ପୁଣି ଦୁନିଆ ଦେଖିବ ଓଡ଼ିଶାର ହକି ପ୍ରେମ

ବିଶ୍ବ ହକିର ପ୍ରାଣକେନ୍ଦ୍ର ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମକୁ ପାଖାପାଖି ଦେଢ଼ ବର୍ଷର  ଅପେକ୍ଷା ପରେ ଫେରିବ ଆନ୍ତର୍ଜାତୀୟ ହକି। ଏହା କେବଳ ଭୁବନେଶ୍ବର ପାଇଁ ନୁହେଁ ବରଂ ଦେଶରେ ଆୟୋଜିତ ହେବାକୁ ଥିବା ପ୍ରଥମ ବହୁରାଷ୍ଟ୍ରୀୟ ହକି ପ୍ରତିଯୋଗିତା, ଯାହା କରୋନା ମହାମାରୀ ସମୟରେ ଆୟୋଜିତ ହେବ। ତାହା ପୁଣି ଆଉ ଏକ ବିଶ୍ବକପ୍‌। ବିଶ୍ବର ୧୬ଟି ଶ୍ରେଷ୍ଠ କନିଷ୍ଠ ହକି ଦଳ ନିଜର କ୍ରୀଡା କୌଶଳ ପ୍ରଦର୍ଶନ କରିବା ପାଇଁ ଭୁବନେଶ୍ବର ଆସିବେ। ବିଶ୍ବସ୍ତରୀୟ ହକି ପ୍ରତିଯୋଗିତା ଆୟୋଜନ କରିବା ଓଡ଼ିଶା ପାଇଁ ନୂଆଁ କଥା ନୁହେଁ। ୨୦୧୪ ଚାମ୍ପିଅନ୍ସ ଟ୍ରଫି, ୨୦୧୭ ବିଶ୍ବ ହକି ଲିଗ ଫାଇନାଲ୍ସ, ୨୦୧୮ ହକି ବିଶ୍ବକପ, ୨୦୧୯ ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ, ଟୋକିଓ ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌, ଏଫ୍‌ଆଇଏଚ୍‌ ପ୍ରୋ-ଲିଗ ଭଳି ଅନ୍ତଃରାଷ୍ଟ୍ରୀୟ ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରି କଳିଙ୍ଗ ଷ୍ଟାଡିୟମ ବିଶ୍ବ ହକିର ପ୍ରାଣକେନ୍ଦ୍ର ହେବାର ଗୌରବ ଲାଭ କରିଛି। କିନ୍ତୁ କନିଷ୍ଠ ବିଶ୍ବକପ ୨୦୨୧ କରୋନା କାଳରେ ଆୟୋଜନ ହେଉଥିବାରୁ ଏହା ରାଜ୍ୟ ସରକାର ଓ ହକି ଇଣ୍ଡିଆ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଏହି ପ୍ରତିଯୋଗିତା ମଧ୍ୟ ନୂଆ ଆହ୍ବାନ ନେଇ ଆସିବ।

ଏହି ମର୍ଯାଦାଜନକ ପ୍ରତିଯୋଗିତା ଉପରେ ସାରା ବିଶ୍ବର ନଜର ରହିଛି। ଟୋକିଓ ଅଲମ୍ପିକ୍ସର ହକି ପ୍ରତିଯୋଗିତାକୁ ଛାଡିଦେଲେ ସାରା ବିଶ୍ବରେ କୌଣସି ପ୍ରମୁଖ ବହୁରାଷ୍ଟ୍ରୀୟ ହକି ପ୍ରତିଯୋଗିତା ଏପର୍ଯ୍ୟନ୍ତ ଆୟୋଜନ ହୋଇନାହିଁ। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାର ଓ ହକି ଇଣ୍ଡିଆ ଏହି  ମର୍ଯାଦାଜନକ ପ୍ରତିଯୋଗିତା ଆୟୋଜନ କରିବାର ନିଷ୍ପତ୍ତି ନେବା ବେଶ୍‌ ପ୍ରଶଂସନୀୟ। ଏହା ଆମ ଦେଶ ତଥା ହକି ଜଗତ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ଭବିଷ୍ୟତର ହକି ତାରକାଙ୍କୁ ବିଶ୍ବସ୍ତରୀୟ ମଞ୍ଚ ପ୍ରଦାନ କରୁଥିବା ଏହି ପ୍ରତିଯୋଗିତାର ଗୁରୁତ୍ବ ଏଥିରୁ ଅନୁମେୟ ଯେ, ୨୦୧୬ କନିଷ୍ଠ ହକି ବିଶ୍ବକପ ବିଜୟୀ ଦଳର ଅର୍ଦ୍ଧାଧିକ ଖେଳାଳି ଟୋକିଓ ଅଲମ୍ପିକ୍ସରେ ଦେଶ ପାଇଁ ପ୍ରତିନିଧିତ୍ବ କରି ଐତିହାସିକ ପଦକ ଜିତିଛନ୍ତି। ୨୦୧୩ରେ ଦିଲ୍ଲୀରେ ଆୟୋଜିତ କନିଷ୍ଠ ହକି ବିଶ୍ବକପ୍‌ ଦଳର ସଦସ୍ୟ ଅମିତ ରୋହିଦାସ ଭଲ ପ୍ରଦର୍ଶନ କରି ପରବର୍ତ୍ତୀ ସମୟରେ ଭାରତୀୟ ପୁରୁଷ ହକି ଦଳରେ ସ୍ଥାନ ପାଇଛନ୍ତି ଓ ବର୍ତ୍ତମାନ ସେ ଭାରତୀୟ ଦଳର ପ୍ରମୁଖ ଖେଳାଳି। ସେହିପରି ଯୁବ ପ୍ରତିଭା ଦୀପସାନ ତିର୍କି ୨୦୧୬ ଲକ୍ଷ୍ନୌ କନିଷ୍ଠ ବିଶ୍ବକପ୍‌ ବିଜୟୀ ଭାରତୀୟ ଦଳର ଉପଅଧିନାୟକ ଥିଲେ। ଚଳିତ ବର୍ଷ କନିଷ୍ଠ ହକି ବିଶ୍ବକପ୍‌ରେ ଭାଗ ନେଉଥିବା ଖେଳାଳିମାନେ ନିଶ୍ଚୟ ନିଜ ନିଜ ଦେଶ ପାଇଁ ୨୦୨୪ ଓ ୨୦୨୮ ଅଲମ୍ପିକ୍ସରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ସେହି ଦୃଷ୍ଟିକୋଣରୁ ଦେଖିଲେ କରୋନାର ଆହ୍ବାନପୂର୍ଣ୍ଣ ସମୟରେ ଏଭଳି ମହତ୍ବପୂର୍ଣ୍ଣ ହକି ପ୍ରତିଯୋଗିତା ଆୟୋଜନ ହେବା ହକି ଜଗତ ପାଇଁ ନିଶ୍ଚୟ ଏକ ସୁଖଦ ଅନୁଭୂତି ହେବ।

ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଇଂଲଣ୍ଡ ଭଳି ଶକ୍ତିଶାଳି ଦଳ ଏହି ବିଶ୍ବକପରେ ଭାଗ ନେଉନଥିଲେ ମଧ୍ୟ ଜର୍ମାନି, ନେଦରଲାଣ୍ଡ୍ସ, ଅର୍ଜେଣ୍ଟିନା, ସ୍ପେନ, କୋରିଆ ଓ ପାକିସ୍ତାନ ଭଳି ଦଳ ଏହି ବିଶ୍ବକପକୁ ନିଶ୍ଚୟ ସଂଘର୍ଷପୂର୍ଣ୍ଣ କରିବେ। ସେହିପରି ଆମେରିକା, ଦକ୍ଷିଣ ଆଫ୍ରିକା, ଫ୍ରାନ୍ସ, ଇଜିପ୍ଟ, ଚିଲି ଭଳି ଅପେକ୍ଷାକୃତ ଦୁର୍ବଳ ଦଳ ଚମତ୍କାର ପ୍ରଦର୍ଶନ କରି ଇତିହାସ ରଚିବାକୁ ଚେଷ୍ଟା କରିବେ। ଭାରତର ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନର ଯୋଗଦାନ ଚଳିତ ବର୍ଷ ଏହି ପ୍ରତି‌ଯୋଗିତାକୁ ଆହୁରି ଆକର୍ଷଣୀୟ କରିବ। ତେବେ ଘରୋଇ ପରିବେଶରେ ଭାରତୀୟ ଦଳ ନିଶ୍ଚୟ ଉନ୍ନତ ପ୍ରଦର୍ଶନ କରିବ। ବାଙ୍ଗାଲୋର ସାଇ ସେଣ୍ଟରେ ଅଭ୍ୟାସ କରିଥିବା ଭାରତୀୟ ଦଳ ଭଲ ପ୍ରଦର୍ଶନ କରି ପୁଣି ବିଶ୍ବକପ୍‌ ବିଜୟୀ ହେବ ବୋଲି ମୋର ବିଶ୍ବାସ।

କଳିଙ୍ଗ ଷ୍ଟାଡିୟମରେ ବହୁ ସଂଖ୍ୟାରେ ଦର୍ଶକଙ୍କ ଉପସ୍ଥିତି ଏଠାରେ ଆୟୋଜିତ ହେଉଥିବା ସବୁ ଆନ୍ତର୍ଜାତୀୟ ହକି ପ୍ରତିଯୋଗିତାକୁ ସ୍ବତନ୍ତ୍ର କରିଥାଏ। କିନ୍ତୁ ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା କନିଷ୍ଠ ବିଶ୍ବକପରେ ଦର୍ଶକଙ୍କ କୋଳାହଳ ଦେଖିବାକୁ ମିଳିବ ନାହିଁ। ହକିପ୍ରେମୀଙ୍କ ଅନୁପସ୍ଥିତିରେ ଏହି ବିଶ୍ବକପ ଖେଳାଯିବାକୁ ଥିବାରୁ ମୁଁ ବ୍ୟକ୍ତିଗତ ଭାବେ ମର୍ମାହତ; କିନ୍ତୁ କରୋନା କବଳରୁ ଖେଳାଳି ଓ ଦର୍ଶକଙ୍କୁ ରକ୍ଷା କରିବା ପାଇଁ ଏହା ହିଁ ସର୍ବୋତ୍ତମ ପଦକ୍ଷେପ। ଷ୍ଟାଡିୟମରେ ଦର୍ଶକ ଖେଳ ଦେଖିବାର ସୁଯୋଗ ପାଇବେ ନାହିଁ ସତ କିନ୍ତୁ  ମୋର ବିଶ୍ବାସ ଦେଶର ଅଗଣିତ ହକିପ୍ରେମୀ ଘରେ ରହି ମ୍ୟାଚ୍‌ଗୁଡିକର ସିଧାପ୍ରସାରଣ ଦେଖିବେ ଓ ସାମାଜିକ ଗଣମାଧ୍ୟମ ଜରିଆରେ ଖେଳାଳିଙ୍କୁ ନିଜର ଶୁଭେଚ୍ଛା ଜଣାଇବା ସହ ସେମାନଙ୍କୁ ଉତ୍ସାହିତ କରିବେ। ବିଭିନ୍ନ ହକି ପ୍ରତିଯୋଗିତାର ଭବ୍ୟ ଆୟୋଜନ କରି ବିଶ୍ବ କ୍ରୀଡ଼ା ଜଗତରେ ସୁନାମ ଅର୍ଜନ କରିଥିବା ଓଡ଼ିଶା ଆଉ ଏକ ବିଶ୍ବକପର ସଫଳ ଆୟୋଜନ କରି ପୁଣି ଏକ ମାଇଲଖୁଣ୍ଟ ସ୍ଥାପନ କରିବ।

ସମ୍ବନ୍ଧିତ ଖବର