ଚେନ୍ନାଇ: ଚେନ୍ନାଇ ଟେଷ୍ଟ୍‌ର ପ୍ରଥମ ଦିନରେ ଭାରତ ଉଭୟ ଖଟା, ମିଠା ଅନୁଭୂତି ସାଉଁଣ୍ଟିଛି। ପ୍ରଥମ ଦୁଇ ଅଧିବେଶନରେ ଲଜ୍ଜିତ ହୋଇଥିଲା ବେଳେ ଅନନ୍ୟ ଅଶ୍ବିନ ଓ ଯାଦୁଗର ଜାଡ଼େଜାଙ୍କ ପାଇଁ ଶେଷ ଅଧିବେଶନରେ ଲଢ଼େଇକୁ ଲେଉଟିଛି। ଗୁରୁବାର ଖେଳର ପ୍ରଥମ ଏକ ଘଣ୍ଟା ଭିତରେ ଆଶ୍ଚର୍ଯ୍ୟଜନକ ଭାବେ ଅଧିନାୟକ ରୋହିତ ଶର୍ମା (୬)ଙ୍କ ସହ ଯୁବ ତାରକା ଶୁବମନ ଗିଲ୍ (୦) ଓ କିଂବଦନ୍ତି ବିରାଟ କୋହଲି (୬) ସଂପୂର୍ଣ୍ଣ ବିଫଳ ହୋଇଥିଲେ। ତେବେ ଦୁଇ ଅଲରାଉଣ୍ଡର୍‌ ଆର. ଅଶ୍ବିନ (୧୦୨*) ଓ ରବୀନ୍ଦ୍ର ଜାଡ଼େଜା (୮୬*)ଙ୍କ କୀର୍ତ୍ତିମାନ ଭରା ଭାଗୀଦାରି ପାଇଁ ସମ୍ମାନର ସହ ପ୍ରଥମ ଦିନର ଖେଳ ଶେଷ କରିଥିଲା ଟିମ୍ ଇଣ୍ଡିଆ।ଭିତରେ ଖେଳ, ବାହାରେ ବିକ୍ଷୋଭ
ବାଂଲାଦେଶର ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣକୁ ବିରୋଧ କରି ହିନ୍ଦୁ ମକଲ କାଟଚି (ଏଚ୍‌ଏମ୍‌କେ) ନାମକ ଏକ ସଙ୍ଗଠନର କମକର୍ତ୍ତାମାନେ ଚେନ୍ନାଇରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ପୁଲିସ ଅନୁମତି ନଦେବା ପରେ ହାତ‌ରେ ବିଭିନ୍ନ ପ୍ରକାର ପ୍ଲାକାର୍ଡ ଧରି  ସେମାନେ ଚେନ୍ନାଇର ଆନ୍ନା ସଲାଇସ୍ଥିତ ଡ୍ୟାମ୍ସ ରୋଡ୍‌ରେ ବିକ୍ଷୋଭ କରିଥିଲେ। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ୍ ହସିନା ଇସ୍ତଫା ଦେବା ପରେ ହିନ୍ଦୁଙ୍କ ଉପରେ ସେଠାରେ ଆକ୍ରମଣ ବଢ଼ିବଢ଼ି ଚାଲିଛି। ନୋବୋଲ୍ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ସରକାର ଆଶ୍ବାସନା ଦେଇ ଚାଲିଥିଲେ ମଧ୍ୟ ଆକ୍ରମଣର ମାତ୍ରା ଥମୁନି। ଏଣୁ ୟୁନୁସଙ୍କ ସରକାର ଏହି ଦିଗରେ ଠୋସ୍ ପଦକ୍ଷେପ ନେବାକୁ ଦାବି କରିଥିଲେ ସେମାନେ।

Advertisment

ପ୍ରତିପକ୍ଷ ବାଂଲାଦେଶର ୨୫ ବର୍ଷୀୟ ବାମହାତୀ ଦ୍ରୁତ ବୋଲର ହାସନ ମହମଦ ନିଜ ଖେଳ ଜୀବନର ସବୁଠାରୁ ସ୍ମରଣୀୟ ସ୍ପେଲ୍‌ରେ ଭାରତୀୟ ଶୀର୍ଷକ୍ରମକୁ ଘାଇଲା କରିବା ପରେ ଦୁଇ ଦିନ ତଳେ ୩୮ତମ ଜନ୍ମଦିନ ପାଳିଥିବା ଅଶ୍ବିନ ଏବଂ ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସର ପ୍ରତିନିଧିତ୍ବ କରୁଥିବା ଜାଡ଼େଜା ଅବିଭାଜିତ ସପ୍ତମ ୱିକେଟ୍‌ରେ ୧୯୫* ରନ୍ ଯୋଡ଼ି ଦଳକୁ ସଙ୍କଟରୁ ଉଦ୍ଧାରିଛନ୍ତି। ଫଳରେ ଷ୍ଟମ୍ପ୍ସ ବେଳକୁ ୬ୱିକେଟ୍‌ରେ ୩୩୯ ରନ୍ କରି ଦୃଢ଼ ସ୍ଥିତିରେ ପହଞ୍ଚିଯାଇଛି ଭାରତ। 
ଗୁରୁବାର ଭାରତ ମାତ୍ର ୧୪୪ ରନ୍‌ରେ ୬ ୱିକେଟ୍ ହରାଇ ସଂଘର୍ଷ କରୁଥିଲା ବେଳେ ସଙ୍କଟକୁ ସୁଯୋଗରେ ପରିଣତ କରି ଭାରତ ପାଇଁ ସର୍ବୋଚ୍ଚ ସପ୍ତମ ୱିକେଟ୍ ଭାଗୀଦାରି କରିଥିଲେ ଅଶ୍ବିନ-ଜାଡ଼େଜା ଯୋଡ଼ି। ଏହା କରି ଉଭୟ ୨୦୧୬ରେ କରୁଣ ନାୟର ଏବଂ ନିଜେ ଜାଡ଼େଜା ଇଂଲଣ୍ଡ ବିପକ୍ଷରେ ସପ୍ତମ ୱିକେଟ୍‌ରେ ଯୋଡ଼ିଥିବା ୧୩୮ ରନ୍‌କୁ ସହଜରେ ଟପିଥିଲେ।

ବାଂଲାଦେଶ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ପରେ ଏହି ଦେଶର ବୋଲରମାନେ ସକାଳୁଆ ପିଚ୍‌ ଓ ପରିବେଶର ଭରପୂର ଫାଇଦା ଉଠାଇଥିଲେ। ପ୍ରଥମ ଦୁଇ ଅଧିବେଶନରେ ତିନିଟି ଲେଖାଏଁ ୱିକେଟ୍ ନେଇ ଭାରତକୁ ହରଡ଼ ଘଣାରେ ପକାଇଥିଲେ। ତେବେ ଅନ୍ତିମ ଅଧିବେଶନରେ ଭାରତ ବିନା ୱିକେଟ୍‌ରେ ୧୬୩ ରନ୍ ଯୋଡ଼ି ମ୍ୟାଚ୍‌କୁ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ବାଂଲ‌ାଦେଶ ବୋଲର୍‌ମାନେ ଭାରତର ଉପରକ୍ରମକୁ କାଟିବାରେ ସକ୍ଷମ ହୋଇଥିଲେ ମଧ୍ୟ ନିମ୍ନମଧ୍ୟକ୍ରମ ବ୍ୟାଟର୍‌ଙ୍କୁ ସୁଯୋଗ ଦେଇ ନିଜ ପଲା ଭାରୀ କରିବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲେ। ଅଶ୍ବିନ ଓ ଜାଡ଼େଜାଙ୍କ ଛଡ଼ା ଓପନର ଯଶସ୍ବୀ ଜୟସ୍ବାଲ୍ (୫୬) ଏବଂ ପାଖାପାଖି ୭୦୦ ଦିନ ପରେ ଲାଲ୍ ବଲ୍ କ୍ରିକେଟ୍‌କୁ ଫେରିଥିବା ଋଷଭ ପନ୍ତ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ଉଭୟ ଅବଶ୍ୟ ମାତ୍ର ୬୪ ରନ୍ ଯୋଡ଼ି ଅଲଗା ହୋଇଥିଲେ।

ସ୍ଥାନୀୟ ତାରକା ଅଶ୍ବିନ ନିଜ ଦମଦାର ପାଳିରେ ୧୦ଟି ଚୌକା ଓ ଦୁଇଟି ଦର୍ଶନୀୟ ଛକା ମାରିଥିଲେ। ବାଂଲାଦେଶର ସଫଳତମ ଅଲ୍‌ରାଉଣ୍ଡର୍‌ ସକିବ-ଅଲ୍‌-ହାସନଙ୍କୁ ମିଡୱିକେଟ୍ ଅଞ୍ଚଳକୁ ସିଙ୍ଗଲ ମାରି ଅଶ୍ବିନ ନିଜ ଷଷ୍ଠ ଶତକ ପୂରଣ କରିଥିଲେ। ଷ୍ଟମ୍ପ୍ସର ମାତ୍ର ୬ ମିନିଟ୍ ପୂର୍ବରୁ ସେ ତିନି ଅଙ୍କ ଛୁଇଁବା ପରେ ସାଥୀ ଖେଳାଳିଙ୍କ ସହ ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡି୍ୟମ୍ ଦର୍ଶକ ଝୁମି ଉଠିଥିଲେ। ଚେନ୍ନାଇରେ ଏହା‌ ତାଙ୍କର ଦ୍ବିତୀୟ ଏବଂ ବାଂଲାଦେଶ ବିପକ୍ଷରେ ପ୍ରଥମ ଶତକ ଥିଲା। ସେ ମଧ୍ୟ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୬ଶତକ)ଙ୍କ ରେକର୍ଡର ସମକକ୍ଷ ହୋଇଥିଲେ। ସେହିଭଳି ସାହସିକ ବ୍ୟାଟିଂର ପରିଚୟ ଦେଇ ୭୩ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିବା ଜାଡ଼େଜା ପଞ୍ଚମ ଶତକରୁ ମାତ୍ର ୧୪ ରନ୍ ଦୂରରେ ରହିବା ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ଉଲ୍ଲସିତ କରିଛି। ଅଶ୍ବିନଙ୍କ ଭଳି  ଜାଡ଼େଜା ମଧ୍ୟ ୧୦ ଚୌକା ଓ ୨ ଛକା ମାରିବା ଏକ ଅପୂର୍ବ ସଂଯୋଗ ହୋଇଥିଲା। 

ସଂକ୍ଷିପ୍ତ ସ୍କୋର୍: ଭାରତ ପ୍ରଥମ ପାଳି: ୮୦ ଓଭରରେ ୩୩୯/୬ (ଆର. ଅଶ୍ବିନ ୧୦୨*, ରବୀନ୍ଦ୍ର ଜାଡ଼େଜା ୮୬*, ଯସଶ୍ବୀ ଜୟସ୍ବାଲ ୫୬, ଋଷଭ ପନ୍ତ ୩୯, ହାସନ ମହମଦ ୪/୫୮, ମେହିଦି ହାସନ ମିରାଜ ୧/୭୭)।