ଭୁବନେଶ୍ବର: ସୁନ୍ଦର ଖେଳ ଫୁଟ୍‌ବଲ୍‌ରେ ଅସୁନ୍ଦର ପଦାର୍ପଣ କରିଛି ଭାରତୀୟ ଯୁବା ଫୁଟ୍‌ବଲ୍‌ ଦଳ। ଆମେରିକା ନିକଟରୁ ଅନ୍ୟୂନ ଗୋଟିଏ ପଏଣ୍ଟ ଛଡ଼ାଇବା ଲକ୍ଷ୍ୟରେ କଳିଙ୍ଗ ଷ୍ଟାଡିୟମ୍‌ ପିଚ୍‌କୁ ଓହ୍ଲାଇଥିବା ଭାରତୀୟ ଦଳ ଲଜ୍ଜାଜନକ ପରାଜୟ ବରଣ କରିଛି। ପଦାର୍ପଣ କରିଥିବା ଭାରତକୁ ଆମେରିକା ୮-୦ ଗୋଲ୍‌ରେ ପରାସ୍ତ କରି ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ୍‌ର ଗ୍ରୁପ୍‌ ‘ଏ’ରେ ଅଭିଯାନ ଆରମ୍ଭ କରିଛି।

Advertisment

ଆମେରିକା ସହ କୌଣସି କ୍ଷେତ୍ରରେ ବି ତୁଳନୀୟ ନଥିଲେ ଭାରତୀୟ ଖେଳାଳି। ଶାରୀରିକ ଉଚ୍ଚତା ସାଙ୍ଗକୁ ଗତି, ସମନ୍ବୟ, ପାସିଂ ଓ ସୁଟିଂ ଆଦିରେ ବହୁ ପଛରେ ପଡ଼ିଯାଇଥିଲେ। ଆମେରିକା ଆ‌ରମ୍ଭରୁ ଶେଷ ଯାଏଁ ମନ ଇଛା ଗୋଲ୍‌ ପରେ ଗୋଲ୍ ସ୍କୋର୍‌ କରି ଚାଲିଥିଲା। କହିବାକୁ ଗଲେ ଭୁବନେଶ୍ବରରେ ରହିଥିବା ଲଗାଣ ବର୍ଷା ସିନା ମଙ୍ଗଳବାର ବନ୍ଦ ହୋଇ ଆୟୋଜକଙ୍କୁ ଆଶ୍ବସ୍ତି ଦେଇଥିଲା। ଭାରତୀୟ ଫୁଟ୍‌ବଲ୍‌ପ୍ରେମୀ କିନ୍ତୁ ଆମେରିକାର ଗୋଲ୍ ବର୍ଷାରେ ବୁଡ଼ିଯାଇଥିଲେ। ଯେଉଁ କଳିଙ୍ଗ ପ୍ରଶଂସକମାନେ ମରୋକ୍କୋ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ବ୍ରାଜିଲ୍‌କୁ ଉତ୍ସାହିତ କରୁଥିଲେ ସେମାନେ ମଧ୍ୟ ଭାରତ ସପକ୍ଷରେ ନରହି ଆମେରିକା ଗୋଲ୍ ବେଳେ ଖୁସିରେ ଚିତ୍କାର କରୁଥିଲେ। ଆମେରିକା ଏହି ଏକତରଫା ମ୍ୟାଚ୍‌ରେ ପ୍ରଥମାର୍ଦ୍ଧ ସୁଦ୍ଧା ୫-୦ରେ ଆଗୁଆ ରହି ଘରୋଇ ଦଳର ମନୋବଳକୁ ଚୁରମାର୍‌ କରି ଦେଇଥିଲା। ଧଳା ଜର୍ସିରେ ଖେଳିଥିବା

