ଅନନ୍ୟାଙ୍କୁ ଦ୍ୱିମୁକୁଟ; ବିକାଶ ପୁରୁଷ ବିଜେତା

ଭୁବନେଶ୍ୱର: ଅନୁଗୁଳ ଟେବୁଲ ଟେନିସ୍‌ ଏକାଡେମି ତଥା ଇଣ୍ଡୋର ହଲ୍‌ରେ ଚାଲିଥିବା ୨୩ତମ ନାଲ୍‌କୋ ଅନ୍ତଃ ଜିଲ୍ଲା ଓ ରାଜ୍ୟ ଟେବୁଲ ଟେନିସ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଶନିବାର ଚତୁର୍ଥ ତଥା ଶେଷ ଦିନ ବ୍ୟକ୍ତିଗତ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଖୋର୍ଧାର ଅନନ୍ୟା ବସାକ୍‌ ଉଭୟ ମହିଳା ଓ କନିଷ୍ଠ ବାଳିକା ଏକକ ବର୍ଗରେ ଦ୍ୱିମୁକୁଟ ହାସଲ କରିଥିଲା ବେଳେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ (ଆର୍‌ଏସ୍‌ପି)ର ବିକାଶ ସିଂହ ପୁରୁଷ ଏକକ ବିଜେତା ହୋଇଛନ୍ତି। ମହିଳା ଏକକ ଫାଇନାଲ୍‌ରେ ଅନନ୍ୟା ୪-୦ରେ ଏଜି ଓଡ଼ିଶାର ପୌଶଲି ଘଟକଙ୍କୁ ଏବଂ ପୁରୁଷ ଏକକ ଫାଇନାଲ୍‌ରେ ବିକାଶ ୪-୧ରେ ପରାସ୍ତ କରି ଟ୍ରଫି ହାସଲ କରିଥିଲେ।

ଅନ୍ୟପକ୍ଷରେ କନିଷ୍ଠ ବାଳିକା ଏକକରେ ଖୋର୍ଧାର ଅନନ୍ୟା ବସାକ୍‌ ୪-୦ରେ ଖୋର୍ଧାର ୟୋସିତା ଜାମୁଲାଙ୍କୁ ଏବଂ କନିଷ୍ଠ ବାଳକ ଏକକରେ କଟକର ଏମ୍‌ ଇଶ୍ୱର ରାଓ ୪-୨ରେ କଟକର ସାହିଲ ସୁମନ ଭୂୟାଁଙ୍କୁ ପରାସ୍ତ କରି ଟ୍ରଫି କରାୟତ କରିଛନ୍ତି। ଉପକନିଷ୍ଠ ବାଳିକା ଏକକ ଫାଇନାଲ୍‌ରେ ଭୁବନେଶ୍ୱରର ସ୍ୱେତପଦ୍ମା ଦଳେଇ ୪-୧ରେ ଭୁବନେଶ୍ୱରର ନନ୍ଦିନୀ ବିଶ୍ୱାଳଙ୍କୁ ଏବଂ ଉପକନିଷ୍ଠ ବାଳକ ଏକକ ଫାଇନାଲ୍‌ରେ କଟକର ସାହିଲ ସୁମନ ଭୁୟାଁ କଟକର ମୋହିତ ବେହୁରାଙ୍କୁ ରାଉଣ୍ଡ୍‌ ରବିନ୍‌ ଲିଗ୍‌ ପ୍ରଦର୍ଶନ ଭିତ୍ତିରେ ପଛରେ ପକାଇ ବିଜେତା ହୋଇଛନ୍ତି। ସେହିପରି ୟୁଥ୍‌ ବାଳକ ଏକକରେ କଟକର ଏମ୍‌ ଇଶ୍ୱର ରାଓ ୪-୦ରେ ଭୁବନେଶ୍ୱରର କୃଷ୍ଣ ପୃଷ୍ଟିଙ୍କୁ ପରାସ୍ତ କରି ବିଜେତା ହୋଇଥିଲା ବେଳେ ଭେଟେରାନ୍‌ ପୁରୁଷ ଏକକରେ ଖୋର୍ଧାର ଜୋସେଫ୍‌ ବେନେଡିକ୍ଟୋ ୩-୦ରେ ନାଲ୍‌କୋ ଦାମନଯୋଡ଼ିର ଡି ଗୋପେଙ୍କୁ ପରାସ୍ତ କରି ଟ୍ରଫି ହାସଲ କରିଛନ୍ତି। କ୍ୟାଡେଟ୍‌ ବାଳକ ଏକକରେ କଟକର ଆୟନ ମୁସ୍ତାକ୍‌ ଖାନ୍‌ ୩-୧ରେ ଭୁବନେଶ୍ୱରର ଅନିନ୍ଦ୍ୟ ଅନୁପମ ଦାସଙ୍କୁ ପରାସ୍ତ କରି ବିଜେତା ହୋଇଥିଲା ବେଳେ କ୍ୟାଡେଟ୍‌ ବାଳିକା ଏକକରେ ରାଉଣ୍ଡ୍‌ ରବିନ୍‌ ଲିଗ୍‌ ଫଳାଫଳ ଭିତ୍ତିରେ କଟକର ସୌମ୍ୟଜ୍ୟୋତି ଦାସଙ୍କୁ ପଛରେ ପକାଇ ଭୁବନେଶ୍ୱରର ସ୍ୱେତପଦ୍ମା ଦଳେଇ ଟ୍ରଫି ଜିତିଛନ୍ତି। ଜୀବନବଲ୍ଲଭ ସାମଲ ମୁଖ୍ୟ ରେଫରି ଥିଲା ବେଳେ ବିଜନ ଦାସମହାପାତ୍ର, ସୁଜିତ ରାୟ, କେଏସ୍‌ଏନ୍‌ ମୁର୍ତି, ତପନ ଖା, ଏମ୍‌ ଚିନ୍ନାରାଓ, କାଲୋଲ ଗାଙ୍ଗୁଲି ମ୍ୟାଚ୍‌ଗୁଡ଼ିକ ପରିଚାଳନା କରିଥିଲେ।

ଓଡ଼ିଶା ପୁଲିସ୍‌ ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ୟତିନ୍ଦ୍ର କୋୟଲ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ଏସ୍‌ପି ବ୍ରିଜେଶ କୁମାର ରାଏ, ଓଡ଼ିଶା ରାଜ୍ୟ ଟେବୁଲ ଟେନିସ୍‌ ସଂଘ ସଂପାଦକ ରବୀନ୍ଦ୍ର କୁମାର ପରିଡ଼ା, ଅନୁଗୁଳ ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର କୁମାର ସାହୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର