ଭୁବନେଶ୍ବର: ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ଛତିଶଗଡ଼ ଧାବକ ତଥା ଜାତୀୟ ରେକର୍ଡଧାରୀ ଅନିମେଷ କୁଜୁରଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ବିଶିଷ୍ଟ ବ୍ୟବସାୟୀ ତଥା ମହିନ୍ଦ୍ରା ଗ୍ରୁପ୍ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା। ସୋମବାର ସେ ‘ଏକ୍ସ’ ପୃଷ୍ଠାରେ ପୋଷ୍ଟ୍ କରୁଥିବା ମନ୍ଡେ ମୋଟିଭେସନ୍ ସିରିଜ୍ରେ ଅନିମେଷଙ୍କ ଟୋକିଓ ବିଶ୍ବ ଦୌଡ଼କୁଦ ଯୋଗ୍ୟତା ଓ ଜାତୀୟ ରେକର୍ଡ ଆଦିକୁ ମଧ୍ୟ ପ୍ରଶଂସା କରିଛନ୍ତି। ପ୍ରଥମ ଭାରତୀୟ ପୁରୁଷ ସ୍ପ୍ରିଣ୍ଟର୍ ଭାବେ ଅନିମେଷ ବିଶ୍ବ ଦୌଡ଼କୁଦ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେହିଭଳି ଗତମାସରେ ଚେନ୍ନାଇରେ ଅନୁଷ୍ଠିତ ଜାତୀୟ ଅନ୍ତଃରାଜ୍ୟ ଦୌଡ଼କୁଦରେ ବି ସ୍ବର୍ଣ୍ଣ ପଦକ ଜିତିଥିଲେ। ମହିନ୍ଦ୍ରା ଲେଖିଛନ୍ତି ‘‘ମାତ୍ର ୨୨ ବର୍ଷ ବୟସରେ ଏହି ପୁଲିସ ଅଫିସର ପୁଅ ଛତିଶଗଡ଼ର ଘୁଇତାନଗର ଗାଁରୁ ଭାରତର ସ୍ପ୍ରିଣ୍ଟ୍ ସେନ୍ସେସନ୍ ହେବା ଅତ୍ୟନ୍ତ ଉଲ୍ଲେଖନୀୟ। ଭାରତକୁ ବିଶ୍ବ ସ୍ପ୍ରିଣ୍ଟିଂ ରାଡାର୍ରେ ସ୍ଥାନିତ କରି ସାରିଛନ୍ତି। ଏହି ଉତ୍ଥାନ ଜାରି ରହିଲେ ଅଲିମ୍ପିକ୍ସରେ ସେ ପ୍ରଥମ ଭାରତୀୟ ଭାବେ ସେମିଫାଇନାଲ୍ସ କି ଫାଇନାଲ୍ସରେ ବି ପହଞ୍ଚିପାରିବେ। ଭାରତୀୟ ଦୌଡ଼କୁଦ ପାଇଁ ଏହି ମାଇଲ୍ଖୁଣ୍ଟ ଗୌରବର ବିଷୟ ହେବ’’।
ସୂଚନାଯୋଗ୍ୟ, ଅନିମେଷଙ୍କ ନାମରେ ଏବେ ପୁରୁଷ ୧୦୦, ୨୦୦ ମିଟର ଦୌଡ଼ ଏବଂ ୪ଗୁଣା୧୦୦ ମିଟର୍ ରିଲେ ଦୌଡ଼ର ଜାତୀୟ ରେକର୍ଡ ରହିଛି। ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ୍ ହାଇପର୍ଫମାନ୍ସ ସେଣ୍ଟର୍ରେ ସେ ମୁଖ୍ୟ ପ୍ରଶିକ୍ଷକ ମାର୍ଟିନ ଓୱେନ୍ସଙ୍କ ଅଧୀନରେ ତାଲିମ ନେଉଛନ୍ତି। ନିକଟରେ ଏହି ଅଣଓଡ଼ିଆ ତାରକାଙ୍କୁ ଓଡ଼ିଶା ସରକାର ବିଜୁ ପଟ୍ଟନାୟକ ଶ୍ରେଷ୍ଠ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଥିବାରୁ ବିବାଦ ଘେରରେ ପଡ଼ିଛନ୍ତି।