ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩( ଆଇପିଏଲ୍ ୨୦୨୩) ଚାଲିଥିବା ବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ଖେଳୁଥିବା ବିରାଟ କୋହଲିଙ୍କ ପ୍ରଶଂସକ ବି ବଢ଼ି ବଢ଼ି ଚାଲିଛନ୍ତି। କେବଳ ସାଧାରଣ ଲୋକ ନୁହନ୍ତି, ସେଲିବ୍ରିଟିମାନେ ବି ବିରାଟଙ୍କ ପ୍ରଶଂସାରେ ଶତମୁଖ। ଆଇପିଏଲ୍ ୨୦୨୩ରେ ଷ୍ଟାର୍ ପ୍ଲେୟାର୍ ବିରାଟ କୋହଲି ଖୁବ୍ ଭଲ ପ୍ରଦର୍ଶନ କରୁଛନ୍ତି। ବିରାଟଙ୍କ ଟିମ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମୁଦାୟ ୮ଟି ମ୍ୟାଚ୍ରୁ ୪ଟି ମ୍ୟାଚ୍ ଜିତି ୫ମ ସ୍ଥାନରେ ଅଛି।
କୋଲ୍କାତା ନାଇଟ୍ ରାଇଡର୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ବୁଧବାର ମ୍ୟାଚ୍ ଚାଲୁଥିବା ବେଳେ ଷ୍ଟାର୍ ସ୍ପୋର୍ଟସ ଆଇପିଏଲ୍ ସୋ’ରେ ନିଜ ଫିଲ୍ମର ପ୍ରମୋସନ ପାଇଁ ପହଞ୍ଚିଥିଲେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ଏହି ଅବସରରେ ବିରାଟଙ୍କ ଉପରେ ଏକ ବୟାନ ଦେଇ ଅନନ୍ୟା ସୋସିଆଲ୍ ମିଡିଆରେ ଛାଇ ଯାଇଛନ୍ତି। ସେ ନିଜୟ ମତ ରଖି କହିଛନ୍ତି କି ଏଥର ଆଇପିଏଲ୍ରେ ବିରାଟ କୋହଲି ହିଁ ଅରେଞ୍ଜ୍ କ୍ୟାପ୍ ଜିତିବେ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ବିରାଟ ସମୁଦାୟ ୮ଟି ମ୍ୟାଚ୍ ଖେଳି ଏବେ ସୁଦ୍ଧା ୩୩୩ ରନ୍ ବନାଇ ସାରିଛନ୍ତି। ତେବେ ତାଙ୍କ ରେକର୍ଡ ଭଙ୍ଗ କରିଛନ୍ତି ତାଙ୍କରି ହିଁ ଟିମ୍ର ଫାଫ୍ ଡୁପ୍ଲେସି। ସେ ୪୨୨ ରନ୍ କରିଛନ୍ତି।
ନିକଟରେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା । କିନ୍ତୁ ଏହି ସମୟରେ ଦଳ ନିର୍ଦ୍ଧାରିତ ସମୟରେ ଓଭର ପୂରଣ କରିପାରି ନଥିଲା । ଏହି କାରଣରୁ ବିରାଟ କୋହଲିଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା। ପୁଣି ଦ୍ୱିତୀୟ ଥର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକଙ୍କୁ ମନ୍ଥର ଗତି ଯୋଗୁଁ ଜରିମାନା କରାଯାଇଥିଲା ।
ଏଭଳି ପରିସ୍ଥିତିରେ ଯଦି ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଆରସିବି ପୁଣି ଥରେ ଏପରି ଭୁଲ କରେ, ତେବେ ତାଙ୍କୁ ଗୋଟିଏ ମ୍ୟାଚ୍ ପାଇଁ ବ୍ୟାନ୍ କରାଯାଇପାରେ ବୋଲି ନିୟମ ରହିଥିବା ଶୁଣିବାକୁ ମିଳିଥିଲା। ତେବେ ତାହା ପୂର୍ବରୁ ଅଧିନାୟକ ଥିବା ଫାଫ୍ ଡୁପ୍ଲେସିଙ୍କୁ ସ୍ଲୋ ଓଭର ରେଟ୍ ପାଇଁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା ।