ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେଲେ ଆଣ୍ଡରସନ୍‌

ଅକ୍‌ଲାଣ୍ଡ୍‌: ଆହତ ସମସ୍ୟା ସହ ଜୁଝି ହେଉଥିବା ନ୍ୟୁଜିଲାଣ୍ଡ୍‌ ଅଲ୍‌ରାଉଣ୍ଡର କୋରେ ଆଣ୍ଡରସନ୍‌ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା କରିଦେଇଛନ୍ତି। ଏକଦା ଦ୍ରୁତତମ ଦିନିକିଆ ଆନ୍ତର୍ଜାତିକ ଶତକ (୨୦୧୩-୧୪ରେ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ୩୬ ବଲ୍‌ରୁ)ର କୀର୍ତ୍ତିମାନକୁ ନିଜ ନାମରେ ରଖିଥିବା ଆଣ୍ଡରସନ୍‌ ଶନିବାର ଅବସର ନିଷ୍ପତ୍ତି ଜଣାଇବା ସହିତ ଯୁକ୍ତ ରାଷ୍ଟ୍ର ଆମେରିକାର ମେଜର ଲିଗ୍‌ କ୍ରିକେଟ୍‌ (ଏମ୍‌ସିଏଲ୍‌) ସହ ତିନି ବର୍ଷିୟା ଚୁକ୍ତି କରିଥିବା ସ୍ପଷ୍ଟ କରିଛନ୍ତି। ୨୯ ବର୍ଷ ବୟସ୍କ ଆଣ୍ଡରସନ୍‌ ନ୍ୟୁଜିଲାଣ୍ଡ୍‌ ପକ୍ଷରୁ ୧୩ ଟେଷ୍ଟ୍‌, ୪୯ ଦିନିକିଆ ଏବଂ ୩୧ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲା ବେଳେ ଗତ ଦୁଇ ବର୍ଷ ଧରି ଆଉ ଜାତୀୟ ଦଳରେ ସାମିଲ ହୋଇନଥିଲେ। ଆନ୍ତର୍ଜାତିକ ସ୍ତରରେ ମୋଟ ୯୩ ମ୍ୟାଚ୍‌ ଖେଳି ସେ ୨୨୭୭ ରନ୍‌ ନିଜ ନାମରେ ରଖିଛନ୍ତି। ଯେଉଁଥିରେ ଦୁଇଟି ଶତକ ଏବଂ ୧୦ ଅର୍ଧଶତକ ସାମିଲ ରହିଛି। ସେ ମଧ୍ୟ ୯୦ ଆନ୍ତର୍ଜାତିକ ୱିକେଟ୍‌ ଦଖଲ କରିଛନ୍ତି।

ନ୍ୟୁଜିଲାଣ୍ଡ୍‌ ପାଇଁ ପ୍ରତିନିଧିତ୍ବ କରିବା ସବୁଠୁ ବଡ଼ ସମ୍ମାନର କଥା ଏବଂ ମୁଁ ମଧ୍ୟ ଏନେଇ ଖୁବ୍‌ ଗର୍ବିତ ବୋଲି ଅବସର ଘୋଷଣା ବେଳେ କହିଛନ୍ତି ଆଣ୍ଡରସନ୍‌। ଆଣ୍ଡରସନ୍‌ ୨୦୧୪ ନୂଆବର୍ଷ ଦିନ ହିଁ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷରେ ୩୬ ବଲ୍‌ରୁ ସଂଗ୍ରହ କରିଥିବା ୧୦୦ ରନ୍‌ ଗୋଟିଏ ବର୍ଷ ଧରି ଦ୍ରୁତତମ କୀର୍ତ୍ତିମାନ ରହିଥିଲା। ତେବେ ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସ ସମାନ ପ୍ରତିଦ୍ବନ୍ଦ୍ବୀ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୩୧ ବଲ୍‌ରୁ ଶତକ ହାସଲ କରି ଆଣ୍ଡରସନ୍‌ଙ୍କ କୀର୍ତ୍ତିମାନକୁ ପଛରେ ପକାଇ ଦେଇଥିଲେ। ୨୦୧୫ ବିଶ୍ବକପ୍‌ରେ ଉପବିଜେତା ହୋଇଥିବା ନ୍ୟୁଜିଲାଣ୍ଡ ଦଳର ସଦସ୍ୟ ଥିବା ଆଣ୍ଡରସନ୍‌ ଆଇପିଏଲ୍‌ରେ ଦିଲ୍ଲୀ ଡେୟାର ଡେଭିଲ୍ସ, ମୁମ୍ବାଇ ଇଣ୍ଡିଆନ୍‌ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳିଥିଲେ। ଏକାଧିକ ଆଘାତଜନିତ କାରଣ ହିଁ ତାଙ୍କ ଆନ୍ତର୍ଜାତିକ କ୍ୟାରିୟରକୁ କାଣ୍ଟଛାଣ୍ଟ କରିଦେଇଥିଲା। ସେ ୨୦୧୮ ନଭେମ୍ବରରେ ନ୍ୟୁଜିଲାଣ୍ଡ୍‌ ପାଇଁ ଶେଷ ଆନ୍ତଜାତିକ ମ୍ୟାଚ୍‌ ଭାବେ ଏକ ଟି-୨୦ ଖେଳିଥିଲେ।

ସମ୍ବନ୍ଧିତ ଖବର