭାଗନେବେ ଦୀପ୍‌ଗ୍ରେସ୍‌ ଏକ୍କା

ଓଡ଼ିଶାରୁ ଜଣେ, ହରିୟାଣାରୁ ଅଧା

ବେଙ୍ଗାଲୁରୁ/ଭୁବନେଶ୍ବର: ଆଉ ମାତ୍ର ମାସକ ପରେ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଥିବା ବେଳେ ଗୁରୁବାର ହକି ଇଣ୍ଡିଆ ଏହାର ମହିଳା ହକି ଦଳ ଘୋଷଣା କରିଛି। ୧୬ ଜଣିଆ ଦଳରେ ମାତ୍ର ଜଣେ ମାତ୍ର ଓଡ଼ିଆ ଖେଳାଳି ଦୀପ୍ ଗ୍ରେସ୍‌ ଏକ୍କା ସ୍ଥାନ ପାଇଛନ୍ତି। ଦୀପ୍‌ ଗ୍ରେସ୍‌ ଦ୍ବିତୀୟ ଥର ପାଇଁ ଅଲିମ୍ପିକ୍ସରେ ଭାଗନେବାର ସୁଯୋଗ ପାଇଛନ୍ତି। ୨୦୧୬ ରିଓ ଅଲିମ୍ପିକ୍ସରେ ଓଡ଼ିଶାରୁ ୪ ଜଣ ମହିଳା ଖେଳାଳି ସ୍ଥାନ ପାଇଥିବା ବେଳେ ଏବେ ଅଧୋପତନ ଘଟିଛି। ବେଙ୍ଗାଲୁରୁରେ ଭାରତୀୟ ଦଳର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ଦଳ ଘୋଷଣା ଏଥିରେ ଏକ ପ୍ରକାର ଶେଷ ସ୍ପର୍ଶ ଦେଇଛି। ଯୁବ ଓ ଅନଭିଜ୍ଞଙ୍କୁ ନେଇ ଏକ ସନ୍ତୁଳିତ ମହିଳା ହକି ଦଳ ଚୟନ କରାଯାଇଛି। ଦୀର୍ଘ ୩୬ ବର୍ଷ ପରେ ୨୦୧୬ ରିଓ ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ ଦଳରୁ ୮ ଜଣ ଏବଂ ନବାଗତ ୮ ଜଣଙ୍କୁ ନେଇ ଏହି ଦଳ ଗଠିତ ହୋଇଛି। ଫଳରେ ୮ ଜଣ ଟୋକିଓ ହକି ମଇଦାନରେ ଅଲିମ୍ପିକ୍ସ ପଦାର୍ପଣ କରିବାକୁ ମନୋନୀତ ହୋଇଛନ୍ତି।

ଦଳ ଚୟନ ସମ୍ପର୍କରେ ମୁଖ୍ୟ ପ୍ରଶିକ୍ଷକ ସୋର୍ଡ ମାରିନ୍‌ କହିଛନ୍ତି ‘ଏ ଦଳ ବିଗତ କିଛି ବର୍ଷ ହେବ କଠିନ ପରିଶ୍ରମ କରିଛି ଏବଂ ଲଗାତାର ଭାବେ ସ୍ଥିର ପ୍ରଦର୍ଶନ ଦେଇ ଅଗ୍ରଗତି କରିଛି। ଅଭିଜ୍ଞ ଓ ନୂଆ ପ୍ରତିଭାଙ୍କ ଭଲ ମିଶ୍ରଣ ବି ଚମତ୍କାର ରହିଛି। ଟୋକିଓରେ ଆମେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଅଗ୍ରହୀ ରହିଛୁ। ଏହି ଦଳ ନିକଟରେ ସେଭଳି ଦକ୍ଷତା ରହିଛି ଏବଂ ଆମେ ଆଶାବାଦୀ ରହିଛୁ’। ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇବା ସହ ହକି ଇଣ୍ଡିଆ ସଭାପତି ଜ୍ଞା‌ନେନ୍ଦ୍ର ନିଙ୍ଗମ୍ବମ୍‌ କହିଛନ୍ତି ‘ଅଲିମ୍ପିକ୍ସ ସଂସ୍କରଣ ଆସିବା ପର୍ଯ୍ୟନ୍ତ ଭାରତୀୟ ମହିଳା ଦଳ ପ୍ରଚୁର ପରିଶ୍ରମ କରିଛନ୍ତି। ବର୍ତମାନର ଏହି ଦଳ ଯେ କୌଣସି ଦଳକୁ କଡ଼ା ଟକ୍କର ଦେବା ଭଳି ଦକ୍ଷିତା ରଖିଛି ବୋଲି ମୋର ଦୃଢ଼ ଆତ୍ମବିଶ୍ବାସ ରହିଛି। ଟୋକିଓ ଅଲିମ୍ପିକ ଗେମ୍ସ ପାଇଁ ଶ୍ରେଷ୍ଠ ପ୍ରସ୍ତୁତି ଏବଂ ଶ୍ରେଷ୍ଠ ପ୍ରଦର୍ଶନର ନିଶ୍ଚିତ ଆଶା ରହିବ’।

