ଆନନ୍ଦଙ୍କୁ ମିଳିଲା ପ୍ରତୀକ୍ଷିତ ବିଜୟ

ନୂଆଦିଲ୍ଲୀ: ‘ଲିଜେଣ୍ଡ୍ସ ଅଫ୍ ଚେସ୍’ ଅନ୍‌ଲାଇନ୍ ପ୍ରତିଯୋଗିତାରେ ଲଗାତାର ଅଧଡଜନେ ପରାଜୟ ପାଇଥିବା ଭାରତୀୟ କିଂବଦନ୍ତି ବିଶ୍ବନାଥନ ଆନନ୍ଦ ଶେଷରେ ବିଜୟର ସ୍ବାଦ ଚାଖିଛନ୍ତି। ପ୍ରତିଯୋଗିତାର ସପ୍ତମ ରାଉଣ୍ଡରେ ଆନନ୍ଦ ପୁରୁଣା ପ୍ରତିଦ୍ବନ୍ଦ୍ବୀ ଇସ୍ରାଏଲର ବୋରିସ୍ ଗେଲଫାଣ୍ଡଙ୍କୁ ୨.୫-୦.୫ ପଏଣ୍ଟରେ ହରାଇ ପ୍ରଥମ ପଏଣ୍ଟ ଅର୍ଜନ କରିଛନ୍ତି। କଳା ଗୋଟିରେ ଖେଳିଥିବା ଆନନ୍ଦ ପ୍ରଥମ ବାଜିକୁ ୪୫ ଏବଂ ଦ୍ବିତୀୟକୁ ୪୯ତମ ଚାଲରେ ଜିତି ନେଇଥିଲେ। ଅନ୍ୟପକ୍ଷରେ ତୃତୀୟ ତଥା ଶେଷ ବାଜିକୁ ୪୬ତମ ଚାଲରେ ଅମୀମାଂସିତ ରଖି ମ୍ୟାଚ୍‌କୁ ୨ ପଏଣ୍ଟ ବ୍ୟବଧାନରେ ଜିତି ନେଇଥିଲେ। ଏହି ବିଜୟ ପରେ ଆନନ୍ଦ ୬ ପଏଣ୍ଟ ସହ ଅଷ୍ଟମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।

ବିଶ୍ବର ଏକ ନମ୍ବର ଚେସ୍ ତାରକା ନରୱେର ମାଗ୍ନସ କାର୍ଲସନ୍ ୨୦ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ରୁଷିଆର ଇଆନ ନେପୋମନିଆଚି ୧୮ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏହି ପ୍ରତିଯୋଗିତାରେ ୪୦ରୁ ୫୨ ବର୍ଷ ବୟସ୍କ ୬ ଜଣ ଚେସ୍ କିଂବଦନ୍ତିଙ୍କ ସହ କାର୍ଲସନ୍, ଆନନ୍ଦଙ୍କ ଭଳି ଖେଳି ଅଂଶଗ୍ରହଣ କରୁଛନ୍ତି। ଏହି ପ୍ରତିଯୋଗିତାର ବିଜେତା ଅଗଷ୍ଟ ୯ରୁ ୨୦ ତାରିଖ ପର୍ଯ୍ୟନ୍ତ ଖେଳା ଯିବାକୁ ଥିବା ୩ ,୦୦,୦୦୦ ଡଲାର ପୁରସ୍କାର ରାଶି ବିଶିଷ୍ଟ ଗ୍ରାଣ୍ଡ ଫାଇନାଲକୁ ଉନ୍ନୀତ ହେବେ।

ସମ୍ବନ୍ଧିତ ଖବର