ଭୁବନେଶ୍ବର: ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ର ପଞ୍ଚମ ସଂସ୍କରଣ ଆର୍ଜେଣ୍ଟିନାର ସାଣ୍ଟିଆଗୋ ଡେଲ୍‌ ଇଷ୍ଟେରୋରେ ଡିସେମ୍ବର ମାସରୁ ଆରମ୍ଭ ହେବ। ଏଥିସହିତ ପ୍ରୋ-ଲିଗ୍‌ରେ ୭ଟି ଛୋଟଛୋଟ ପ୍ରତିଯୋଗିତା ବିଭିନ୍ନ ସ୍ଥାନରେ ଆୟୋଜିତ ହେବ। ସାଣ୍ଟିଆଗୋ ଡେଲ୍‌ ଇଷ୍ଟେରୋରୁ ଏହା ଆରମ୍ଭ ହେବା ପରେ ବୁଏନ୍‌ସ ଏୟାର୍ସରେ ଫେବ୍ରୁଆରି ୧୪ରୁ ୧୯ ତାରିଖ, ଓଡ଼ିଶାର ରାଉରକେଲାରେ ଫେବ୍ରୁଆରି ୧୦ରୁ ୧୫ ତାରିଖ, ବେଲଜିୟମ୍‌ର ଅନ୍ତୱେର୍ପରେ ମେ ୨୩ ରୁ ଜୁନ୍‌ ୨ ତାରିଖ, ଗ୍ରେଟ୍‌ ବ୍ରିଟେନ୍‌ର ଲି ଭାଲିରେ ଜୁନ୍‌ ୧ରୁ ୧୨ ତାରିଖ, ନେଦରଲାଣ୍ଡ୍ସର ‌ଉତ୍ରେଚରେ ଜୁନ୍‌ ୨୨ରୁ ୨୫ ଏବଂ ନେଦରଲାଣ୍ଡ୍ସର ଆମଷ୍ଟର୍‌ଡାମ୍‌ରେ ଜୁନ୍‌ ୨୨ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରୋ-ଲିଗ୍‌ର ବିଭିନ୍ନ ପ୍ରତିଯୋଗିତା ଖେଳାଯିବ। ପ୍ରଥମ ଥର ପାଇଁ ଏଫ୍‌ଆଇଏଚ୍‌ ମହିଳା ନେସନ୍ସ କପ୍ ପ୍ରଥମ ସଂସ୍କରଣର ଦୁଇ ଦଳ ଭାରତ (ମହିଳା) ଓ ଆୟର୍ଲାଣ୍ଡ (ପୁରୁଷ) ପ୍ରୋ-ଲିଗ୍‌ ପଞ୍ଚମ ସଂସ୍କରଣରେ ଖେଳିବେ। ସେହିପରି ଚତୁର୍ଥ ସଂସ୍କରଣରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ତ‌ଳେ ରହିଥିବା ଦଳଗୁଡ଼ିକ ପଞ୍ଚମ ସଂସ୍କରଣରୁ ବାଦ୍‌ ପଡ଼ିଛନ୍ତି। ପୁଣି ପ୍ରୋ-ଲିଗ୍‌ ପଞ୍ଚମ ସଂସ୍କରଣର ବିଜେତା ଉଭୟ ପୁରୁଷ ଓ ମହିଳା ହକି ବିଶ୍ବକପ୍‌କୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ।

ପହଞ୍ଚିଲେ ପ୍ରଶିକ୍ଷକ ଫୁଲଟନ୍‌

Advertisment

ଭାରତୀୟ ପୁରୁଷ ହକି ଦଳର ନବ ନିଯୁକ୍ତ ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍‌ ଫୁଲଟନ୍‌ ଶୁକ୍ରବାର ସକାଳେ ଭାରତରେ ପହଞ୍ଚିଛନ୍ତି। ଏହି ଦକ୍ଷିଣ ଆଫ୍ରିକୀୟ ପ୍ରଶିକ୍ଷକ ନୂଆଦିଲ୍ଲୀରେ ପହଞ୍ଚିବା ପରେ ହକି ଇଣ୍ଡିଆର ଅଧିକାରୀମାନଙ୍କୁ ପ୍ରଥ‌ମେ ଭେଟିଥିଲେ। ଅପରାହ୍ନରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପରିସରରେ ଚାଲିଥିବା ଜାତୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେବାକୁ କ୍ରେଗ୍‌ ବେଙ୍ଗାଲୁରୁ ଚାଲିଯାଇଛନ୍ତି।

