ଲର୍ଡସ୍‌: ବର୍ଷା ଭିଜା ଲର୍ଡସ ଟେଷ୍ଟ୍‍ର ଦ୍ୱିତୀୟ ଦିବସରେ ମାତ୍ର ୩୫.୨ ଓଭର ଖେଳ ସମ୍ଭବ ହେଲା। ତଥାପି ଭାରତ ସବୁ ଓ୍ଵିକେଟ୍‌ ହରାଇ ମାତ୍ର ୧୦୭ ରନ୍‌ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଳିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଜେମସ ଆଣ୍ଡରସନ୍‌ ଅସ୍ଥିର କରି ପକାଇଥିଲେ। ନିଜର ୨୬ତମ ୫ ଓ୍ଵିକେଟ୍‌ ସଫଳତା ସହ ସେ ମଧ୍ୟ ୫୫୦ ଓ୍ଵିକେଟ୍‌ଠାରୁ ମାତ୍ର ଗୋଟିଏ ଦୂରରେ ରହିଲେ। ପ୍ରଥମ ଦିନ ଟସ୍‌ ପକାଇବାକୁ ଦେଇନଥିଲା ବର୍ଷା। ଶୁକ୍ରବାର କିନ୍ତୁ ମୁକ୍ତାକାଶ ରଖିଥିଲା ଲର୍ଡସ। ଠିକଣା ସମୟରେ ଖେଳ ଆରମ୍ଭ ହୋଇଥିଲା। ଭାରତ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରିତ ହେବା ପରେ ପ୍ରଥମ ଓଭରରେ ହିଁ ମୁରଲୀ ବିଜୟଙ୍କୁ ହରାଇଥିଲା। ପଞ୍ଚମ ବଲ୍‌ରେ ଜେମ୍‌ସ ଆଣ୍ଡରସନ୍‌ ତାଙ୍କୁ ବୋଲ୍‌ଡ କରିଦେବା ପରେ ଲୋକେଶ ରାହୁଲ୍‌ଙ୍କୁ ନିଜର ଦ୍ୱିତୀୟ ଶିକାର କରିଥିଲେ। ଓ୍ଵିକେଟ ପଛପଟେ ଜନି ବେୟାରଷ୍ଟୋ ନେଇଥିଲେ କ୍ୟାଚ୍‌। ବିଜୟ ଇନ୍‌ ସୁଇଙ୍ଗ୍‌ ଓ ରାହୁଲ ଆଉଟ୍‌ ସୁଇଙ୍ଗ୍‌ର ଶିକାର ହୋଇଥିଲେ। ୬.୩ ଓଭର ବେଳେ ବର୍ଷା ପ୍ରଥମ ବାଧା ଆଣିଥିଲା ଏବଂ ମଧ୍ୟାହ୍ନ ଭୋଜନ ପୂର୍ବରୁ ଆଉ ଖେଳ କରାଇ ଦେଇନଥିଲା। ଦ୍ୱିତୀୟ ଥର ବର୍ଷା ହେବା ବେଳକୁ ଭାରତ ୧୫/୨ ଏବଂ ତୃତୀୟ ଥର ବର୍ଷା ରୋକିବା ବେଳକୁ ୮.୩ ଓଭରରେ ୧୫/୩ରେ ସଂଘର୍ଷ କରିଥିଲା। ଚେତେଶ୍ୱର ପୂଜାରା ପୁଣି ଥରେ ରନ୍‌ ଆଉଟ୍‌ର ଶିକାର ହୋଇଥିଲେ ମଧ୍ୟ ଏଥର କୋହଲିଙ୍କ ଭୁଲ ବୁଝାମଣାର ପରିଣତି ଭୋଗିଥିଲେ। ଏଥି ସହ ଭାରତର ବିଗତ ୧୦ ଟେଷ୍ଟ୍‍ ରନ୍‌ ଆଉଟ୍‌ରେ ୭ ଥର ସାମିଲ ହୋଇ ଅଲୋଡ଼ା କୀର୍ତିମାନ କରିଥିଲେ। ଚଳିତ ବର୍ଷ ପ୍ରାରମ୍ଭରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସେଞ୍ଚୁରିଅନ୍‌ ଟେଷ୍ଟ୍‍ର ଉଭୟ ପାଳିରେ ପୂଜାରା ରନ୍‌ ଆଉଟ୍‌ ହୋଇ ଭାରତକୁ ପରାଜୟ ମୁହଁକୁ ଠେଲି ଦେଇଥିଲେ। ଚା’ପାନ ବିରତି ପରେ ବି ଖେଳ ବିଳମ୍ବରେ ଆରମ୍ଭ ହୋଇଥିଲା। ଅଧିନାୟକ-ଉପଅଧିନାୟକ ଯୋଡ଼ି କୋହଲି-ରାହାଣେ ଭଲ ଭାଗୀଦାରି କରି ଆସୁଥିଲେ। ଚତୁର୍ଥ ଓ୍ଵିକେଟ୍‌ ପାଇଁ ୩୪ ରନ୍‌ ଯୋଡ଼ିଥିଲେ। କ୍ରିସ୍‌ ଓ୍ଵକ୍‌ସଙ୍କ ପୂର୍ବ ବଲ୍‌ରେ ସ୍ଲିପ୍‌ କ୍ୟାଚ୍‌ ହାତଛଡ଼ା ହେବାରୁ ଚୌକା ପାଇଥିଲେ କୋହଲି। କିନ୍ତୁ ପର ବଲ୍‌ରେ କୋହଲି (୨୩, ୫୭ ବଲ୍‌) ସମାନ ଢଙ୍ଗରେ ଦ୍ୱିତୀୟ ସ୍ଲିପ୍‌ରେ ବଟଲ୍‌ରଙ୍କ ହାତରେ ଧରାପଡ଼ିଥିଲେ। ପରବର୍ତୀ ଓଭରରେ ଓ୍ଵକ୍‌ସ ୫ ନମ୍ବରରେ ଆସିଥିବା ହାର୍ଦିକ ପାଣ୍ଡ୍ୟା (୧୧,୧୦)ଙ୍କୁ ମଧ୍ୟ ବଟଲର୍‌ଙ୍କୁ ଲଗାତାର କ୍ୟାଚ୍‌ ଦେବାର ସୁଯୋଗ ଆଣିଥିଲେ। ୬୧ ରନ୍‌ରେ ଭାରତ ଅଧା ଖେଳାଳିଙ୍କୁ ହରାଇ ବସିଥିଲା। ସାମ କରନ୍‌ଙ୍କ ଇନସୁଇଙ୍ଗ୍‌ରେ ବୋଲ୍‌ଡ ହୋଇଯାଇଥିଲେ ଦୀନେଶ କାର୍ତିକ। ସର୍ବାଧିକ ୨୯ ରନ୍‌ କରିଥିବା ଅଶ୍ୱିନ୍‌ଙ୍କ ଏକମାତ୍ର ଓ୍ଵିକେଟ୍‌ ନେଇଥିଲେ ବ୍ରଡ୍‌। ନିଜର ଦ୍ୱିତୀୟ ତଥା ଶେଷ ସ୍ପେଲ୍‌ରେ ଆଣ୍ଡରସନ୍‌ ୩ ଓ୍ଵିକେଟ୍‌ ନେଇ (ରାହାଣେ, କୁଲଦୀପ, ଈଶାନ୍ତ)ଙ୍କୁ ଆଉଟ୍‌ କରି ୫ ଓ୍ଵିକେଟ୍‌ ପୂର୍ଣ୍ଣ କରିଥିଲେ। ଭାରତ ୧୦୭ ରନ୍‌ରେ ସୀମିତ ରହିଯାଇଥିଲା। ଭାରତ ଏହି ଟେଷ୍ଟ୍‍ ପାଇଁ ଶିଖର ଧାଓ୍ଵନ ଏବଂ ଉମେଶ ଯାଦବଙ୍କ ବଦଳରେ ଚେତେଶ୍ୱର ପୂଜାରା ଓ କୁଲ୍‌ଦୀପ ଯାଦବଙ୍କୁ ଖେଳାଇଛି। ଇଂଲଣ୍ଡ ଦଳରେ ଡେଭିଡ୍‌ ମଲାନ୍‌ ଏବଂ ବେନ୍‌ ଷ୍ଟୋକ୍‌ସଙ୍କ ବଦଳରେ ଓଲି ପୋପ୍‌ ଓ କ୍ରିସ୍‌ ଓ୍ଵକ୍‌ସ ଖେଳିଛନ୍ତି। ଏଥି ସହିତ ୨୦ ବର୍ଷୀୟ ବ୍ୟାଟସମ୍ୟାନ୍‌ ପୋପ୍‌ଙ୍କ ଟେଷ୍ଟ୍‍ ପଦାର୍ପଣ ହୋଇଛି।