ଭାରତୀୟ ମହିଳା ହକି ଦଳରେ ସ୍ଥାନ ପାଇଥିବା ୮ ଅଭିଜ୍ଞ ଖେଳାଳିମାନେ ହେଲେ ଅଧିନାୟିକା ରାଣୀ ରାମପଲ୍, ୱିକେଟରକ୍ଷିକା ସବିତା, ଡିଫେଣ୍ଡର ଦୀପ୍ ଗ୍ରେସ୍‌ ଏକ୍କା, ସୁଶୀଲା ଚାନୁ ପୁଖରାମ୍ବମ୍‌, ମୋନିକା, ନିକ୍କି ପ୍ରଧାନ, ନଭଜୋତ କୌର୍‌ ଏବଂ ବନ୍ଦନା କାଟାରିଆ। ଏମାନେ ୨୦୧୬ ଐତିହାସିକ ରିଓ ଅଲିମ୍ପିକ୍ସରେ ପଦାର୍ପଣ କରିଥିଲେ। ମିଳିତ ଭାବେ ଏମାନେ ମଧ୍ୟ ୧୪୯୨ ମ୍ୟାଚ୍‌ ଖେଳି ଭରପୁର ଅଭିଜ୍ଞତା‌ ରଖିଛନ୍ତି। ଭାରତୀୟ ହକିର ଗୌରବମୟ ଅଧ୍ୟାୟରେ ଏମାନେ ଆଉ ଗୋଟିଏ ଫର୍ଦ ଯୋଡ଼ିବେ ବୋଲି ବିଶ୍ବାସ କରାଯାଉଛି। ଅଲିମ୍ପିକ୍ ପଦାର୍ପଣ କରିବାକୁ ଯାଉଥିବା ୮ ଜଣ ଯୁବ ପ୍ରତିଭା ହେଲେ ଡ୍ଲାଗ୍‌ ଫ୍ଲିକର ଗୁରଜିତ୍‌ କୌର, ଉଦୀତା, ନିଶା, ନେହା, ନଭନୀତ କୌର, ଶର୍ମିଳା ଦେବୀ, ଲାଲରେମସିଆମି ଓ ସଲିମା‌ ଟେଟେ। ସଲିମାଙ୍କ ନେତୃତ୍ବରେ ଭାରତ ୨୦୧୮ ବୁଏନସ୍‌ ଏରିସ୍‌ ଯୁବ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲା। ଏହି ଦଳର ଅଧିକାଂଶ ସଦସ୍ୟା ଏବେ ଟୋକିଓ ଦଳରେ ସାମିଲ ହୋଇଛନ୍ତି।

ଭାରତୀୟ ମହିଳା ହକି ଦଳ କ୍ରମାଗତ ଦ୍ବିତୀୟ ଥର ଏବଂ ମୋଟ ଉପରେ ତୃତୀୟ ଥର ପାଇଁ ଅଲିମ୍ପିକ୍ସ ଅଂଶଗ୍ରହଣ କରିବାକୁ ଯାଉଛି। ପୂର୍ବରୁ ମାତ୍ର ୨ ଥର ମହିଳା ଦଳ ଅଲିମ୍ପିକ୍ସରେ ଖେଳିପାରିଛି। ୧୯୮୦ ମସ୍କୋ ଏବଂ ୨୦୧୬ ରିଓ ସଂସ୍କରଣରେ ଏହି ପ୍ରତିନିଧିତ୍ବ ସୁଯୋଗ ମିଳିଥିଲା। ଭାରତୀୟ ପୁରୁଷ ଦଳ ୧୯୮୦ରେ ଶେଷ ଥର ପାଇଁ ସ୍ବର୍ଣ୍ଣ ପଦକ ଜିତିଥିଲା। ଭାରତୀୟ ମହିଳା ଦଳ କିନ୍ତୁ ଲଗାତାର ଦ୍ବିତୀୟ ଥର ଯୋଗ୍ୟତା ଅର୍ଜନ କରିବା ସହ ଏଥର ଆଶାର ଆଲୋକ ଦେଖାଇଛି। ୨୦୧୬ ରିଓ ଅଲିମ୍ପିକ୍ସ ପରଠାରୁ ଦଳ ମଧ୍ୟ ଢ଼େର ଉନ୍ନତି କରିଛି। ୨୦୧୬ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି, ୨୦୧୭ ଏସିଆ କପ୍‌, ୨୦୧୮ ଏସୀୟ କ୍ରୀଡ଼ା କାଂସ୍ୟ ଏବଂ ୨୦୧୮ ବିଶ୍ବକପ୍‌ରେ ଐତିହାସିକ ସଫଳତା ସହ ପ୍ରଥମ ଥର କ୍ବାର୍ଟରଫାଇନାଲ୍ ପ୍ରବେଶ କରିଥିଲା।

ସୂଚନାଯୋଗ୍ୟ, ବେଙ୍ଗାଲୁରୁସ୍ଥିତ ସାଇ କେନ୍ଦ୍ରରେ ଭାରତୀୟ ପୁରୁଷ ଓ ମହିଳା ଦଳ ବିଗତ ଦୁଇ ବର୍ଷ ହେବ ପ୍ରସ୍ତୁତି‌ରେ ଲାଗି ରହିଛନ୍ତି। ପୁରୁଷ ଦଳ ଶୁକ୍ରବାର ଘୋଷଣା କରାଯିବାର ସମ୍ଭାବନା ରହିଛି। ଟୋକିଓ ଅଲିମ୍ପିକ୍ସ ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ତେବେ ହକି ପ୍ରତିଯୋଗିତା ଜୁଲାଇ ୨୪ରୁ ଅଗଷ୍ଟ ୬ ତାରିଖ ମଧ୍ୟରେ ଖେଳାଯିବ।

ଭାରତୀୟ ଦଳ: ଗୋଲରକ୍ଷିକା-ସବିତା, ଡିଫେଣ୍ଡର୍‌-ଦୀପ୍ ଗ୍ରେସ୍ ଏକ୍କା, ନିକ୍କି ପ୍ରଧାନ, ଗୁରଜିତ୍ କୌର୍‌, ଉଦୀତା, ମିଡଫିଲ୍ଡର-ନିଶା, ନେହା, ସୁଶୀଳା ଚାନୁ ପୁଖରାମ୍ବମ୍,‌ ମୋନିକା, ନଭଜୋତ୍‌ କୌର, ସଲିମା ଟେଟେ, ଫରୱାର୍ଡ୍ସ-ରାଣୀ, ନଭନୀତ୍‌ କୌର, ଲାଲରେମସିଆମି, ବନ୍ଦନା କାଟାରିଅ, ଶର୍ମିଳା ଦେବୀ।

ଓଡ଼ିଶାରୁ ଜଣେ, ହରିୟାଣାରୁ ଅଧା
ଭାରତୀୟ ପୁରୁଷ ଓ ମହିଳା ଦଳକୁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ପ୍ରା‌‌‌ୟୋଜିତ କରୁଛି। ଓଡ଼ିଶା ଖେଳାଳିଙ୍କୁ କିନ୍ତୁ ଭାରତୀୟ ଦଳରେ ସ୍ଥାନ ମିଳୁନାହିଁ। ରିଓ ଅଲିମ୍ପିକ୍ସରେ ୪ ଜଣ ଓଡ଼ିଆ ଝିଅ ସ୍ଥାନ ପାଇଥିଲେ। ଏଥର ଏହା ଜଣେ ମାତ୍ରକୁ ଖସି ଆସିଛି। କେବଳ ଦୀପ୍ ଗ୍ରେସ୍‌ ଏକ୍କାଙ୍କୁ ସ୍ଥାନ ମିଳିଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ହରିୟାଣା ସିଂହ ଭାଗ ନେବା ଭଳି ଏହି ଛୋଟ ରାଜ୍ୟରୁ ସର୍ବାଧିକ ୮ ଜଣ ମହିଳା ଖେଳାଳି ୧୬ ଜଣିଆ ଭାରତୀୟ ଅଲିମ୍ପିକ୍ସ ଦଳରେ ସ୍ଥାନ ପାଇଛନ୍ତି।

ଝାଡ଼ଖଣ୍ଡରୁ ୨ ଜଣ ସ୍ଥାନ ପାଇଥିବା ବେଳେ ମିଜୋରାମ, ମଣିପୁର, ପଞ୍ଜାବ, ଓଡ଼ିଶା, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରୁ ଜଣେ ଲେଖାଏଁ ସାମିଲ ଅଛନ୍ତି। ଏହା ଓଡ଼ିଶା ହକିର ଅଧୋପତନ ନା ଓଡ଼ିଶାର ଅର୍ଥରେ ପାଳିପୋଷି ଚିକ୍କଣ ହେଉଥିବା ହକି ଇଣ୍ଡିଆର ମନମାନି ବୋଲି କେବଳ ଏହାର ହେପାଜତରେ ଥିବା ବ୍ୟକ୍ତିମାନେ କହିପାରିବେ। ହକି ଇଣ୍ଡିଆ ଆଉ ଏକ ଅପମାନଜନକ ନିଷ୍ପତ୍ତି କ୍ରମେ ଓଡ଼ିଶାର ନମିତା ଟପ୍ପୋ, ମଧ୍ୟପ୍ରଦେଶର ରୀନା ଖୋଖର ଓ ରଜନୀଙ୍କୁ ଷ୍ଟାଣ୍ଡବାଏରେ ରଖିଥିବା ଜଣାପଡ଼ିଛି। ହେଲେ ଏମାନଙ୍କ ନାଁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ।

ସମ୍ବନ୍ଧିତ ଖବର