‌କ୍ରେଗ୍‌ଙ୍କ ପାଖରେ ୨୫ ବର୍ଷର ପ୍ରଶିକ୍ଷଣ ଅଭିଜ୍ଞତା ରହିଛି। ସେ ଆୟର୍ଲାଣ୍ଡ ଓ ବେଲଜିୟମ୍‌ ଦଳ ସହିତ କାମ କରିଥିଲା ବେଳେ ଏକାଧିକ ମାଇଲ୍‌ଖୁଣ୍ଟ ଅତିକ୍ରମ କରିଛନ୍ତି। ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ସେ ଆୟର୍ଲାଣ୍ଡ ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ଥିବା ବେଳେ ଏହି ଦଳ ୨୦୧୬ ରିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଥିଲା। ଏହା ଆୟର୍ଲାଣ୍ଡ ଦଳର ୧୦୦ ବର୍ଷ ମଧ୍ୟରେ ପ୍ରଥମ ଅଲିମ୍ପିକ୍ସ ଯୋଗ୍ୟତା ଥିଲା। ଏପରିକି ୨୦୧୫ରେ ତାଙ୍କୁ ଏଫ୍‌ଆଇଏଚ୍‌ ପକ୍ଷରୁ ବର୍ଷର ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ମଧ୍ୟ ମିଳିଥିଲା। ଏହାପରେ ଅଲିମ୍ପିକ ବିଜେତା ବେଲଜିୟମ୍‌ ସହିତ ସେ ସହକାରୀ ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ। ଯେଉଁଥିପାଇଁ ଦଳ ଟୋକିଓରେ ସ୍ବର୍ଣ୍ଣ ପଦକ ଜିତିଥିଲା। ସେହିପରି ଭୁବନେଶ୍ବରରେ ଆୟୋଜିତ ୨୦୧୮ ବିଶ୍ବକପ୍‌ ବିଜେତା ସମୟରେ ମଧ୍ୟ ଫୁଲ୍‌ଟନ ବେଲଜିୟମ୍‌ ପ୍ରଶିକ୍ଷଣ ମଣ୍ଡଳୀରେ ସଦସ୍ୟ ଥିଲେ। ଚଳିତ ବର୍ଷ ବେଲଜିୟମ୍‌ର ଶ୍ରେଷ୍ଠ ପ୍ରଶିକ୍ଷକ ଭାବେ ତାଙ୍କୁ ସମ୍ମାନିତ କରାଯାଇଛି।

ଭାରତୀୟ ଦଳ ସହିତ ଫୁଲ୍‌ଟନଙ୍କ ଆଗରେ ଏଫ୍‌ଆଇଏଚ୍‌ ପୁରୁଷ ହକି ପ୍ରୋ ଲିଗ୍‌ ପ୍ରଥମ ପରୀକ୍ଷା ରହିବ। ୟୁରୋପ୍‌ରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଭାରତର ମୁକାବିଲା ବେଲଜିୟମ, ଗ୍ରେଟ୍‌ ବ୍ରିଟେନ୍‌, ନେଦରଲାଣ୍ଡ୍ସ, ଆର୍ଜେଣ୍ଟିନା ସହିତ ହେବ। ତେଣୁ ଭାରତରେ ପହଞ୍ଚବା ପରେ ଫୁଲ୍‌ଟନ କହିଛନ୍ତି ଯେ ସେ ଏହି ନୂଆ ଆହ୍ବାନ ପାଇଁ ଉତ୍ସାହିତ ଅଛନ୍ତି। ଏପରିକି ଦଳ ସହିତ ପ୍ରଥମ ଭେଟକୁ ସେ ବ୍ୟଗ୍ରତାର ସହ ଅପେକ୍ଷା କରିଛନ୍ତି। ପ୍ରୋ ଲିଗ୍‌ ପ୍ରସ୍ତୁତି ପାଇଁ ଆମ ପାଖରେ ଅଧିକ ସମୟ ନାହିଁ। ହାତରେ ଆଉ ୩ ସପ୍ତାହ ରହିଛି। ଆସନ୍ତା କିଛି ମାସ ମଧ୍ୟରେ ଅନେକ ମ୍ୟାଚ୍‌ ରହିଛି। ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଦଳକୁ ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ‌ସେ କହିଥିଲେ। ସେହିପରି ଫୁଲ୍‌ଟନଙ୍କ ଆଗମନ ଦ୍ବାରା ଭାରତୀୟ ଶିବିରରେ ନୂଆ ଉନ୍ମାଦନା ସୃଷ୍ଟି ହୋଇଛି। ପ୍ରୋ-ଲିଗ୍‌ ପୂର୍ବରୁ ସେ ଦଳ ସହିତ ଯୋଗଦେବା ଦ୍ବାରା ଆତ୍ମବିଶ୍ବାସ ବଢିବା ସହ ଅତିରିକ୍ତ ଶକ୍ତି ମଳିଛି ବୋଲି ଅଧିନାୟକ ହର୍ମନପ୍ରୀତ ସିଂହ କହିଛନ୍ତି।