ଏହି ଦେଶ ଭାରତକୁ ଭାରତ ମାଟିରେ ଧୂଲେଇ କରିଦେଇଥିଲା। ନୀଳ ଜର୍ସିରେ ଥିବା ଭାରତ ଗୋଟିଏ ବି ଗୋଲ୍‌ ଦେବା ତ ଦୂରର କଥା ଗୋଲ୍‌ ପୋଷ୍ଟ୍‌ ପର୍ଯ୍ୟନ୍ତ ପହଞ୍ଚିବା କି ସୁଯୋଗ ସୃଷ୍ଟି କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ଆମେରିକା ପକ୍ଷରୁ ମେଲିନା ରେବିମ୍ବାସ (୯ ଓ ୩୧ ମିନିଟ୍‌) ଦୁଇଟି ଗୋଲ୍ ଦେଇଥିବା ବେଳେ କାର୍ଲୋଟ୍‌ କୋହଲର୍ (୧୫ ମିନିଟ୍‌), ଓନିକା ଗୋମେରୋ (୨୩ ମିନିଟ୍‌), ଜିସେଲ୍‌ ଥମ୍ପସନ୍ (୩୯ ମିନିଟ୍‌), ଏଲିଆ ଏମ୍ରି (୫୧ ମିନିଟ୍‌), ଟେଲର୍‌ ସୁଆରେଜ୍‌ (୫୯ ମିନିଟ୍‌, ପେନାଲଟି), ମିଆ ଭୁଟା (୬୨ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଖେଳାଳି ମିଆ ଭୁଟା ବଦଳ ଖେଳାଳି ଭାବେ ଆସି ମଧ୍ୟ ଦଳର ଅଷ୍ଟମ ତଥା ଅନ୍ତିମ ଗୋଲ୍ ଦେଇଥିଲେ। ଦୁଇ ଦଳ ମଧ୍ୟରେ ଥିବା ବଡ଼ ଫରକ ମ୍ୟାଚ୍‌ର ପରିସଂଖ୍ୟାନରେ ବି ପ୍ରତିଫଳିତ ହୋଇଥିଲା। ବଲ୍‌ ନିୟନ୍ତ୍ରଣରେ ଆମେରିକା ୭୮-୨୨ ପ୍ରତିଶତରେ ଆଗୁଆ ରହିଥିବା ବେଳେ ସଟ୍ ଅନ୍‌ ଟାର୍ଗେଟ୍‌ରେ ୧୪-୦ରେ ଏକତରଫା ଥିଲା। ଆମେରିକାର ୬୪୧ ପାସ୍‌ ଭାରତର ୧୭୬ ପାସ୍‌କୁ ମଧ୍ୟ ବହୁ ପଛରେ ରଖିଥିଲା। ଭାରତ ଏହାର ପରବର୍ତୀ ମ୍ୟାଚ୍‌ରେ ଶୁକ୍ରବାର ମରୋକ୍କୋ ସହିତ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳିବ। ମଙ୍ଗଳବାର ଗୋଆର ମାରଗାଓଁରେ ଗ୍ରୁପ୍‌ ‘ବି’ର ଦ୍ବିତୀୟ ମ୍ୟାଚ୍‌ରେ ଜର୍ମାନି ୨-୧ ଗୋଲ୍‌ରେ ନାଇଜେରିଆକୁ ପରାସ୍ତ କରିଛି।

ବ୍ରାଜିଲ୍‌କୁ ମିଳିଲା କଳିଙ୍ଗ ସମର୍ଥନ

publive-image

କଳିଙ୍ଗ ଷ୍ଟାଡିୟମ୍‌ରେ ଏଥର ଫ୍ୟାନ୍ ଜୋନ୍‌ ପରିସରରେ ରହିଛି ନିଆରା ବ୍ୟବସ୍ଥା। ବିଶେଷ କରି ଯୁବବର୍ଗ ଓ ବିଦ୍ୟାଳୟସ୍ତରର ଫୁଟ୍‌ବଲ୍‌ପ୍ରେମୀଙ୍କ ମଧ୍ୟରେ ଏହି ଖେଳକୁ ଅଧିକ ପରିଚିତ, ଆଦୃତ ଓ ଗ୍ରହଣୀୟତା ବଢ଼ାଇବା ଲକ୍ଷ୍ୟରେ ରହିଛି ଟ୍ରିପଲ୍‌ ଚାଲେଞ୍ଜ୍‌ର ଫନ୍‌। ଏହି ତିନିଟି ଆହ୍ବାନର ପ୍ରଥମଟିରେ ଆକ୍ୟୁରେସି ଚାଲେଞ୍ଜ୍‌ ଯେଉଁଥିରେ ଜଣେ ଗୋଲ୍‌ରକ୍ଷକର ବିଭିନ୍ନ ଦିଶାକୁ କେତେ ଡାଇଭ୍ ମାରିଲେ କେତେ ପଏଣ୍ଟ ପାଇବ ଉଲ୍ଲେଖ ରହିଛି। ଦ୍ବିତୀୟଟିରେ ରହିଛି ଟାୟାର୍‌ ଚାଲେଞ୍ଜ୍‌ ଯେଉଁଥିରେ ପ୍ରଶଂସକ ବଲ୍ ମାରି ଟାୟର୍‌ ବଳୟ ଭିତରେ ଭର୍ତ୍ତି କରିପାରିଲେ ଛୋଟ ଉପହାର ପାଇବା ସହ ନିଜ ଫୁଟ୍‌ବଲ୍‌ ଦକ୍ଷତାକୁ ମାପିପାରିବ। ତୃତୀୟ ଆହ୍ବାନଟି ହେଉଛି ହେଡର୍‌। ପ୍ରଶଂସକମାନେ କେତେ ସଠିକ୍‌ରେ ହେଡର୍‌ କରିପାରିବେ ଏଠାରେ ମଧ୍ୟ ନିଜକୁ ପରଖିପାରିବେ। ଏହା ନିଜକୁ ପରଖିବା ସହ ଫୁଟ୍‌ବଲ୍ ଜ୍ଞାନ ଓ ସଚେତନତାର ବାର୍ତ୍ତା ବାଣ୍ଟିବ ବୋଲି ବିଶ୍ବାସ କରାଯାଉଛି।

ଟ୍ରିପଲ୍‌ ଚାଲେଞ୍ଜ୍‌ର ଫନ୍‌

publive-image

ପ୍ରଥମେ ଖେଳାଯାଇଥିଲେ ମଧ୍ୟ ଦ୍ବିତୀୟ ମ୍ୟାଚ୍‌ର ମାନ୍ୟତା ପାଇଥିଲା ବ୍ରାଜିଲ୍‌-ମରୋ‌କ୍କୋ। ଏହି ମ୍ୟାଚ୍‌ରେ ପ୍ରଥମରୁ ଶେଷ ଯାଏ କଳିଙ୍ଗ ସମର୍ଥକମାନେ ସମ୍ପୂର୍ଣ୍ଣ ଭାବେ ବ୍ରାଜିଲ୍‌ର ହଳଦିଆ ଜର୍ସିକୁ ବେଶ ଭଲ ପାଇବା ଦେଇଥିଲେ। ପ୍ରତିଟି ବଲ୍ ମୁଭ୍‌ରେ ଓ ପାସ୍‌ରେ ସେମାନେ ଷ୍ଟାଣ୍ଡ୍‌ରୁ ବ୍ରାଜିଲ୍‌...ବ୍ରାଜିଲ୍....ରଡି ଛାଡ଼ୁଥିଲେ। ଭୁଭୁଜିଲା ତୁରୀ ବି ବାଜି ଉଠୁଥିଲା କଳିଙ୍ଗର ବିଭିନ୍ନ କୋଣରୁ। ପ୍ରଥମରୁ ଗୋଲ୍‌ ଦେବା ସହ ବଲ୍‌କୁ ନିୟନ୍ତ୍ରଣରେ ରଖିଥିବା ବ୍ରାଜିଲ୍ ବି ପ୍ରଶଂସକଙ୍କ ହୃଦୟ ଜିତିଥିଲା ବିଜୟ ସହିତ। ଅପରାହ୍ଣ ୪.୩୦ରୁ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌କୁ ପ୍ରାୟ ୪୫୦୦ ଲୋକ ଦେଖିଥିଲେ। ଭାରତ ଆମେରିକା ମ୍ୟାଚ୍‌ ବେଳକୁ କିନ୍ତୁ ଏହା ପ୍ରାୟ ଦୁଇ ଗୁଣା ହୋଇଯାଇଥିଲା। ବ୍ରାଜିଲ୍ ପରିବର୍ତେ ଇଣ୍ଡିଆ ଇଣ୍ଡିଆ ସ୍ଲୋଗାନ୍‌ରେ କମ୍ପି ଉଠିଥିଲା କଳିଙ୍ଗ। ଆୟୋଜକମାନେ ମଧ୍ୟ ବଲିଉଡ୍‌ ସଂଗୀତରେ ପ୍ରଶଂସକମାନଙ୍କୁ ନୃତ୍ୟରତ ହେବାକୁ ଉତ୍ସାହିତ କରିଥିଲେ।