ଆଣ୍ଡରସନ୍‌ଙ୍କ ମାଇଲଖୁଣ୍ଟ, ୧୫୦ ଟେଷ୍ଟ୍‌ ଖେଳିବାରେ ପ୍ରଥମ ଦ୍ରୁତ ବୋଲର

ପ୍ରଥମ ବଲ୍‌ରେ ୱିକେଟ୍‌ ନେବାରେ ଦଶନ୍ଧିର ପଞ୍ଚମ

ସେଞ୍ଚୁରିଆନ୍‌: ଇଂଲଣ୍ଡ ଦ୍ରୁତ ବୋଲର ଜେମ୍‌ସ ଆଣ୍ଡରସନ୍‌ ଗୁରୁବାର ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ୍‌ ଅବସରରେ ଦୁଇଟି ମାଇଲଖୁଣ୍ଟ ଛୁଇଁଛନ୍ତି। ଏହି ଟେଷ୍ଟ୍‌ ଆଣ୍ଡରସନ୍‌ଙ୍କର ୧୫୦ତମ ଥିଲା। ପ୍ରଥମେ ସେ ଏକ୍ଷେତ୍ରରେ ବିଶ୍ବର ପ୍ରଥମ ଦ୍ରୁତ ବୋଲର ଏବଂ ଦ୍ବିତୀୟ ଇଂଲିଶ୍‌ କ୍ରିକେଟର୍‌ ହୋଇଥି‌ଲେ। ବିଶ୍ବର ଦ୍ରୁତ ବୋଲର ଭାବେ ୧୫୦ ଟେଷ୍ଟ୍‌ ଖେଳିବାରେ ସେ ପ୍ରଥମ ହୋଇଥିଲା ବେଳେ ତାଙ୍କ ପଛକୁ ତାଙ୍କ ଦଳୀୟ ସାଥୀ ଷ୍ଟୁଆର୍ଟ ବ୍ରଡ୍‌ (୧୩୫*) ଓ ୱେଷ୍ଟଇଣ୍ଡିଜ୍‌ର କୋର୍ଟନୀ ୱାଲ୍‌ସ (୧୩୨) ଦ୍ବିତୀୟ ଓ ତୃତୀୟରେ ରହିଛନ୍ତି। ଅନ୍ୟପକ୍ଷରେ ଆଲିଷ୍ଟର କୁକ୍‌ (୧୬୧ ଟେଷ୍ଟ୍‌)ଙ୍କ ପରେ ୧୫୦ ଟେଷ୍ଟ୍‌ ଖେଳିବାରେ ସେ ଦ୍ବିତୀୟ ଇଂଲଣ୍ଡ ଖେଳାଳି ହୋଇଛନ୍ତି।

ଦ୍ବିତୀୟରେ ଗୁରୁବାର ଦକ୍ଷିଣ ଆଫ୍ରିକା ବିପକ୍ଷ‌ ପ୍ରଥମ ଟେଷ୍ଟ୍‌ର ପ୍ରଥମ ବଲ୍‌ରେ ହିଁ ସେ ୱିକେଟ୍‌ ଦଖଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଡିନ୍‌ ଏଲ୍‌ଗାରଙ୍କୁ ପ୍ରଥମ ବଲ୍‌ରେ ହିଁ ୱିକେଟ୍‌ ପଛରେ ଜୋସ୍‌ ବଟ୍ଟଲର୍‌ଙ୍କ ହାତରେ କ୍ୟାଚ୍‌ କରାଇ ପାଭିଲିୟନ୍‌ ଫେରାଇ ଦେଇଥିଲେ। କୌଣସି ଟେଷ୍ଟ୍‌ ମ୍ୟାଚ୍‌ର ପ୍ରଥମ ବଲ୍‌ରେ ଏଭଳି ସଫଳତା ପାଇବାରେ ଆଣ୍ଡରସନ୍‌ ଚଳିତ ଦଶନ୍ଧିର ଚତୁର୍ଥ ବୋଲର ହୋଇଛନ୍ତି। ଚଳିତ ଦଶନ୍ଧିରେ ଶ୍ରୀଲଙ୍କାର ସୁରଙ୍ଗା ଲାକ୍‌ମଲ (ବନାମ ଲୋକେଶ ରାହୁଲ୍‌, କୋଲ୍‌କାତା, ୨୦୧୭) ଏବଂ (ବନାମ କ୍ରିସ୍‌ ଗେଲ୍‌, ପାଲିକଲ୍‌, ୨୦୧୦) ଦୁଇଥର ଏଭଳି ସଫଳତା ହାସଲ କରିଥିଲା ବେଳେ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ (ବନାମ ଦିମୁତ କରୁଣାରତ୍ନେ, ଗଲ୍‌, ୨୦୧୬) ଏବଂ ଦକ୍ଷିଣ ଆଫ୍ରିକାର ଡେଲ୍‌ ଷ୍ଟେନ୍‌ (ବନାମ ଆଣ୍ଡରୁ ଷ୍ଟ୍ରସ୍‌, ଜୋହାନ୍‌ସବର୍ଗ, ୨୦୧୦) ଥରେ ଲେଖାଏଁ ସଫଳତା ପାଇଛନ୍ତି।

ସମ୍ବନ୍ଧିତ ଖବର